ଭୁବନେଶ୍ୱର,୩୧/୧୦: ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ (ବିଏସ୍ଏବିଟି) ଯାତ୍ରୀଙ୍କ ପାଇଁ ସପିଙ୍ଗ ମଲ ଖୋଲିଥାନ୍ତା । ବସ୍ ଟର୍ମିନାଲରେ ଏୟାରପୋର୍ଟ ଭଳି ଫୁଡ୍କୋର୍ଟର ମଜା ନେଇଥାନ୍ତେ ଯାତ୍ରୀ । ଏଭଳି ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ଜାଗାକୁ ଏବେ ଘରୋଇ ଆଇଟି କମ୍ପାନି ହାତକୁ ଟେକିଦେବ ବିଡିଏ । ଖାଲି ସେତିକି ନୁହେଁ, ପାର୍କିଂ ସ୍ଥଳକୁ ଦେବାକୁ ଯୋଜନା ଚାଲିଛି ।
ବିଡିଏ ପକ୍ଷରୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍)କୁ ବସ ଟର୍ମିନାଲ ପରିସରରେ ଥିବା ଜାଗାକୁ ଦେବା ପାଇଁ କିଛିଦିନ ତଳେ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ଜାଗାକୁ ଓକାକ ଭଡ଼ାସୂତ୍ରରେ ନେବ । ଏଠାରେ ଏକ ଘରୋଇ ଆଇଟି କମ୍ପାନି ଅଫିସ ଖୋଲିବ । ଏନେଇ ବିଡିଏ ଏବଂ ଓକାକ୍ ପକ୍ଷରୁ ମିଳିତ ସର୍ଭେ ସରିଛି । ବରମୁଣ୍ଡା ବସ୍ଷ୍ଟାଣ୍ଡରେ ୯୦ ହଜାର ବର୍ଗଫୁଟ୍ର ବ୍ୟାବସାୟିକ ଜାଗା ରହିଛି । ପ୍ରଥମ ମହଲାରେ ୨୨ ହଜାର ଏବଂ ଦ୍ୱିତୀୟ ମହଲାରେ ୪୫ ହଜାର ବର୍ଗଫୁଟ୍ର ଜାଗା ରହିଛି । ଏହାକୁ ମିଶାଇଲେ ମୋଟ୍ ୬୫ ହଜାର ବର୍ଗଫୁଟ୍ ଅଞ୍ଚଳରେ ଅଫିସ ଖୋଲିବ । ବର୍ଗଫୁଟ ପିଛା ୭୮ ଟଙ୍କା ଦେବାକୁ ଧାର୍ଯ୍ୟ କରାଯାଇଛି । ବାକି ଥିବା ୩୫ ହଜାର ବର୍ଗଫୁଟ୍ର ଖୋଲାସ୍ଥାନକୁ ବର୍ଗଫୁଟ୍ ପିଛା ମାତ୍ର ୧୬ ଟଙ୍କାରେ ଦେବାକୁ ଦର ଧାର୍ଯ୍ୟ ହୋଇଥିବା ନେଇ ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି ।
ଖାଲି ଏତିକି ନୁହେଁ, ବେସ୍ମେଣ୍ଟ ଏବଂ ଅନ୍ୟ ସ୍ଥାନରେ ଯାତ୍ରୀଙ୍କ ପାଇଁ ଥିବା ପାର୍କିଂ ସ୍ଥାନକୁ ବି ଘରୋଇ ଆଇଟି କମ୍ପାନିକୁ ଦେଇଦେବେ । ଏହା ହେଲେ ବସ୍ଷାଣ୍ଡକୁ ଆସୁଥିବା ସାଧାରଣ ଯାତ୍ରୀଙ୍କ ପାଇଁ ଗାଡ଼ି ପାର୍କିଂ କରିବାରେ ସମସ୍ୟା ଉପୁଜିବ ବୋଲି ଅଭିଯୋଗ ହୋଇଛି । ବିଡିଏ ପକ୍ଷରୁ ବସ୍ଷ୍ଟାଣ୍ଡ ନିର୍ମାଣ ସମୟରେ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ସେମାନଙ୍କୁ ଦୋକାନ ଘର ଦେବାକୁ କିଓସ୍କ ନିର୍ମାଣ କରାଯାଇଥିଲା । ୧୩୩ରୁ ୧୧୨ଟି ଦୋକାନ ବହୁକଷ୍ଟରେ ଆବଣ୍ଟନ ହୋଇଛି । ଏହାର ଚାବି ଏଯାଏଁ ହସ୍ତାନ୍ତର ହୋଇନି।