କଟକ, ୧୦/୧୦ : ହଟିଲା ବାଲିଯାତ୍ରା ଦ୍ଵନ୍ଦ୍ଵ। ଉଭୟ ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା। ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ ଅତିରିକ୍ତ ଜିଲ୍ଲାପାଳ। ଚଳିତ ବର୍ଷ ବାଲିଯାତ୍ରାରେ ୨୪ଶହଟି ଷ୍ଟଲ ରହିବ। ଉପର ବାଲିଯାତ୍ରା ପଡ଼ିଆରେ କଟକର ଐତିହ୍ୟ ସମ୍ପର୍କିତ ଷ୍ଟଲ ରହିବ। ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଭିଣ୍ଟେଜ କାର୍ ରେସ୍ ହେବ। 

ଚଳିତବର୍ଷ ବାଲିଯାତ୍ରା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେବା ପରେ କିଲ୍ଲା ପଡ଼ିଆ ବା ବାରବାଟୀ ଦୁର୍ଗ ସାମ୍ନା ଉପର ପଡ଼ିଆରେ ମେଳା ହେବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଥିଲା । ପୂରା ବାଲିଯାତ୍ରା ତଳ ପଡ଼ିଆରେ କରାଯିବ ବୋଲି ଯୋଜନା ହୋଇଥିଲା । ସେହି ଆଧାରରେ ପ୍ରଶାସନ ପ୍ରସ୍ତୁତିକୁ ଆଗେଇ ନେଇଥିଲା । କିନ୍ତୁ ଉପର ପଡ଼ିଆରୁ ବାଲିଯାତ୍ରା ଆରମ୍ଭ ହୋଇଥିବାରୁ ଏହା ସହ କଟକବାସୀଙ୍କ ଭାବାବେଗ ଜଡ଼ିତ ଥିଲା । ଏନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବାଲିଯାତ୍ରାର ଇତିହାସ, ଉପର ପଡ଼ିଆ ସହ ଜଡ଼ିତ ଲୋକଙ୍କ ଭାବାବେଗ, କଟକର ସଂସ୍କୃତି, ଐତିହ୍ୟ ଆଦି ପ୍ରସଂଗ ଓ  ବିଭିନ୍ନ ମହଲର ଉଦ୍‌ବେଗକୁ ନେଇ ‘ପ୍ରମେୟ’ ଲଗାତାର ଭାବେ ଏ ଖବର ପ୍ରକାଶ କରିବା ପରେ ବିଭିନ୍ନ ସ୍ତରରୁ, ସହରବାସୀଙ୍କ ପକ୍ଷରୁ ପ୍ରଶାସନ  ଉପରେ ଚାପ ବଢ଼ିଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ  ହାଇକୋର୍ଟଙ୍କ କଟକଣାକୁ ଆଳ କରି ଉପର ପଡ଼ିଆରେ ବାଲିଯାତ୍ରା କରାଯାଉନାହିଁ ବୋଲି ସଫେଇ ଦେଇଥିଲା । ଏନେଇ ହାଇକୋର୍ଟଙ୍କୁ  ଅବଗତ କରାଯାଇ ଉପର ପଡ଼ିଆରେ ବାଲିଯାତ୍ରା ପାଇଁ ଅନୁମତି ମଗାଯିବ ବୋଲି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।   

ଗତକାଲି ହାଇକୋର୍ଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରସଙ୍ଗ ଉଠାଯାଇଥିଲା । ଉପର  ପଡ଼ିଆକୁ ନେଇ ଗତବର୍ଷ ଦିଆଯାଇଥିବା ଆଦେଶ  ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ତେବେ  କୌଣସି ସ୍ଥାନରେ ଉପର ପଡ଼ିଆରେ ବାଲିଯାତ୍ରା ବନ୍ଦ କରିବା ପାଇଁ ହାଇକୋର୍ଟ କହି ନଥିବା ସ୍ପଷ୍ଟ ହୋଇଥିଲା । ବରଂ ପ୍ରଶାସନ ନିଜେ ତଳ ପଡ଼ିଆରେ ବାଲିଯାତ୍ରା କରାଯିବ ବୋଲି ଗତବର୍ଷ  ଅଦାଲତଙ୍କୁ ଜଣାଇଥିଲା । ଟ୍ରାଫିକ୍‌ ସୁବିଧା ଏବଂ ଅନ୍ୟ କେତେକ ସମସ୍ୟାର ସମାଧାନ ପାଇଁ  କେବଳ ତଳ ପଡ଼ିଆରେ ବାଲିଯାତ୍ରା କରାଯିବାକୁ  ପ୍ରଶାସନ ହାଇକୋର୍ଟଙ୍କୁ ଗତବର୍ଷ କହିଥିଲା ।  କିନ୍ତୁ ଏବର୍ଷ ଅଦାଲତଙ୍କ ଅଙ୍କୁଶ ଆଳରେ  ଉପର ପଡ଼ିଆକୁ ବାଲିଯାତ୍ରାରୁ ବାଦ୍‌ ଦେବାକୁ  ଚାହିଁଥିଲା । ଅଦାଲତଙ୍କୁ ଏ ପ୍ରସଂଗକୁ ପ୍ରଶାସନ ଟାଣିବାକୁ ଯେଉଁ ଉଦ୍ୟମ କରିଥିଲା ତାହାକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।  ତେବେ ଗତବର୍ଷ ହାଇକୋର୍ଟ ଉପର ପଡ଼ିଆରେ ବାଲିଯାତ୍ରା କରାଯିବା ବେଳେ ଯେପରି କୌଣସି  ସମସ୍ୟା ନହୁଏ ସେଥିପାଇଁ କେତେକ ନିର୍ଦ୍ଦେଶ  ଜାରି କରିଥିଲେ । ଚଳିତବର୍ଷ ବାଲିଯାତ୍ରା ବେଳେ ସେସବୁ ନିୟମ ଆଧାରରେ ମେଳା ଆୟୋଜନ  କରିବାକୁ ଜିଲ୍ଲା ପ୍ରଶାସନକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି ।