ନୂଆଦିଲ୍ଲୀ: ଭୋପାଳରେ ପୁଣି କାରବାଇଡ ଟ୍ରାଜେଡି। ଦୀପାବଳିରେ କାରବାଇଡ ଗନ ବ୍ୟବହାର କରି ବାଣ ଫୁଟାଇବାରୁ ଭୋପାଳରେ ୬୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି। ତେବେ ସବୁଠୁ ଚିନ୍ତାର ବିଷୟ ହେଉଛି ଅସୁସ୍ଥ ହୋଇପଡିଥିବା ଲୋକଙ୍କ ମଧ୍ୟରେ ୮ରୁ ୧୪ ବର୍ଷିୟ ଅନେକ ଶିଶୁ ରହିଛନ୍ତି।
ଭୋପାଳର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ(CMHO) ମନିଷ ଶର୍ମା ଏନେଇ କହିଛନ୍ତି ଯେ, “କାରବାଇଡ ପାଇପ ଗନ ବହୁତ ବିପଦଜନକ। ଏହି ବନ୍ଧୁକର ବ୍ୟବହାର କରି ମୋଟ୍ ୬୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ସମସ୍ତେ ବର୍ତ୍ତମାନ ସୁସ୍ଥ ଅଛନ୍ତି।” ଅସୁସ୍ଥ ହୋଇଥିବା ଲୋକମାନଙ୍କ ମଧ୍ୟରୁ ପାଞ୍ଚ ଜଣ ସେବା ସଦନ ହସ୍ପିଟାଲରେ ଭର୍ତ୍ତୀ ହୋଇଥିବା ବେଳେ ଅନ୍ୟମାନେ ହାମିଦିଆ ହସ୍ପିଟାଲ, ଜେପି ହସ୍ପିଟାଲ ଓ ଏମ୍ସ ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିବା ଜଣାପଡିଛି।
ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ଅଧିକାରି କହିଛନ୍ତି ଯେ, ସମଗ୍ର ଭୋପାଲରୁ ଦୀପାବଳିରେ କାରବାଇଡ ଗନ ସହ ଜଡିତ ୧୫୦ ମାମଲା ସାମ୍ନାକୁ ଅସିଛି। ତେବେ ଏହି ଘଟଣା ସହ ଜଡିତ ଲୋକଙ୍କ ଜୀବନ ପ୍ରତି କୌଣସି ବିପଦ ନଥିବା ବେଳେ ରାସାୟନିକ ପ୍ରତିକ୍ରିୟା ଯୋଗୁଁ କେତେକ ଲୋକଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଥିବା ଜଣାପଡିଛି। ଆଉ କେତେକଙ୍କ ମୁହଁରେ ଅତ୍ୟଦିକ ପୋଡାଜଳା ହେଉଥିବା ମଧ୍ୟ ରିପୋର୍ଟ କରାଯାଇଛି।
ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ୧୨ ବର୍ଷିୟ ଶିଶୁର ଦୃଷ୍ଟି ଶକ୍ତି ଫେରାଇ ଆଣିବାକୁ ଅସ୍ତ୍ରୋପଚାର ଜାରି ରହିଛି। ସେହିଭଳି ହମିଦିଆ ଡାକ୍ତରଖାନାରେ ସମାନ ଧରଣର ଆଉ ଦଶଟି ମାମଲା ସାମ୍ନାକୁ ଆସିଛି।
