ସାଲେପୁର, ୨୪/୧୦ : ଯୋବ୍ରା ବ୍ରିଜ୍‌ରୁ ମହାନଦୀକୁ ଡେଇଁ ନିଖୋଜ ହୋଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର। ସାଲେପୁର ବ୍ଲକ୍ ହରିଚନ୍ଦନପୁର ବ୍ୟାରେଜ୍ ନିକଟସ୍ଥ ଚିତ୍ରୋତ୍ପଳା ନଦୀରେ ମୃତଦେହ ଭାସୁଥିବା ବେଳେ ସାଲେପୁର ପୁଲିସ ଉଦ୍ଧାର କରିଛି। ମୃତଦେହକୁ ଜଗତପୁର ପୁଲିସକୁ ହସ୍ତାନ୍ତର କରାଯାଇଛି। 

ସୂଚନାନୁଯାୟୀ, ଗୁରୁବାର ମଧ୍ୟାହ୍ନରେ ମହାନଦୀ ବ୍ୟାରେଜ୍‌ର ଜଗତପୁର ମୁଣ୍ଡରେ ସ୍କୁଟି ରଖି ଜଣେ ଯୁବତୀ ନଈକୁ ଡେଇଁ ନିଖୋଜ ହୋଇଯାଇଥିଲେ। ଯୁବତୀ ଜଣଙ୍କ ଜଗତପୁର ଥାନା ପୀରବଜାର ନିକଟସ୍ଥ ଅଣ୍ଡେଇସାହି ଗାଁ ପ୍ରେମନଗର ଅଞ୍ଚଳର ବୋଲି ଜଣାପଡ଼ିଥିଲା। ଖବର ପାଇ ବ୍ୟାରେଜ୍‌ ଉପରୁ ତାଙ୍କର ସ୍କୁଟି ପୁଲିସ ଉଦ୍ଧାର କରିଥିଲେ ହେଁ ଯୁବତୀଙ୍କ ସନ୍ଧାନ ମିଳିନଥିଲା। ଜଗତପୁର ପୁଲିସ, ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ସନ୍ଧ୍ୟା ପର୍ଯ୍ୟନ୍ତ ମହାନଦୀରେ ଖୋଜାଖୋଜି କରିଥିଲେ । ପରେ ଅନ୍ଧାର ହୋଇଯିବାରୁ ସର୍ଚ୍ଚ ଅପରେସନ୍‌କୁ ବନ୍ଦ ରଖାଯାଇଛି । ଶୁକ୍ରବାର ସକାଳେ ପୁଣି ଯୁବତୀଙ୍କୁ ଠାବ ପାଇଁ ମହାନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ସାଲେପୁର ବ୍ଲକ୍ ହରିଚନ୍ଦନପୁର ବ୍ୟାରେଜ୍ ନିକଟସ୍ଥ ଚିତ୍ରୋତ୍ପଳା ନଦୀରେ ମୃତଦେହ ଭାସୁଥିବା ବେଳେ ସାଲେପୁର ପୁଲିସ ଉଦ୍ଧାର କରିଛି। ମୃତଦେହକୁ ଜଗତପୁର ପୁଲିସକୁ ହସ୍ତାନ୍ତର କରାଯାଇଛି। 

ଆତ୍ମହତ୍ୟା ପଛର କାରଣ ପ୍ରେମ ପ୍ରତାରଣା ବୋଲି କୁହାଯାଉଛି। କଟକରେ ରହୁଥିବା ଜଣେ ଯୁବକଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା। କିଛି ଦିନ ହେବ ସେ ମାନସିକ ଚାପରେ ରହୁଥିଲେ। ଯୁବତୀ ଜଣଙ୍କ ନିରାଶ ହୋଇ ଆତ୍ମହତ୍ୟା ଉଦ୍ଦେଶ୍ୟରେ ନଦୀକୁ ଡେଇଁ ପଡ଼ିଥିବା କୁହାଯାଉଛି।