ଭୁବନେଶ୍ୱର,୨୮/୧୦: ବାତ୍ୟା ମୋନ୍‌ଥାମଙ୍ଗଳବାର ରାତି ୧୦ଟା ପାଖାପାଖି ଆନ୍ଧ୍ର ଉପକୂଳ ଛୁଇଁବ । ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) ରୂପରେ କାକିନାଡ଼ାର ସାମାନ୍ୟ ଉତ୍ତରରେ କୋନାପାପାପେଟା ନିକଟରେ କରିବ ଲ୍ୟାଣ୍ଡଫଲ୍‌ । ସେତେବେଳେ ସେଠାରେ ପବନ ବହୁଥିବ ୯୦-୧୦୦ କିଲୋମିଟର ବେଗରେ । ଲ୍ୟାଣ୍ଡ ଫଲ୍‌ ପରେ ଦ୍ରୁତ ଗତିରେ ଏହା ଦୁର୍ବଳ ହେବ ।

ବୁଧବାର ଭୋର୍‌ ସମୟରେ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାର ଦେଇ ଓଡ଼ିଶାରେ ପଶିବ ବାତ୍ୟା । ଯଦିଓ ସେତେବେଳକୁ ଏହାର ପ୍ରକୋପ ବହୁ ମାତ୍ରାରେ କମିଥିବ, ତଥାପି ୬୦ରୁ ୭୦ କିମି ବେଗରେ ପବନ ମାଡ଼ ହେବ । ମାଲ୍‌କାନଗିରି ସହର ଦେଇ ବାତ୍ୟା ସିଧା ଛତିଶଗଡ଼ ମୁହାଁ ହେବ । ବାତ୍ୟାର ଡାହାଣପଟେ ଅର୍ଥାତ୍‌, ଗଜପତି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପବନର ପ୍ରକୋପ ଅଧିକ ହୋଇପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଓଡ଼ିଶାରେ ମଙ୍ଗଳବାର ଓ ବୁଧବାର ବାତ୍ୟା ପ୍ରଭାବ ପଡ଼ିବ । ୬୦-୭୦ କିମି ପବନ ହେବ ଦକ୍ଷିଣ ଓଡ଼ିଶାରେ । ପବନର ଧକ୍କା ଅତି ବେଶିରେ ୮୦ କିମି ପର୍ଯ୍ୟନ୍ତ ଯାଇପାରେ । ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ ମୋନ୍‌ଥା । ପବନ ଅପେକ୍ଷା ଲଗାଣ ବର୍ଷା ଓ ସମ୍ଭାବ୍ୟ ଭୂସ୍ଖଳନ ସ୍ଥିତି ମୁକାବିଲା ନେଇ ବ୍ୟାପକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଶୂନ୍ୟ ଜୀବନ ହାନି ଲକ୍ଷ୍ୟ ରଖି ସବୁ ବିଭାଗ ଲାଗି ପଡ଼ିଛନ୍ତି । ରାଜସ୍ୱ ମନ୍ତ୍ରୀ ଘନଘନ ବୈଠକ ସହ ସ୍ଥିତି ଉପରେ ନଜର ରଖିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ବାତ୍ୟା ପାଇଁ ୮ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଅଧିକ ପ୍ରଭାବିତ ହେବା ଆଶଙ୍କା ଅଛି । ଏହି ୮ ଜିଲ୍ଲାରେ ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନ ସ୍କୁଲ ଛୁଟି ଘୋଷଣା କରିଛି ଗଣଶିକ୍ଷା ବିଭାଗ । ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ୨୮ ଓ ୨୯ ତାରିଖ (୨ଦିନ) ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗୋପାଳପୁର ବେଳାଭୂମିରେ ୨୦ଟି ଟ୍ରଲର ଫସି ରହିଛି । ଗୋପାଳପୁର ବେଳାଭୂମିର ସମସ୍ତ ହୋଟେଲକୁ ସଟଡାଉନ ଘୋଷଣା କରାଯାଇଛି । କୃଷି ବିଭାଗ ଅଧିକାରୀଙ୍କ ଛୁଟିକୁ ୩୧ ଯାଏଁ ବାତିଲ କରାଯାଇଛି ।

ବାତ୍ୟା ମୋନ୍‌ଥା ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟା ରୂପ ନେଇ । ସକାଳ ସାଢ଼େ ୧୧ଟାବେଳେ ଏହା କାକିନାଡ଼ାର ଦକ୍ଷିଣ-ପୂର୍ବରେ ସମୁଦ୍ର ଭିତରେ ଥିବ । ରାତି ୧୦ଟା ପାଖାପାଖି ଲ୍ୟାଣ୍ଡଫଲ୍‌ କରିବ । ରାତି ସାଢ଼େ ୧୧ଟାବେଳକୁ ବିଜୟନଗରମରୁ ଦକ୍ଷିଣରେ କୋଟାମାଲାଭାରମ ଜଳରାଶି ଉପରେ ଥିବ । ବୁଧବାର ଭୋର ସମୟରେ ମାଲକାନଗିରିର ବାଲିମେଳା ଦେଇ ଓଡ଼ିଶା ଭିତରକୁ ପଶିବ । ସେତେବେଳକୁ ବାତ୍ୟାର ତୀବ୍ରତା କମିଯାଇଥିବ । ବାଲିମେଳା, ମାଲକାନଗିରି ସହର ଭିତର ଦେଇ ଯିବ ଛତିଶଗଡ଼କୁ । ବୁଧବାର ଦିନ ୧୧ଟା୩୦ ବେଳକୁ ଥିବ ଛତିଶଗଡ଼ ସୁକମା ଉପରେ । ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁସାରେ ଲ୍ୟାଣ୍ଡଫଲ୍‌ କରିବା ପରେ କ୍ରମଶଃ ବାତ୍ୟା ଦୁର୍ବଳ ହେବାକୁ ଲାଗିବ । ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ୨୮ ତାରିଖ ସନ୍ଧ୍ୟାରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ଏହାର ପ୍ରଭାବ ବେଶି ଅନୁଭୂତ ହୋଇପାରେ । ଏସବୁ ଅଞ୍ଚଳରେ ପବନ ବେଗ ସର୍ବାଧିକ ୬୦-୭୦ କିମି ଓ ଝଟକା ୮୦ କିମି ରହିପାରେ ।

