ଭୁବନେଶ୍ବର, ୩।୧୧ : ବକେୟା ଦରମା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବରଗଡ ଜିଲ୍ଲା ବରପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି) ଆକାଉଣ୍ଟାଣ୍ଟ ଓ ପିଅନ। ଫୋନ ପେ ମାଧ୍ୟମରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡି ବସିଥିଲେ। ଭିଜିଲାନ୍ସ ହାତରେ ଧରାପଡିଥିବା ଆକାଉଣ୍ଟାଣ୍ଟ ହେଲେ ଶେଖର ଚନ୍ଦ୍ର ସାହୁ ଓ ପିଅନ ତମନ୍ନା ସାହୁ।
ବରପାଲି ସିଏଚସି ଅଧୀନରେ କାମ କରୁଥିବା ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ୩ ମାସର ବକେୟା ଦରମା କରିବା ପାଇଁ ବରପାଲି ସିଏଚସି ଆକାଉଣ୍ଟାଣ୍ଟ ଓ ପିଅନ ୭ ହଜାର ଟଙ୍କା ଦାବି କରିଥିଲେ। ୭ ହଜାର ଟଙ୍କା ନ ଦେଲେ ବକେୟା ଦରମା କରିବେ ନାହିଁ ବୋଲି କହିଥିଲେ। ଏ ନେଇ ସ୍ବାସ୍ଥ୍ୟ କର୍ମୀ ଜଣକ ଭିଜିଲାନ୍ସରେ ଜଣାଇଥିଲେ। ଶେଖର ଓ ତମନ୍ନା ଫୋନ ପେ ମାଧ୍ୟମରେ ହେଲଥ ଓ୍ବାକରଙ୍କ ଠାରୁ ସୋମବାର ୭ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ଶେଖର ଓ ତମନ୍ନାଙ୍କ ଫୋନକୁ ଭିଜିଲାନ୍ସ ଟିମ ଜବତ କରିଥିଲେ।