ଭୁବନେଶ୍ବର, ୧୮/୦୯: ବିଧାନସଭାର ମୌସୁମୀ ଅଧିବେଶନ  । ଆଜିଠୁ ସାତ ଦିନ ଯାଏ ଚାଲିବ ଏହି ଅଧିବେଶନ । ଗୃହର ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଏହା ଉପରେ ମଧ୍ୟ ଆଲୋଚନା ହୋଇଛି । ଏହା ପରେ ଗୃହ କାର୍ଯ୍ୟକୁ ଆସନ୍ତାକାଲି ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ​​​​​​​

ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୮ରୁ  ୨୫ ତାରିଖ ଯାଏ ଚାଲିବ । ମଝିରେ ଗୋଟିଏ ଦିନ ସରକାରୀ ଛୁଟି ଛାଡ଼ି ଦେଲେ ଏଥିରେ ୭ଟି କାର୍ଯ୍ୟ ଦିବସ ରହିଛି । ଏହି ସ୍ୱଳ୍ପକାଳୀନ ଅଧିବେଶନ ବେଶ୍‌ ସରଗରମ ରହିବା ସମ୍ଭାବନା ଅଛି । ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିବାବେଳେ ବିଜେଡି ନାରୀ ସୁରକ୍ଷା, ସାର ଅଭାବ, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧିକୁ ପ୍ରମୁଖ ପ୍ରସଙ୍ଗ କରିବ ।