​​​​​​​ସିଡ୍‌ନୀ,୨୫/୧୦: ଭାରତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି। ରୋହିତ ଶର୍ମା ୧୨୧ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳି ଟିମ୍ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷିରେ, ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ସହିତ ୭୦ ରନରେ ଅପରାଜିତ ରହିଥିଲେ। ସିଡନୀରେ ଭାରତ ତୃତୀୟ ଦିନିକିଆ ଜିତିଥିବା ବେଳେ, ଅଷ୍ଟ୍ରେଲିଆ ୨-୧ରେ ସିରିଜ ଜିତିଥିଲା। ଏହା ଶୁଭମନ ଗିଲଙ୍କ ଦିନିକିଆ ଅଧିନାୟକ ଭାବରେ ପ୍ରଥମ ବିଜୟ ମଧ୍ୟ ଥିଲା।

ଭାରତୀୟ ବୋଲରମାନେ ଅଷ୍ଟ୍ରେଲିୟ ବ୍ୟାଟରମାନଙ୍କୁ ପୂରା ୫୦ ଓଭର ଖେଳିବାକୁ ଦେଇ ନଥିଲେ। ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ ମାତ୍ର ୨୩୬ ରନ କରିପାରିଥିଲା। ହର୍ଷିତ ରାଣା ଭାରତ ପାଇଁ ସର୍ବାଧିକ ୪ ୱିକେଟ ନେଇଥିଲେ, ଯାହା ତାଙ୍କର ଏପର୍ଯ୍ୟନ୍ତର ସର୍ବୋତ୍ତମ ଦିନିକିଆ ପ୍ରଦର୍ଶନ ଥିଲା।

ରୋହିତ ଓ ବିରାଟଙ୍କ ଚମତ୍କାର ଇନିଂସ:

୨୩୭ ରନର ଏକ ସାଧାରଣ ଟାର୍ଗେଟକୁ ପିଛା କରି, ଟିମ୍ ଇଣ୍ଡିଆ ୬୯ ରନରେ ଶୁଭମନ ଗିଲଙ୍କ ରୁପରେ ପ୍ର‌ଥମ ଓ୍ବିକେଟ ହରାଇଥିଲା। ସେ ମାତ୍ର ୨୪ ରନ କରି ଆଉଟ ହୋଇଥିଲେ। ସିରିଜରେ ଗିଲଙ୍କ ବ୍ୟାଟିଂ ମନ୍ଥର ଥିଲା, ତିନୋଟି ଇନିଂସରେ ସେ କେବଳ ୪୩ ରନ କରିପାରିଥିଲେ। ତଥାପି, ବିରାଟ କୋହଲି ଏବଂ ରୋହିତ ଶର୍ମା ମିଳିତ ଭାବରେ ରନ୍‌ ଧାରାକୁ ଆଗକୁ ବଢ଼ାଇ ଭାରତକୁ ବିଜୟୀ କରିଥିଲେ। ରୋହିତ ଶର୍ମା ଅପରାଜିତ ୧୨୧ ରନ କରିଥିଲେ, ଯାହା ତାଙ୍କର ୩୩ତମ ଦିନିକିଆ ଶତକ ଏବଂ ୫୦ତମ ଅନ୍ତର୍ଜାତୀୟ ଶତକ ଥିଲା। ଉଭୟେ ଦ୍ୱିତୀୟ ୱିକେଟ ପାଇଁ ଅପରାଜିତ ୧୬୮ ରନର ଭାଗୀଦାରି କରିଥିଲେ। ଏହା ଦିନିକିଆରେ ୧୯ତମ ଥର ପାଇଁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ୧୦୦ରୁ ଅଧିକ ରନର ଭାଗୀଦାରି ହୋଇଥିଲା। ବର୍ତ୍ତମାନ କେବଳ ସଚିନ ତେନ୍ଦୁଲକର-ସୌରଭ ଗାଙ୍ଗୁଲି ଏବଂ କୁମାର ସାଙ୍ଗାକାରା-ତିଲକରତ୍ନେ ଦିଲଶାନ ସର୍ବାଧିକ ୧୦୦ରୁ ଅଧିକ ଭାଗୀଦାରିର ରେକର୍ଡ ରଖିଛନ୍ତି।

ଶୁବମନଙ୍କ ପ୍ର‌ଥମ ବିଜୟ:

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଶୁଭମନ ଗିଲଙ୍କୁ ନୂଆ ଦିନିକିଆ ଅଧିନାୟକ ନିଯୁକ୍ତ କରାଯାଇଥିଲା। ତାଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ ୭ ୱିକେଟରେ ହାରିଥିଲା। ଆଡିଲେଡରେ ଦ୍ୱିତୀୟ ଦିନିକିଆ ଏକ କଡ଼ା ମୁକାବିଲା ଥିଲା, କିନ୍ତୁ ଭାରତ ସେଠାରେ ମଧ୍ୟ ୨ ୱିକେଟରେ ହାରିଥିଲା। ଅଧିନାୟକ ଭାବରେ ତାଙ୍କର ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ, ଗିଲ୍ ଶେଷରେ ସିଡନୀରେ ନିଜର ବିଜୟରଛାପ ଛାଡ଼ିଥିଲେ।