କୋକସରା,୩୧/୧୦: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଭୁର୍ଷାଗୁଡା ମହାଭାରତ ପଡ଼ିଆ ନିକଟରେ ଥିବା ଚିରସ୍ରୋତା ବେହେରା ନାଳ ଉପରେ ପୋଲ ନିର୍ମାଣ ପାଇଁ ଦୀର୍ଘବର୍ଷରୁ ଅଞ୍ଚଳବାସୀ ମାନେ ଦାବି କରି ଆସୁଥିଲେ। ଏହି ପୋଲ ନିର୍ମାଣ ହେଲେ ବିଜୁ ଏକ୍ସପ୍ରେସ ୱେ ରୁ ମହିମା ପଞ୍ଚାୟତ ସମେତ ବ୍ଲକ ମୁଖ୍ୟାଳୟକୁ ଗମନାଗମନ ଓ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକାରିଚଞ୍ଚରାକୁ ମଧ୍ୟ ଯାତାୟାତ ସୁଗମ ହେବ। ଏନେଇ ପୂର୍ବରୁ ଅଞ୍ଚଳବାସୀ ଦାବି ଜଣାଇଥିଲେ, ଏହାକୁ ଦୃଷ୍ଟିରେ ରଖି ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପୋଲ ନିର୍ମାଣ ପାଇଁ ବିଭାଗୀୟ ଅନୁଦାନ ସହ କାର୍ଯ୍ୟଦେଶ ମିଳିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମିତ୍ତଳ ଇଂଫ୍ରା ପ୍ରୋଜେକ୍ଟ ଠିକାସଂସ୍ଥା କୁ ପୋଲ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ଟେଣ୍ଡର ମିଳିଛି। ତେବେ ଏହି ପୋଲ ନିର୍ମାଣ କାର୍ଯ୍ୟ ଆଜିକୁ ୧ ବର୍ଷ ହେବ ଆରମ୍ଭ ହୋଇଥିବା ବେଳେ ପୋଲ ନିର୍ମାଣ ସ୍ଥଳରେ କୌଣସି ସୂଚନା ଫଳକ ନାହିଁ। ଏଣୁ କେତେ ଟଙ୍କାରେ ଏହି ପୋଲ କାର୍ଯ୍ୟ ସମ୍ପାଦନ ହେଉଛି ତାହା ମଧ୍ୟ ଲୋକେ ଜାଣି ପାରୁନାହାନ୍ତି।
ଶୁକ୍ରବାର ପୋଲ ନିର୍ମାଣ କାର୍ଯ୍ୟରେ କଂକ୍ରିଟ କାମ ହେଉଥିବା ବେଳେ ନିମ୍ମମାନର ସିମେଣ୍ଟ, ଛଡ଼, ବାଲି ବ୍ୟବହୃତ ହେଉଥିବା ଦେଖି ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ। କାର୍ଯ୍ୟସ୍ଥଳରେ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ମଧ୍ୟ କାର୍ଯ୍ୟକୁ ଠିକ ଭାବେ ତଦାରଖ କରୁନଥିବା ମଧ୍ୟ ଅଭିଯୋଗ ଆସିଛି। ଠିକାସଂସ୍ଥାକୁ ବିଭାଗୀୟ ଅଧିକାରୀ ମାନେ ଅଗ୍ରାଧିକାର ଦେଇ ଠିକାସଂସ୍ଥାକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଚେତାବନୀ ଦେଇଛନ୍ତି ଯେ, ଠିକାସଂସ୍ଥା ପୋଲ ନିର୍ମାଣ କାର୍ଯ୍ୟ ଠିକ ଭାବେ ନକରେ ତାହେଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ କରିବାକୁ ପଦକ୍ଷେନ ନିଆଯିବ। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କ ପ୍ରତିକ୍ରିୟା ନେବାରୁ କାର୍ଯ୍ୟ ନିର୍ମାଣରେ କୌଣସି ଅନିୟମିତତା ହେଉନାହିଁ, ବିଭାଗୀୟ ଇଷ୍ଟିମେଟ ଅନୁସାରେ କାର୍ଯ୍ୟ ହେଉଛି, ବିଭାଗୀୟ ଉଚ୍ଚ ଅଧିକାରୀ ମଧ୍ୟ ଆସି କାର୍ଯ୍ୟ ତଦାରଖ କରି ଯାଇଛନ୍ତି ବୋଲି କହିଛନ୍ତି।