ଭୁବନେଶ୍ବର,୮।୧୧ : ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ରୋଡ ଶୋ’ କରିଛନ୍ତି। ନୂଆପଡାରୁ ଖରିଆଳ ରୋଡ୍ ପର୍ଯ୍ୟନ୍ତ ରୋଡ୍ ଶୋ’ କରିଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଥିଲେ। ଜୟଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ସେ ଭୋଟରଙ୍କୁ ନିବେଦନ କରିଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ରୋଡ୍ ଶୋ’ରେ ସାମିଲ ଥିଲେ। ଏଥିରେ ପ୍ରବଳ ଜନସାଧାରଣଙ୍କ ଭିଡ ଦେଖିବାକୁ ମିଳିଥିଲା।ଏଥିସହ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ଏହି ରୋଡ୍ ଶୋ’ରେ ସାମିଲ ହୋଇଥିଲେ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆପଡାର ସୁନାବେଡାରେ ଜୟଙ୍କ ପାଇଁ ପ୍ରଚାର କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ଆଦିବାସୀ ପରିବାରର, ତେଣୁ ଆଦିବାସୀଙ୍କ ଦୁଃଖକୁ ଭଲ ଭାବେ ବୁଝୁଛି ଏବଂ ଆଦିବାସୀଙ୍କ ସମସ୍ୟାର ସମାଧାନ କରିବି । ବିଜେପି ସରକାରରେ ସୁନାବେଡା ସମେତ ନୂଆପଡାର ସାମଗ୍ରିକ ବିକାଶ ହେବ । ଗତ ୧୬ ମାସରେ ୬ ଥର ନୂଆପଡାକୁ ଆସିଛି । ନୂଆପଡାକୁ ଆସି ଯାହା ପ୍ରତିଶ୍ରୁତି ଦେଇଛି, ସବୁ ପ୍ରତିଶ୍ରୁତି ପୂରଣ କରିବି । ନୂଆପଡାର ସାମଗ୍ରିକ ବିକାଶର ଦାୟୀତ୍ୱ ମୁଁ ନେଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।