ନୂଆପଡ଼ା,୨୧/୧୦: ନୂଆପଡ଼ା ବ୍ଲକ୍ ଗୋତମା ଗାଁରେ ୧୩ଟି ଗୋରୁ ପ୍ରାଣ ହରାଇଥିଲେ । ଏକକାଳୀନ ଏତେ ସଂଖ୍ୟକ ଗୋରୁ ମୃତ୍ୟୁ ପରେ ଏହାକୁ ନେଇ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଛି । ଏକ ନିର୍ବାଚନୀ ସଭାର ବଳକା ଖାଦ୍ୟ ଖାଇ ଗୋରୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ରାଜ୍ୟ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନିସର୍ତ୍ତ କ୍ଷମା ମାଗୁ ଦାବି ଉଠିଛି । ଏହାସହିତ ମୃତ ଗାଈ ମାଲିକଙ୍କୁ ପ୍ରାଥମିକ ସ୍ତରରେ ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି କଂଗ୍ରେସ ।
ସେହିପରି ଗାଈ ମୃତ୍ୟୁ ଘଟଣା ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି । ଏହି ଘଟଣା ଏକ ବଡ଼ ଲଜ୍ୟା, ଅପମାନ ବୋଲି କହିଛି କଂଗ୍ରେସ। ବିଜେପି ଗାଈକୁ ହତ୍ୟା କରିଛି l ବିଜେପି ଗୋମତା କଥା କହୁଥାଇପାରେ, ହେଲେ ରକ୍ଷା କରିପାରେ ନାହିଁ l ଏବେ ଉପନିର୍ବାଚନ ମାହୋଲ, କୋଡ୍ ଅଫ କଣ୍ଡକ୍ଟ ଲାଗିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଚୁପ୍ କାହଁକି l ଏଭଳି ଦୁଃଖଦ ଘଟଣା ପରେ ନା ମୁଖ୍ୟମନ୍ତ୍ରୀ ନା ନିର୍ବାଚନ କମିଶନ କିଛି ଆକ୍ସନ ନେଲେ ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏହି ଘଟଣା ପାଇଁ କଂଗ୍ରେସ ବିଜେପି ନେତାଙ୍କୁ ଟାର୍ଗେଟ କରିଛି । ପ୍ରତାପ ଷଡ଼ଙ୍ଗୀ ସମେତ ବଜରଙ୍ଗ ଦଳ, ଏବିଭିପି ଭଳି ସଂଗଠନ କୁଆଡେ ଗଲେ ବୋଲି କଂଗ୍ରେସ କହିଛି। ଘଟଣାର ସତ୍ୟତା ସାର୍ବଜନୀନ ନହେଲେ କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି।
ସୂଚନା ଅନୁସାରେ, ଗତ ୧୬ରେ ନୂଆପଡ଼ା ବ୍ଲକ ଗୋତମା ଏୟାରଷ୍ଟ୍ରିପଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ହୋଇଥିଲା । କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀ ଓ ସମର୍ଥକମାନେ ମଧ୍ୟାହ୍ନଭୋଜନ କରିଥିଲେ । ଅପରାହ୍ନରେ ଭୋଜି ସାରି ବଳକା ଖାଦ୍ୟକୁ ଫିଙ୍ଗି ଦେଇଥିଲେ । ଫିଙ୍ଗା ହୋଇଥିବା ଖାଦ୍ୟକୁ ଖାଇ ଗୋତମା ଗାଁର କେତେକ ଗୋରୁ ୧୭ତାରିଖ ସକାଳେ ଅସୁସ୍ଥ ହୋଇଥିଲେ। ୧୮ ତାରିଖ ସକାଳେ ଗ୍ରାମର ସୂର୍ଯ୍ୟକାନ୍ତୀ ସାହୁ, ହେମନ୍ତ ସାହୁ, ପ୍ରୀତମ କେଉଟ, ଦେବପ୍ରକାଶ ସାହୁ, ପ୍ରଦୀପ ସାହୁ, ଚନ୍ଦ୍ରଦେବ ସାହୁ, ମେଘରାଜ ସାହୁ, ରାମେଶ୍ୱର ସାହୁ, ମୋତି ରାଉତ, ଡମ୍ବରୁ ସାହୁ ପ୍ରମୁଖଙ୍କ ୧୩ଟି ଗାଈର ମୃତ୍ୟୁ ହୋଇଥିଲା। କିନ୍ତୁ ବର୍ତ୍ତମାନ ଗାଁର ୧୩ଟି ଗାଈ ପ୍ରାଣ ହରାଇଥିବାରୁ ସେମାନେ ଚିନ୍ତାରେ ପଡ଼ିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।