ଭୁବନେଶ୍ବର, ୯।୯ ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲେଶ୍ବର ଏସଡିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ୩୪୯ ପୃଷ୍ଠା ସମ୍ବଳିତ ଚାର୍ଜସିଟ କ୍ରାଇମବ୍ରାଞ୍ଚ ଦାଖଲ କରିଛି । ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ୧୨୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛି। ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି।
ସୂଚନାଯୋଗ୍ୟ ଯେ, ଜୁଲାଇ ୧୨ ତାରିଖରେ ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ । ଏହା ପରେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଜୁଲାଇ ୧୪ରେ ଚିକିତ୍ସାଧିନ ଅବସ୍ଥାରେ ପୀଡିତା ଆଖି ବୁଜିଥିଲେ । ଏହି ଘଟଣାରେ ଏଚଓଡି ସମୀର କୁମାର ସାହୁ ଓ ବାଲେଶ୍ବର ଫକୀର ମୋହନ କଲେଜର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ପୋଲିସ ଗିରଫ କରିଥିଲା । ପରବର୍ତ୍ତି ସମୟରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିଥିଲା। ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।