ଖଜୁରୀପଡ଼ା,୧୮/୧୦ : ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଓ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଖଜୁରୀପଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରଥମେ ଖଜୁରୀପଡ଼ା ପଞ୍ଚାୟତର ଚାରିପଡ଼ା ଗ୍ରାମର ପଦ୍ମଶ୍ରୀ ଡ. ପୂର୍ଣ୍ଣାମାସି ଯାନୀଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

ଏହା ସହିତ ତାଙ୍କ ଗ୍ରାମର ମୌଳିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପରେ ଦଳପଡ଼ା ପଞ୍ଚାୟତର ସାକେଡି ଗ୍ରାମକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଗ୍ରାମକୁ ରାସ୍ତା ନ ଥିବାରୁ ଗାଡ଼ି ନଦୀ ପାର ହୋଇପାରି ନ ଥିଲା।  ଫଳରେ ଗାଡ଼ି ରଖି ଚାଲି ଚାଲି ଯାଇ ଗାଁରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଗମନାଗମନ ସୁବିଧା, ମୋବାଇଲ ଟାୱାର, ଆବାସ ଗୃହ, ସ୍କୁଲ ଘର, ଅଙ୍ଗନୱାଡ଼ି, ଭତ୍ତା, ଖାଦ୍ୟ ନିରାପତ୍ତା କାର୍ଡ, ପାନୀୟ ଜଳ ଯୋଗାଣ ଆଦି ବିଷୟରେ ପଚାରି ବୁଝିଥିଲେ ।

ସୂଚନା ଯୋଗ୍ୟ, ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ  ସବୁ ଦିନିଆ ରାସ୍ତା ନାହିଁ । ତେଣୁ ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରି ଆସୁଛନ୍ତି । ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉଭୟ ଅଧିକାରୀ। ଏହି ଗସ୍ତ ସମୟରେ ଖଜୁରୀପଡ଼ା ଗୋଷ୍ଠୀଉନ୍ନୟନ ଅଧିକାରୀ, ଶୁଭ ଦତ୍ତାତ୍ରେୟ ବାହିନୀପତି ଓ ସ୍ଥାନୀୟ କର୍ମଚାରୀ ଉପସ୍ଥିତ ଥିଲେ।