ଡେରାଡୁନ୍,୧୪/୦୯: କ୍ରିକେଟରେ କଦଳୀ କେଁ । ୩୫ ଲକ୍ଷ ଟଙ୍କାର ଖାଇଦେଲେ କଦଳୀ । ଦୁର୍ନୀତି ନେଇ ହାଇକୋର୍ଟରୁ ଆସିଲା ନୋଟିସ୍ । କାଠଗଡ଼ାରେ ବିସିସିଆଇ, ଜବାବ ରଖିବେ ବାବୁ । ମୋଟ୍ ୧୨ କୋଟି ଟଙ୍କାର ଫଣ୍ଡ, ସେଥିରୁ ଖାଲି ୩୫ ଲକ୍ଷ ଟଙ୍କାରେ କିଣା ହୋଇଛି କଦଳୀ । ମାନେ କ୍ରିକେଟରେ କଦଳୀ ଘୋଟାଲା । ଖବର ଟା ଟିକିଏ ଖଟ୍କା ଲାଗୁଥିବ ନିଶ୍ଚୟ, ହେଲେ ଏହା ସମ୍ପୂର୍ଣ୍ଣ ସତ । ଅନ୍ୟ କେଉଁ ଦେଶରେ ନୁହେଁ ବରଂ ଭାରତରେ ଘଟିଛି । ବିଶ୍ବ ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇରୁ ଆସିଛି ଦୁର୍ନୀତିର ଗନ୍ଧ । କିଏ ଖାଇଗଲା ଏତେ ଟଙ୍କାର କଦଳୀ ? ଖେଳାଳି ନା କର୍ତ୍ତୃପକ୍ଷ, ତାହା ପ୍ରଶ୍ନବାଚୀ ?
କ୍ରିକେଟରେ କଦଳୀ ଘୋଟାଲା ଖବର ଆସିଛି ଉତ୍ତରାଖଣ୍ଡରୁ । ୩୫ ଲକ୍ଷ ଟଙ୍କାରେ କଦଳୀ କିଣାଯିବା ନେଇ ହାଇକୋର୍ଟ ବିସିସିଆଇକୁ ନୋଟିସ୍ ଜାରି କରିଛନ୍ତି । ୧୨ କୋଟି ଟଙ୍କାର ସରକାରୀ ଫଣ୍ଡକୁ ବିଭିନ୍ନ ଆଳରେ ଚଳୁ ହୋଇଥିବା ନେଇ ମାମଲାରୁ ରୁଜୁ ହେବାପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡକୁ ଜବାବ ତଲବ କରିଛନ୍ତି ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ । ଡେରାଡୁନ୍ର ସଞ୍ଚୟ ରାଓତ ନାମକ ଜଣେ ବ୍ୟକ୍ତି ଏବଂ କିଛି କ୍ରିକେଟ୍ ପ୍ରେମୀ ଘୋଟାଲା ନେଇ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲା । ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନ୍ର ୨୦୨୪-୨୫ ଆର୍ଥିକ ବର୍ଷର ଅଡିଟ୍ ରିପୋର୍ଟର ଯାଞ୍ଚ ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଏଥିପାଇଁ ମଧ୍ୟ ଯାଚିକା ଦାୟର ହୋଇଛି । ତେବେ ମଙ୍ଗଳବାର ଜଷ୍ଟିସ୍ ମନୋଜ କୁମାର ତିଓ୍ବାରୀଙ୍କ ସିଙ୍ଗଲ୍ ବେଞ୍ଚ ମାମଲାର ଶୁଣାଣି କରି ନୋଟିସ୍ ପଠାଇଛନ୍ତି ।
ତେବେ କ୍ରିକେଟରେ କଦଳୀ କେଁ କିଛି ଏହି ଭଳି ହୋଇଛି । ଖେଳାଳିଙ୍କ ସ୍କିଲ୍ ଡେଭଲପ୍ ଏବଂ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଉତ୍ତରାଖଣ୍ଡ କ୍ରିକେଟ୍ ବୋର୍ଡକୁ ସରକାରୀ ଅର୍ଥ ମିଳିଥିଲା । ଏଥିରୁ ୬.୪ କୋଟି ଟଙ୍କା ଇଭେଣ୍ଟ ମ୍ୟାନେଜମେଣ୍ଟରେ ଖର୍ଚ୍ଚ ହୋଇଛି । ସେହିପରି ୨୬.୩ କୋଟି ଟଙ୍କା ଟୁର୍ଣ୍ଣାମେଣ୍ଟ ଟ୍ରାଏଲ୍ ବାବଦକୁ ବ୍ୟୟ କରାଯାଇଛି । ଯାହା ପୂର୍ବ ଆର୍ଥିକ ବର୍ଷ ଠାରୁ ଅଧିକ । ଗତ ବର୍ଷ ଏବାବଦରେ ୨୨.୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାଛଡ଼ା ଖେଳାଳିଙ୍କ ଖାଇବା ଲାଗି ୩୫ ଲକ୍ଷ ଟଙ୍କାର କଦଳୀ କିଣାଯାଇଥିବା ଅଟିଡ୍ ରିପୋର୍ଟରେ ଦର୍ଶାଯାଇଛି । ଯାହା ସମସ୍ତ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ଉତ୍ତରାଖଣ୍ଡ କ୍ରିକେଟ୍ ବୋର୍ଡ ଏତେ ଟଙ୍କାର କଦଳୀ ଖେଳାଳିଙ୍କ ପାଇଁ ମଗାଇଥିଲେ ନା ରାଜ୍ୟବାସୀଙ୍କୁ ଖୁଆଇଛନ୍ତି ? କିଏ ହଜମ କଲା ୩୫ ଲକ୍ଷ ଟଙ୍କାର କଦଳୀ ? ଆବେଦନକାରୀଙ୍କ ଏଭଳି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ହାଇକୋର୍ଟ ବିସିସିଆଇକୁ ଜବାବ ମାଗିଛନ୍ତି । ଯାହାକୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏବେ କାଠଗଡ଼ାରେ ।