ଭୁବନେଶ୍ଵର, ୧୨/୯ : ରାଜ୍ୟରେ ସାର ସମସ୍ୟା ଉତ୍କଟ। ସାର ଅଭାବକୁ ନେଇ ୧୭ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି। ଏହାପରେ ମଧ୍ୟ ସରକାର ନଚେତିଲେ ଜିଲ୍ଲାପାଳଙ୍କ ଅଫିସ ଓ ବ୍ଲକ ଅଫିସ୍ ସାମ୍ନାରେ ବିଜେଡି ବିକ୍ଷୋଭ କରିବ। ଏନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦିଆଯାଇଛି। 

ବିଜେଡି ଅଭିଯୋଗ ଆଣିଛି ଯେ, ରାଜ୍ୟରେ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଅଭାବୀ ଧାନ ବିକ୍ରି ଚାଲିଛି। ଖରିଫ ଋତୁରେ ଚାଷୀ ପଞ୍ଜୀକରଣରେ ସମସ୍ୟା ରହିଛି। ସାର ଅଭାବ ଚାରି ଆଡ଼େ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ବାରମ୍ବାର ସମୀକ୍ଷା କରିଛନ୍ତି। ହେଲେ ଉପମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ। ସରକାର ବୋଧେ ଅଖି ବୁଜି ଦେଇଛନ୍ତି । ରାତି ଅଧରୁ ଚାଷୀ ଆଧାର କାର୍ଡ ଧରି ଛିଡା ହେଉଛନ୍ତି। ସରକାରୀ ତଥ୍ୟ କିନ୍ତୁ କିଛି ଭିନ୍ନ କହୁଛି । ଗଞ୍ଜାମ ଜିଲ୍ଲାରେ ୧୯ ହଜାର ୫୦୦ ମେଟ୍ରିକ୍ ଟନ୍ ସାରର ଆବଶ୍ୟକତା ରହିଛି। ହେଲେ ୧୦ ହଜାର ମେଟ୍ରିକ୍ ଟନ୍ ସାର ମିଳିଛି। ଏମିତିକି ସବୁ ଜିଲ୍ଲାକୁ ସାର ମିଳିପାରି ନାହିଁ। ସରକାର ଚାଷୀକୂଳ ପ୍ରତି ପ୍ରତାରଣା କରିଛନ୍ତି। ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ। 

ବିଜେଡି କହିଛି ଯେ, ବିରୋଧୀ ଦଳ ନେତା ଏନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ସରକାର ବାରମ୍ବାର ସମୀକ୍ଷା କରୁଛନ୍ତି। ହେଲେ ସାର ଯାଉଛି କୁଆଡେ। କଳାବଜାରୀକୁ ରୋକି ପାରୁନାହାନ୍ତି। ତାଳଚେର ସାର କାରଖାନା ଏଯାଏଁ କାମ ଦେଲାନି। ଏହାର ସମାଧାନ ନହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ। ୧୭ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ। ଏହାପରେ ମଧ୍ୟ ସରକାର ନ ଚେତିଲେ ଜିଲ୍ଲାପାଳ ଅଫିସ ଓ ବ୍ଲକ ଅଫିସରେ ଧାରଣା ଦେବ ଦଳ।