ଭୂବନେଶ୍ୱର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଉଜୁନି ଗ୍ରାମର ଭିକାରି ଚରଣ ମାଝୀ ତାଙ୍କ ବାଡ଼ିରେ ଥିବା ଗଡିଆରେ ମାଛ ଧରିବା ପାଇଁ ଏକ ବନସୀ କଣ୍ଟା ପୋତିଥିଲେ। ୨୩ ତାରିଖ ସକାଳେ ସେଇ ବନସୀ କଣ୍ଟାରେ ଏକ ଫୁଟ ଲମ୍ବର ତମ୍ପ ସାପ ଲାଗି ଥିବା ଦେଖିବାକୁ ପାଇଥିଲେ। ଏହି ଘଟଣାରେ ସେ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।

ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ବନସୀ କଣ୍ଟାରେ ଲାଗିଥିବା ପ୍ଲାଷ୍ଟିକ ଡୋରକୁ କାଟି ସାପକୁ ସେଇ ବନସୀ ଖଡାଠାରୁ ଅଲଗା କରିଥିଲେ ସିନା, କିନ୍ତୁ ତାର କେଉଁ ଜାଗାରେ କଣ୍ଟା ଲାଖିଥିଲା ତାହା ଜାଣି ପାରିନଥିଲେ। ଏହାସହ ପ୍ରାଣୀ ଚିକିତ୍ସା ପାଇଁ ସ୍ଥାନୀୟ ଅଞ୍ଚଳରେ X-rayର ସୁବିଧା ମଧ୍ୟ ନଥିଲା। ଦୁଇରେ ତମ୍ପ ସାପ ଅତ୍ୟନ୍ତ ବିଷଧର ହୋଇଥିବାରୁ ତାକୁ ଅପରେସନ ପାଇଁ ଭୁବନେଶ୍ଵରରେ ଓୟୁଏଟିରେ ଥିବା ଭେଟେରିନାରୀ କଲେଜକୁ ପଠେଇବା ପାଇଁ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନର DFO ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଅନୁରୋଧ କରିଥଲେ। DFO ଶ୍ରୀ ପଣ୍ଡା ଚିଠି କରି ଭେଟେରିନାରୀ କଲେଜରେ ଥିବା ସେଣ୍ଟର ଫର୍ ୱାଇଲ୍ଡ ଲାଇଫ ହେଲ୍ଥ କୁ ସାପଟିକୁ ପଠେଇ ଥିଲେ ।

ବୁଧବାର ସକାଳେ ଓୟୁଏଟି ଭେଟେରିନାରୀ କଲେଜର ସର୍ଜରୀ ଓ ରେଡ଼ିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଶ୍ଵଦୀପ ଜେନାଙ୍କ ନେତୃତ୍ୱରେ ଏକ 5 ଜଣିଆ ପ୍ରାଣୀ ଚିକିତ୍ସକଙ୍କ ଟିମ୍ ଦୀର୍ଘ ଦେଢ଼ ଘଣ୍ଟା କାଳ ଅପରେସନ କରି ବହୁ କଷ୍ଟରେ ତମ୍ପ ସାପ ବେକରେ ଫସିଥିବା ବନସୀ କଣ୍ଟାକୁ ବାହାର କରିଥିଲେ । ତମ୍ପ ସାପକୁ ପ୍ରଥମେ ଆନାସ୍ଥେସିଆ ଦେବା ପରେ  ଡାକ୍ତର ଜେନା ଅପରେସନ ଆରମ୍ଭ କରିଥିଲେ ସତ, କିନ୍ତୁ X-rayରେ ଯେଉଁ ସ୍ଥାନରେ କଣ୍ଟାଟି ଲାଖି ଥିବା ଦେଖା ଯାଉଥିଲା, ସେଇ ସ୍ଥାନରେ କଣ୍ଟା ନଥିଲା । ପୁଣି ଥରେ ସି-ଆର୍ମ ମେସିନ ତଳେ ଏକ୍ସରେ ଚାଲିଥିବା ଅବସ୍ଥାରେ ଅପରେସନ କରି ପ୍ରାୟ 3 ସେଣ୍ଟିମିଟର ଲମ୍ବର ବନସୀ କଣ୍ଟାକୁ ସତର୍କତାର ସହିତ ବାହାର କରିବାରେ ସଫଳ ହୋଇଥିଲେ। ସାପଟିର କ୍ଷତ ସ୍ଥାନରେ ଷ୍ଟିଚ ପଡ଼ିବା ସହ ବ୍ୟାଣ୍ଡେଜ ଗୁଡେ଼ଇବା ପରେ ସାପର ଚେତା ଫେରିଥିଲା। ଏହାପରେ ସାପକୁ ଆଣ୍ଟିବାୟୋଟିକ ଏବଂ ପେନ୍ କିଲର ଇଞ୍ଜେକସନ ଦିଆଯାଇଛି । କ୍ଷତ ସମ୍ପୂର୍ଣ ଶୁଖି ଷ୍ଟିଚ୍ ଖୋଲିବା ପର୍ଯ୍ୟନ୍ତ ସାପଟିକୁ ଅବଜରଭେସନରେ ରଖାଯିବ ବୋଲି ସୂଚନା ମିଳିଛି।

ଏନେଇ ଡାକ୍ତର ବିଶ୍ଵଦୀପ ଜେନା କୁହନ୍ତି "ଆଜିର ଅପରେସନ ଆମ ପାଇଁ ବହୁତ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା। ସାପର ବିଷ ଦାନ୍ତ ଠାରୁ ବନସୀ କଣ୍ଟା ମାତ୍ର ଦୁଇ ସେଣ୍ଟିମିଟର ଦୂରରେ ଥିଲା । ତେଣୁ ଅପରେସନ୍ ବେଳେ ସାପ ମୁଣ୍ଡକୁ ଧରିବାର ସମ୍ଭାବନା ନଥିଲା । ଆମେ ଏକ ଇଞ୍ଜେକସନ ସିରିଞ୍ଜରେ ଭିତରେ ଅଚେତ୍ ସାପର ଉପର ପାଟିକୁ ଭର୍ତ୍ତି କରି ଦେଇ ମାଇକ୍ରୋପୋର୍ ଗୁଡେ଼ଇ ଦେବା ଫଳରେ ଡାକ୍ତରୀ ଟିମ ଏବଂ ସ୍ନେକ ହେଲ୍ପ ଲାଇନ ଟିମ ନିର୍ଭୟରେ କାମ କରି ପାରିଥିଲେ । ସାପଟି ସମ୍ପୂର୍ଣ୍ଣ ଠିକ୍ ହେବା ପରେ ତାକୁ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯିବ ବୋଲି ମୁଁ ବେଶ୍ ଆଶାବାଦୀ" ।

ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା, ମଣିଭଦ୍ର ମଲ୍ଲିକ, ସୁଧାଂଶୁ ନାଥ ଅପରେସନ ସମୟରେ ସହାୟତା ପ୍ରଦାନ କରିଥିଲେ । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ସାପଟି ଯେଉଁ ଭଳି ଅବସ୍ଥାରେ କଣ୍ଟାଟିକୁ ଗିଳିଥିଲା, ଅନ୍ୟ ସ୍ଥାନରେ ତାହାର ଅପରେସନ୍ କରିବା ବିପଦଜନକ ଥିଲା। ଓୟୁଏଟିରେ ଆଧୁନିକ ବ୍ୟବସ୍ଥା ଉପଲବ୍ଧ ଥିବା ସହିତ ଡାକ୍ତର ବିଶ୍ଵଦୀପଙ୍କ ପରି ସାପ ଅପରେସନ୍ କରିଥିବା ଅଭିଜ୍ଞ ଡାକ୍ତର ଥବାରୁ ଏଇ କାମଟି ସମ୍ଭବ ହୋଇ ପାରିଲା । ତେବେ, କେନ୍ଦୁଝର ବନ୍ୟପ୍ରାଣୀ DFO ଶ୍ରୀ ପଣ୍ଡାଙ୍କ ଏକାନ୍ତ ସହଯୋଗ ନଥିଲେ ସାପଟି ନିଶ୍ଚୟ ମୃତ୍ୟୁବରଣ କରିଥାନ୍ତା" ।