ନୂଆପଡା / ଭୁବନେଶ୍ୱର, ୬।୧୧ : କଂଗ୍ରେସ ପରିବାରବାଦକୁ ଛାଡି ପାରିନି । ଦୀର୍ଘ ୫୦ ବର୍ଷର ନିଜ ଶାସନ ସମୟରେ କଂଗ୍ରେସ ଦଳ ଓଡିଶାକୁ ଅବହେଳା କରିବା ସହିତ ଲୁଟି ଦେଇଛି । ଉଭୟ ବିଜେଡି - କଂଗ୍ରେସ ପାରିବାରିକ ଦଳ । କଂଗ୍ରେସ ଓ ବିଜେଡି କେବଳ ଭୋଟ ପାଇଁ ଓଡିଶାବାସୀଙ୍କୁ ବ୍ୟବହାର କରିଛି । ବର୍ତ୍ତମାନ ଉଭୟ ବିଜେଡି ଓ କଂଗ୍ରେସ ଦଳ ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇସାରିଛନ୍ତି । ‘ବିଜେପିର ଅନ୍ୟ ନାମ ବିକାଶ’ କୁ ନୂଆପଡାବାସୀ ହୃଦବୋଧ କରିସାରିଛନ୍ତି । ନୂଆପଡା ବ୍ଲକ ଅନ୍ତର୍ଗତ ପଂଚମପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଯୋଗ ଦେଇ ଏହା କହିଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିବାକୁ ସେ ଭୋଟରଙ୍କୁ ନିବେଦନ କରିଛନ୍ତି।
ବିଜେପିରେ ଲୋକତନ୍ତ୍ର, ନିୟତ, ନୀତି, ସିଦ୍ଧାନ୍ତ, ବିଚାରଧାର ରହିଛି । କଂଗ୍ରେସ ଦଳ ଭଳି ବିଜେପିରେ ପରିବାରବାଦ ନାହିଁ । ମୋ ଭଳି ଜଣେ ସାମାନ୍ୟ ଚାଷୀ ପରିବାରରୁ ଆସିଥିବା ସାଧାରଣ ଲୋକଟି ୩ ଥର ବିଧାୟକ, ୪ ଥର ସାଂସଦ, ୩ ଥର ରାଜ୍ୟ ସଭାପତି ଏବଂ ମୋଦି ସରକାରର ପ୍ରଥମ ପାଳିରେ କେନ୍ଦ୍ରମନ୍ତ୍ରୀ ହୋଇଛି ବୋଲି ଶ୍ରୀ ସାଏ କହିଛନ୍ତି ।
ଜଣେ ଗରିବ ହିଁ ଅନ୍ୟ ଜଣେ ଗରିବର ଦୁଃଖକୁ ବୁଝିଥାଏ । ସାମାନ୍ୟ ଓ ଗରିବ ପରିବାରରୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଶାସନକୁ ଆସିବା ପରେ “ମୋ ସରକାର ଗରିବଙ୍କ ପାଇଁ ସମର୍ପିତ” ବୋଲି କହିଥିଲେ । ପ୍ରଥମ ଦିନରୁ ଗରିବଙ୍କ କଲ୍ୟାଣ ଓ ଉତଥାନ ପାଇଁ ଅନେକ କଲ୍ୟାଣକାରୀ ଯୋଜନାର ସଫଳ କ୍ରିୟାନ୍ୱୟନ କରିଛନ୍ତି । ଶୌଚାଳୟ, ପକ୍କାଘର, ମାଗଣା ରାସନ, ବିଜୁଳି ଭଳି ମୌଳିକ ସମସ୍ୟାର ସମାଧାନ କରିପାରିଛନ୍ତି । ଆଦିବାସୀଙ୍କୁ ସମ୍ମାନ ଦେବା ସହିତ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ଆଦିବାସୀ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଛନ୍ତି । ଭାରତୀୟ ଜନତା ପାର୍ଟିରେ ଜୟ ଢୋଲକିଆ ଆସିଛନ୍ତି ଆପଣଙ୍କ ସେବା କରିବା ପାଇଁ । ବିଧାୟକ ହେବା ପରେ କେନ୍ଦ୍ର ଓ ରାଜ୍ୟରୁ ପଇସା ଆଣି ଜୟ ଢୋଲକିଆ ନୂଆପଡା ଏବଂ ଅଂଚଳବାସୀଙ୍କ ସାମଗ୍ରିକ ବିକାଶ କରିବେ ବୋଲି ଶ୍ରୀ ସାଏ କହିଛନ୍ତି ।
ଏହି ବିଶାଳ ବିଜୟ ସଂକଳ୍ପ ସମାବେଶରେ ପ୍ରାର୍ଥୀ ଜୟ ଢୋଲକିଆ, ସ୍ୱର୍ଗତଃ ରାଜୁ ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ସାଂସଦ ମାଳବିକା ଦେବୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସମୀର ମହାନ୍ତି, ରାୟପୁର ବିଧାୟକ ପୁରନ୍ଦର ମିଶ୍ରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।