ଆଇଏମଡି ପୂର୍ବାନୁମାନ ଦେଖାଇଛି, ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ୬୦-୭୦ କିମି ପବନ ହୋଇପାରେ । ପବନ ଧକ୍କା ୮୦ କିମି ରହିବା ନେଇ ସତର୍କ କରାଯାଇଛି । କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ଖୋର୍ଦ୍ଧା, ନୟାଗଡ଼, ପୁରୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ାରେ ୫୦-୬୦ କିମି ପବନ ଓ ପବନ ଧକ୍କା ୭୦ କିମି ଛୁଇଁପାରେ । ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଛର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ୪୦-୫୦ କିମି ପବନ ହୋଇପାରେ ।

ବୁଧବାର ଅଧିକାଂଶ ସ୍ଥାନରେ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଶେଷ କରି ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିକୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ପବନ ବେଗ ୬୦-୭୦ ରହିପାରେ । ଉପକୂଳ ଅଞ୍ଚଳରେ ବି ପ୍ରବଳ ବର୍ଷା ସହ ୪୦-୫୦ କିମି ପବନ ହୋଇପାରେ । ଗୁରୁବାରଠାରୁ ପ୍ରଭାବ କମିବ । ତଥାପି ଅନେକ ସ୍ଥାନରେ ବର୍ଷା ଓ ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବାତ୍ୟା ମାଲକାନଗିରିକୁ ପଶିବା ପରେ ପଶ୍ଚିମ ଓଡ଼ିଶା ସୀମାର ସମାନ୍ତରାଳ ଭାବେ ଛତିଶଗଡ଼କୁ ଯିବ । ମଙ୍ଗଳବାର ଓ ବୁଧବାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ବୁଧବାର ଓ ଗୁରୁବାର ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହୋଇପାରେ । ଲ୍ୟାଣ୍ଡଫଲ୍‌ ପରେ ବାତ୍ୟା ଦୁର୍ବଳ ହେବା ସହ ଦକ୍ଷିଣ ଓଡ଼ିଶାରେ ୪୫ରୁ ୫୦ କିମି ପବନ ହୋଇପାରେ । ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ସହ ୨୫ରୁ ୩୫ କିମି ପବନ ବହିପାରେ । କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟା ଆନ୍ଧ୍ର ପରେ ଛତିଶଗଡ଼ ମୁହାଁ ହେବ । ଓଡ଼ିଶାର ଗଜପତି, ମାଲକାନଗିରି ଓ କୋରାପୁଟରେ ପ୍ରକୋପ ଅଧିକ ରହିବ । ଏ ଜିଲ୍ଲାଗୁଡ଼ିକରେ ପବନ ସହ ବର୍ଷା ହେବ । ଅନ୍ୟ ଜିଲ୍ଲାରେ କେବଳ ବର୍ଷା ହୋଇପାରେ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉନ୍ନୟନ କମିଶନର ଅନୁ ଗର୍ଗ, ଏସଆରସି ଦେଓ ରଞ୍ଜନ କୁମାର ସିଂ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ସ୍ଥିତି ମୁକାବିଲା ନେଇ ୮ଟି ଜିଲ୍ଲାରେ ୧୪୦ଟି ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନିଶମ ଟିମ୍‌ ମୁତୟନ ହୋଇଛନ୍ତି । ୮ ଜିଲ୍ଲାର ୧୪୪୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୨ ହଜାର ୫୨୮ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୧୪୯୬ ଆସନ୍ନ ପ୍ରସବା ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ବାତ୍ୟା ଛତିଶଗଡ଼ ମୁହାଁଇବାର ସମ୍ଭାବନା ଥିବାରୁ ସେଠାରେ ପ୍ରବଳ ବର୍ଷା ହୋଇପାରେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ହୀରାକୁଦ ନଦୀ ବନ୍ଧ ଜଳ ପରିଚାଳନାକୁ ନିୟନ୍ତ୍ରିତ କରାଯାଉଛି । ଅଗ୍ନିଶମ ଡିଜି ଶ୍ରୀ ଷଡ଼ଙ୍ଗୀଙ୍କ ସୂଚନା ଅନୁସାରେ ପବନଠାରୁ ବର୍ଷା ବଡ଼ ଆହ୍ୱାନ ହୋଇଛି । ଲଗାଣ ବର୍ଷାରେ ଗଜପତି, ରାୟଗଡ଼ା, ମାଲକାନଗିରି ଜିଲ୍ଲାରେ ଭୂସ୍ଖଳନ ଆଶଙ୍କା ଥିବାରୁ ପାହାଡ଼ ପାଦଦେଶ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।