ନୂଆଦିଲ୍ଲୀ: ରବିବାର ଦିନ ଆମେରିକାର ମିଶିଗାନର ଏକ ଚର୍ଚ୍ଚରେ ଜଣେ ଅତାତାୟୀ ଗୁଳିକାଣ୍ଡ ଘଟାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବର୍ତ୍ତମାନ କେହି ବିପଦରେ ନାହାନ୍ତି, ତେବେ ଲୋକମାନଙ୍କୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି।

ତେବେ ଚର୍ଚ୍ଚରେ ନିଆଁ ଲାଗିଯାଇଥିବାରୁ ଭିତରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ବର୍ତ୍ତମାନ କୌଣସି ସାଧାରଣ ନାଗରିକଙ୍କ ପ୍ରତି କୌଣସି ପ୍ରକାରର ବିପଦ ନାହିଁ। ହେଲେ ଆକ୍ରମଣକାରୀର ପରିଚୟ ଏପର୍ଯ୍ୟନ୍ତ ଯାଏ ପ୍ରକାଶ କରାଯାