ବ୍ରହ୍ମପୁର, ୧୧।୭: ଏଥର ବିଶ୍ୱ ଜନସଂଖ୍ୟା ଦିବସର ଥିମ୍‌ ରହିଛି ‘ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା- ଆଜି ଏବଂ ଭବିଷ୍ୟତ ପାଇଁ' । ଗଞ୍ଜାମର ମୋଟ ଜନସଂଖ୍ୟାର କେତେ ଶ୍ରମଜୀବୀ ସୁରଟରେ ପ୍ରବାସୀ ତାହାର ସଠିକ୍‌ ହିସାବ ସରକାରଙ୍କ ପାଖରେ ନାହିଁ । ଗୋଟିଏ ସ୍ୱେଚ୍ଛାସେବୀ ସଂସ୍ଥାର ଆକଳନ କହୁଛି ୮ ଲକ୍ଷ ଯୁବକ ପ୍ରବାସରେ କାର୍ଯ୍ୟରତ । କୋଭିଡ୍‌ କ୍ୱାରାଣ୍ଟାଇନ୍‌ ତଥ୍ୟ ଅନୁସାରେ, ପ୍ରାୟ ୩ ଲକ୍ଷ ଯୁବକ ପ୍ରବାସରୁ ଫେରିଥିଲେ । ଶ୍ରମ ବିଭାଗ ପାଖରେ ପ୍ରବାସୀଙ୍କ ପ୍ରକୃତ ତଥ୍ୟ ନ ଥିଲେ ମଧ୍ୟ ପ୍ରବାସରେ ଗଞ୍ଜାମ ଯୁବକଙ୍କ ସଂଖ୍ୟା ୩ରୁ ୧୦ ଲକ୍ଷ ବୋଲି କୁହାଯାଇପାରେ । ପ୍ରବାସରେ କର୍ମଜୀବୀଙ୍କ ସଂଖ୍ୟା ଯେଭଳି ଅଧିକ ସେହିଭଳି ମୃତ୍ୟୁ ସଂଖ୍ୟା ବି ଅଧିକ । ୨୦୨୪ ବିଧାନସଭା ଶୀତ ଅଧିବେଶନରେ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ତଥ୍ୟ ଅନୁସାରେ, ଦଶନ୍ଧି ଭିତରେ ପ୍ରବାସରେ ଓଡ଼ିଶାର ୪୦୩ ଜଣଙ୍କ ମୃତ୍ୟୁ ହୋଇଛି । ସେଥିରୁ ପ୍ରବାସୀ ଗଞ୍ଜାମଙ୍କ ସଂଖ୍ୟା ୫୯ ଜଣ ।

କେବଳ ସେତିକି ନୁହେଁ, ସେ କହିଥିଲେ ଗତ ତିନି ବର୍ଷରେ ବାହାର ରାଜ୍ୟର ଅସ୍ୱାସ୍ଥ୍ୟକର ପରିବେଶରେ କାମ କରୁଥିବା ୨୩୩ ଜଣଙ୍କ ମୃତ୍ୟୁ ହୋଇଛି । ସେଥିରୁ ଗଞ୍ଜାମ ଜିଲ୍ଲାର ସଂଖ୍ୟା ସର୍ବାଧିକ ୪୩ ଜଣ । ଯେକୌଣସି ଅଞ୍ଚଳର ପ୍ରଗତି ସେଠାକାର ଯୁବପିଢ଼ିଙ୍କ ସାମର୍ଥ୍ୟ ଏବଂ ସେମାନଙ୍କୁ ମିଳୁଥିବା ସୁଯୋଗ ଉପରେ ନିର୍ଭର କରେ । କିନ୍ତୁ ଓଡ଼ିଶାର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା ଗଞ୍ଜାମର ଚିତ୍ରକୁ ଦେଖିଲେ, ଉପରୋକ୍ତ ବିଷୟବସ୍ତୁ ବଡ଼ ଆହ୍ୱାନ । କାରଣ ଏଠାର ଯୁବଶକ୍ତି ପ୍ରବାସରେ ସଂଘର୍ଷରତ । ପ୍ରାୟ ୩୫ରୁ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲା ସାଂସ୍କୃତିକ ଓ ଅର୍ଥନୈତିକ ସମୃଦ୍ଧି ପାଇଁ ଜଣାଶୁଣା । କିନ୍ତୁ ଏହାର ଅନ୍ୟ ଏକ ବଡ଼ ବାସ୍ତବତା ହେଉଛି ‘ପ୍ରବାସ' । ବେସରକାରୀ ଆକଳନ ଅନୁଯାୟୀ, ଜିଲ୍ଲାର ୩ରୁ ୧୦ ଲକ୍ଷ ଯୁବକ ଭିଟାମାଟି ଛାଡ଼ି ସୁଦୂର ସୁରଟ, ମୁମ୍ବାଇ, ବେଙ୍ଗାଲୁରୁ, କେରଳ, ତାମିଲନାଡ଼ୁ ଓ ଚେନ୍ନାଇ ଭଳି ଦେଶର ୩୯ ସହରରେ ଶ୍ରମିଜୀବୀ । ଜିଲ୍ଲାର ମୋଟ ଜନସଂଖ୍ୟାର ବଡ଼ ଅଂଶ ଏବଂ କାର୍ଯ୍ୟକ୍ଷମ ଯୁବଶକ୍ତିର ଏକ ବଡ଼ ଭାଗ ବାହାରେ ରହିବା ନିଶ୍ଚିତ ଚିନ୍ତାଜନକ ।

ଏହା ବି ପଢ଼ନ୍ତୁ... Love Affair: ଚେରାପୀରତି କରି ହରଡ଼ଘଣାରେ ପୁଲିସ ଏଏସ୍ଆଇ, ରାତି ଅଧରେ ମହିଳାଙ୍କ ଘରେ ପଶି ଖାଇଲେ ମାଡ଼...

ବିଶ୍ୱ ଜନସଂଖ୍ୟା ଦିବସର ଚଳିତ ବର୍ଷର ଆହ୍ୱାନ ହେଉଛି, ଯୁବପିଢ଼ିଙ୍କ ସ୍ୱପ୍ନକୁ ବାସ୍ତବତାର ଦିଗ ଦେଖାଇବା । ଅର୍ଥାତ୍‌ ସାମାଜିକ, ଆର୍ôଥକ ଓ ବ୍ୟକ୍ତିଗତ କ୍ଷେତ୍ରରେ ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା । କିନ୍ତୁ ଗଞ୍ଜାମର ଯୁବକମାନଙ୍କ ପାଇଁ ନିଜ ଅଞ୍ଚଳରେ ଆଶା ସାକାର ହେବା ତେଣିକି ଥାଉ, ଜୀବିକା ନିର୍ବାହ କରିବା ବଡ଼ ସଂଘର୍ଷ ପାଲଟିଛି ବୋଲି କୁହାଯାଇପାରେ । ଗଞ୍ଜାମରେ ବୃହତ୍‌ ଶିଳ୍ପାନୁଷ୍ଠାନର ଅଭାବ, କୃଷି କ୍ଷେତ୍ରରେ ବ୍ୟାପକ ଆଧୁନିକୀକରଣ ନ ହେବା, ଦକ୍ଷତା ବିକାଶ ଶିକ୍ଷା ଯୁବବର୍ଗଙ୍କ ପାଖରେ ନ ପହଞ୍ଚିବା ଯୋଗୁଁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଯୁବଶକ୍ତି ଜିଲ୍ଲାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବା ବଦଳରେ ସେମାନେ ବର୍ତ୍ତମାନକୁ ନେଇ ସଂଘର୍ଷ କରୁଥିବା ବେଳେ ସେମାନଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତତାରେ ।

ସ୍ୱେଚ୍ଛାସେବୀ ସଂସ୍ଥା ‘ଅରୁଣା’ର ନିର୍ଦ୍ଦେଶକ ଲୋକନାଥ ମିଶ୍ର କହିଛନ୍ତି, କିଛିବର୍ଷ ପୂର୍ବରୁ ପ୍ରବାସୀ ଶ୍ରମଶକ୍ତିକୁ ନେଇ ୨୦୧୯ରେ ଏକ ଆସେସ୍‌ମେଣ୍ଟ୍‌ କରାଯାଇଥିଲା । ୩ଟି ପ୍ରମୁଖ ଟ୍ରେନ୍‌ରେ ବ୍ରହ୍ମପୁରରୁ ଯାତ୍ରା କରୁଥିବା ମାଇଗ୍ରାଣ୍ଟ୍‌ଙ୍କ ସଂଖ୍ୟା ସଂଗ୍ରହ କରାଯାଇଥିଲା । ଯେଉଁଥିରୁ ଜଣାଯାଇଥିଲା ଯେ, ଗଞ୍ଜାମର ଶ୍ରମଶକ୍ତି ଦେଶର ୩୯ଟି ସହରକୁ ପ୍ରାୟତଃ ଯାତ୍ରା କରନ୍ତି ଏବଂ ସେଥିରେ ସୁରଟକୁ ସର୍ବାଧିକ ଯାତ୍ରୀ ଚିହ୍ନଟ ହୋଇଥିଲେ । ପ୍ରାୟ ୮ ଲକ୍ଷ ଯୁବଶକ୍ତି ପ୍ରବାସ ଯାଆନ୍ତି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ପ୍ରବାସରେ ଏବଂ ୧ ଲକ୍ଷ ଫ୍ଲୋଟିଂ ଆକାରରେ ଚିହ୍ନଟ ହୋଇଥିଲେ । ଏହି ଲକ୍ଷଲକ୍ଷ ଯୁବକଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ପ୍ରଶିକ୍ଷଣ ଦିଆଗଲେ ସେମାନେ ଓଡ଼ିଶାରେ ହିଁ ଆତ୍ମନିର୍ଭରଶୀଳ ହୋଇପାରିବେ । ନତୁବା ପ୍ରବାସରେ ମଧ୍ୟ ସେମାନେ ନିଜର ଦକ୍ଷତା ହିସାବରେ ଅଧିକ ରୋଜଗାରର ହକ୍‌ଦାର ହେବେ ବୋଲି ସେ କହିଛନ୍ତି । କାରଣ ଜନସଂଖ୍ୟା କେବଳ ଏକ ସଂଖ୍ୟା ନୁହେଁ, ଏହା ହେଉଛି ସମ୍ବଳ । ଗଞ୍ଜାମର ଲକ୍ଷଲକ୍ଷ ଯୁବକ ବାହାର ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରୁଛନ୍ତି । ସେମାନଙ୍କ ଆଶା ଓ ଆକାଂକ୍ଷାକୁ ନିଜ ମାଟିରେ ସାକାର କରିବା ପାଇଁ ଏକ ଦୀର୍ଘସ୍ଥାୟୀ ନୀତି ପ୍ରଣୟନ ହେବା ଜରୁରି ବୋଲି ଅରୁଣାର ନିର୍ଦ୍ଦେଶକ କହିଛନ୍ତି ।