କାନବେରା,୨୯/୧୦: କାନବେରାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା ଯୋଗୁଁ ମ୍ୟାଚ୍ ଦୁଇଥର ବାଧାପ୍ରାପ୍ତ ହୋଇଥିଲା, ଓଭର ଗଣନା ୧୮କୁ ହ୍ରାସ କରାଯାଇଥିଲା। କିନ୍ତୁ, ୧୦ମ ଓଭର ସମୟରେ ପୁଣି ଥରେ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବାତିଲ ହେବା ସମୟରେ ଭାରତ ବ୍ୟାଟିଂ କରୁଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ କ୍ରିଜରେ ଥିଲେ। ଭାରତର ସ୍କୋର ୯୭/୧ (୯.୪/୧୮ ଓଭର) ଥିଲା। ଅଭିଷେକ ଶର୍ମାଙ୍କ ରୂପରେ ଭାରତର ଏକମାତ୍ର ଓ୍ବିକେଟ ହରାଇଥିଲା।
ଭାରତର ନମ୍ବର ୱାନ୍ ଟି-୨୦ ବ୍ୟାଟର ଅଭିଷେକ ଶର୍ମା, ଉପ-ଅଧିନାୟକ ଶୁଭମନ ଗିଲଙ୍କ ସହ ଇନିଂସ ଓପନ କରିଥିଲେ। ଉଭୟେ ପ୍ରଥମ ତିନି ଓଭରରେ ୨୬ ରନ ଦେଇ ଏକ ଦୃଢ଼ ଆରମ୍ଭ କରିଥିଲେ। ନିଜର ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ନାଥନ୍ ଏଲିସ୍ ପଞ୍ଚମ ବଲ୍ରେ ଅଭିଷେକ (୧୯ ରନ୍)ଙ୍କୁ ଟିମ୍ ଡେଭିଡ୍ ଦ୍ୱାରା କ୍ୟାଚ୍ କରାଇଥିଲେ। ବର୍ଷା ମ୍ୟାଚ୍ ବାଧାପ୍ରାପ୍ତ କରିଥିଲା ଏବଂ ଓଭର ସଂଖ୍ୟା ୧୮ କୁ ହ୍ରାସ ପାଇଥିଲା।
ବର୍ଷା ଯୋଗୁ ମ୍ୟାଚ୍ ଉପରେ ପ୍ରଭାବ:
* ପ୍ରତି ଦଳ ପାଇଁ ଓଭର ୧୮ କୁ ହ୍ରାସ କରାଯାଇଛି, ପାୱାରପ୍ଲେ ୫.୨ ଓଭର ପର୍ଯ୍ୟନ୍ତ ରହିବ
* ତିନି ଜଣ ବୋଲର ସର୍ବାଧିକ ଚାରି ଓଭର ବୋଲିଂ କରିପାରିବେ
* ଦୁଇଜଣ ବୋଲର ସର୍ବାଧିକ ତିନି ଓଭର ବୋଲିଂ କରିପାରିବେ
ସୂର୍ଯ୍ୟକୁମାରଙ୍କର ୧୫୦ ପାର ଛକା:
ସୂର୍ଯ୍ୟକୁମାର ଯାଦବଙ୍କ ପୂର୍ବରୁ, କେବଳ ମହମ୍ମଦ ୱାସିମ (ୟୁଏଇ) କମ୍ ଇନିଂସରେ ୧୫୦ତମ ଛକା ଛୁଇଁଥିଲେ। ସୂର୍ଯ୍ୟ ୮୬ ଇନିଂସ ଏବଂ ୧୬୪୯ ବଲ୍ରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ୱାସିମ ୬୬ ଇନିଂସ ଏବଂ ୧୫୪୩ ବଲ୍ରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।
୨୦୫ ରୋହିତ ଶର୍ମା
୧୮୭ ମହମ୍ମଦ ୱାସିମ
୧୭୩ ମାର୍ଟିନ୍ ଗୁପ୍ଟିଲ୍
୧୭୨ ଜୋସ୍ ବଟଲର୍
୧୫୦ ସୂର୍ଯ୍ୟକୁମାର ଯାଦବ
ପ୍ରଥମ ତିନୋଟି ଟି-୨୦ ମ୍ୟାଚ୍ରୁ ବାଦ ପଡ଼ିଲେ ନୀତିଶ ରେଡ୍ଡୀ:
ନୀତୀଶ କୁମାର ରେଡ୍ଡୀ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ତିନୋଟି ଟି-୨୦ ମ୍ୟାଚ୍ରୁ ବାଦ ପଡ଼ିଲେ। ଆଡିଲେଡରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ସମୟରେ ବାମହାତ କହୁଣୀରେ ଆଘାତ ଯୋଗୁ ତାଙ୍କର ଚିକତ୍ସା ଚାଲିଛି। ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଅଗ୍ରଗତି ଉପରେ ନଜର ରଖିଛି।
ଭାରତ ବନାମ ଅଷ୍ଟ୍ରେଲିଆ ଟି-୨୦ ହେଡ୍ ଟୁ ହେଡ୍:
ମୁକାବିଲା ଦୃଷ୍ଟିରୁ, ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଉପରେ ଅଗ୍ରଣୀ ରହିଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ୩୨ ଟି ମ୍ୟାଚ୍ ମଧ୍ୟରୁ, ଭାରତ ୨୦ ଟି ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅନ୍ୟପକ୍ଷରେ, କଙ୍ଗାରୁ ଦଳ କେବଳ ୧୧ ଟି ଜିତିଛି, ଗୋଟିଏ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ୨୦୧୨ ପରଠାରୁ ଅଷ୍ଟ୍ରେଲିଆ ନିଜ ଦେଶରେ କୌଣସି ଟି୨୦ ସିରିଜରେ ଭାରତକୁ ପରାସ୍ତ କରିନାହିଁ। ତେଣୁ, ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ପରେ, ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଗତ ପାଞ୍ଚଟି ଟି୨୦ ସିରିଜରେ, ଭାରତୀୟ ଦଳ ଅଷ୍ଟ୍ରେଲିଆ ମାଟିରେ କେବଳ ଥରେ ୨୦୦୮ରେ ଅଷ୍ଟ୍ରେଲିଆ ଠାରୁ ହାରିଛି।