ଆପଣଙ୍କୁ ଜଣାଇରଖୁ ଯେ, ଏହି କାରବାଇଡ ଗନକୁ ପ୍ଲାଷ୍ଟିକ ପାଇବ ଓ ଲାଇଟର ଦ୍ୱାରା ବନାଇଯାଇଥାଏ। ଏହି ପ୍ଲାଷ୍ଟିକ ପାଇପ ମଧ୍ୟରେ ଛୋଟ କାରବାଇଡ ଖଣ୍ଡ ପକାଇ ପାଣିର ଅଳ୍ପ ମାତ୍ରା ଦେଇ ଲାଇଟରକୁ ଦବାଇବା ଦ୍ୱାରା ଗନ ଭିତରେ ବିସ୍ପୋରଣ ହୋଇଥାଏ। ଏହା ସାଧାରଣ ବାଣ ଅପେକ୍ଷା ଶସ୍ତା ଓ ଅଧିକ ଶବ୍ଦ କରୁଥିବାରୁ ଏହାର ବହୁଳ ବ୍ୟବହାର କରାଯାଇଥାଏ। ତେବେ ଏହି ପ୍ରକ୍ରିୟା ମଧ୍ୟରେ କାରବାଇଡ ପାଣି ସହ ରାସାୟନିକ ପ୍ରତିକ୍ରିୟା କରି ଆସିଲିନ୍ ଗ୍ୟାସ୍ ସୃଷ୍ଟି କରିଥାଏ। ତେବେ ଏହି ଗ୍ୟାସ୍ ମୁହଁ ଓ ଆଖି ପାଇଁ ବେଶ୍ ସମ୍ୱେଦନଶୀଳ। ଯେଉଁଥିପାଇଁ ଅନେକ ପୀଡିତ ସାମୟିକ ଭାବେ ଦୃଷ୍ଟି ଶକ୍ତି ହରାଇଥିବା ବେଳେ କେତେକ ସ୍ଥାୟି ଭାବେ ଦୃଷ୍ଟି ଶକ୍ତି ହରାଇଛନ୍ତି।
ଡାକ୍ତଖାନାରେ ପୀଡିତମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ସୂଚନା ଦେଇ କରିଛନ୍ତି ଯେ, ପୀଡିତଙ୍କ ମଧ୍ୟରୁ ୨୦-୩୦ ପ୍ରତିଶତଙ୍କ ଆଖିରେ ଗୁରୁତର ଆଘାତ ଲାଗିଛି। କେତେକଙ୍କ କର୍ଣ୍ଣିଆ ପ୍ରତିରୋପଣ ଆବଶ୍ୟକତା ମଧ୍ୟ ରହିଛି। ଏହି ମାମଲାଗୁଡ଼ିକରେ କେବଳ ବାହ୍ୟ ଆଘାତ ଜନିତ ନୁହେଁ ବରଂ ରାସାୟନିକ ପୋଡ଼ାଜଳାକ ମଧ୍ୟ ଉଲ୍ଲେଖ ରହିଛି। ଯାହା ଆଖିର ଆଭ୍ୟନ୍ତରୀଣ ଗଠନକୁ କ୍ଷତି ପହଞ୍ଚାଇଛି, ଯେଉଁଥିପାଇଁ ସ୍ଥାୟୀ ଭାବେ ଦୃଷ୍ଟିଶକ୍ତି ହରାଇବା ମାମଲା ଚିନ୍ତା ସୃଷ୍ଟି କରିଛି।
ପୂର୍ବରୁ ଚେତାବନୀ ଦେବା ସତ୍ତ୍ୱେ କାରବାଇଡ ଗନର ବିକ୍ରୟ ରୋକିବାରେ ପ୍ରଶାସନ ବିଫଳ ହୋଇଥିବା ନେଇ ଆହତ ପିଲାମାନଙ୍କ ପରିବାର ଅଭିଯୋଗ କରିଛନ୍ତି। ଏନେଇ ସିଏମଏଚଓ ଶର୍ମା କହିଛନ୍ତି ଯେ ପ୍ରଶାସନ ନିର୍ମାତା ଏବଂ ବିକ୍ରେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛି। ଅକ୍ଟୋବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସାରା ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧିକାରୀମାନଙ୍କୁ କାର୍ବାଇଡ୍ ବନ୍ଧୁକର ବିକ୍ରୟ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଥାପି, ଏହି ନିର୍ଦ୍ଦେଶ ସତ୍ତ୍ୱେ, ବଜାରରେ ଉପକରଣଗୁଡ଼ିକ ଖୋଲାଖୋଲି ବିକ୍ରି ହେଉଥିଲା।