​​​​​​​ନୂଆଦିଲ୍ଲୀ ୧୦/୧୦: ବୁଧବାର ପାଳିତ ହୋଇଥିଲା ୩୯ତମ ଭାରତୀୟ ବାୟୁସେନା ଦିବସ । ଏ ଅବସରରେ ଭବ୍ୟ ରାତ୍ରିଭୋଜ ଆୟୋଜିତ ହୋଇଥିଲା, ଯାହାର ମେନ୍ୟୁ ଏବେ ଭାଇରାଲ ହେଉଛି । ଅପରେସନ୍‌ ସିନ୍ଦୂରରେ ପାକିସ୍ତାନର ଯେଉଁସବୁ ସ୍ଥାନକୁ ଟାର୍ଗେଟ୍‌ କରାଯାଇଥିଲା, ସେହି ସ୍ଥାନଗୁଡ଼ିକର ନାମ ଅନୁସାରେ ରାତ୍ରିଭୋଜରେ ପରସାଯାଇଥିବା ବ୍ୟଞ୍ଜନଗୁଡ଼ିକର ନାଁ ରଖାଯାଇଥିଲା ।

ରାତ୍ରିଭୋଜନରେ ରାୱଲପିଣ୍ଡି ଚିକେନ୍‌ ଟିକ୍କା ମସାଲା, ରଫିକି ରହରା ମଟନ୍‌, ଭୋଲାରୀ ପନୀର ମେଥି ମଲାଇ, ସୁକ୍କୁର ଶାମ୍‌ ସବେରା କୋଫ୍‌ତା, ସରଗୋଧା ଦାଲ ମଖନୀ, ଜକୋବାବାଦ ମେୱା ପୁଲାଓ ଏବଂ ବହାବଳପୁର ନାମରେ ବ୍ୟଞ୍ଜନସବୁ ପରାସା ଯାଇଥିଲା । ମିଠାରେ ବାଲାକୋଟ ତିରାମିସୁ, ମୁଜଫରାବାଦ କୁଲ୍‌ଫି ଓ ମୁରୀଦକେ ମିଠା ପାନ ଆଦି ସାମିଲ ଥିଲା ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ଚଳିତ ବର୍ଷ ଗତ ମେ୭ ତାରିଖ ଅପରେସନ୍‌ ସିନ୍ଦୂର ସମୟରେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ ୯ ଆତଙ୍କୀ ଠିକଣାକୁ ଟାର୍ଗେଟ୍‌ କରିଥିଲା । ଏଥିରେ ମୁରୀଦକେ ଓ ବହାବଳପୁରରେ ଲଶ୍କର-ଇ-ତୋଏବା ଓ ଜୈଶ-ଇ-ମହମ୍ମଦର ମୁଖ୍ୟାଳୟ ମଧ୍ୟ ସାମିଲ ଥିଲା । ଭାରତୀୟ ବାୟୁସେନା ପାକିସ୍ତାନର ସରଗୋଧା, ରହିମ ୟାର ଖାନ, ନୂର ଖାନ୍‌ (ଚକଲାଲା), ସୁକ୍କୁର, ଭୋଲାରୀ, ଜକୋବାବାଦ ଏୟାରବେସ୍‌କୁ ମଧ୍ୟ ଟାର୍ଗେଟ୍‌ କରିଥିଲା । ଏସବୁର ସାଟେଲାଇଟ୍‌ ଚିତ୍ର ଜାରି କରିଥିଲା, ଯେଉଁଥିରେ ଆକ୍ରମଣ ପୂର୍ବରୁ ଓ ପରର ସ୍ଥିତି ପ୍ରଦର୍ଶିତ ହୋଇଥିଲା । ବାୟୁସେନା ଦିବସରେ ଏହି ସହରଗୁଡ଼ିକ ନାଁରେ ବି ବ୍ୟଞ୍ଜନସବୁର ନାମକରଣ ହୋଇଥିଲା ।

କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଏକ୍ସ ପ୍ଲାଟ୍‌ଫର୍ମରେ ବାୟୁସେନାର ରାତ୍ରିଭୋଜନର ବ୍ୟଞ୍ଜନ ତାଲିକା ଶେୟାର କରି ଲେଖିଛନ୍ତି, ବାୟୁସେନା ଦିବସ ଅବସରରେ ଭାରତୀୟ ବାୟୁସେନା ମଜାଦାର ବ୍ୟଞ୍ଜନ ପ୍ରସ୍ତୁତ କରିଛି । ତାଲିକାରେ ସେହିସବୁ ପାକିସ୍ତାନୀ ଏୟାରବେସ୍‌ ନାଁରେ ବ୍ୟଞ୍ଜନ ଥିଲା, ଯାହା ଉପରେ ଅପରେସନ୍‌ ସିନ୍ଦୂରରେ ଟାର୍ଗେଟ୍‌ କରାଯାଇଥିଲା । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶାହବାଜ ପୁନାୱାଲା ଏକ୍ସ ପ୍ଲାଟ୍‌ଫର୍ମରେ ବାୟୁସେନାର ରାତ୍ରିଭୋଜନ ମେନ୍ୟୁ ଶେୟାର କରି ଲେଖିଛନ୍ତି- ବ୍ୟଞ୍ଜନ ପରସିବାଠୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ, ଭାରତୀୟ ବାୟୁସେନାର ମେନ୍ୟୁ ମଧ୍ୟ ନ୍ୟୁ ନର୍ମାଲ୍‌ର ବାର୍ତ୍ତା ଦେଉଛି ।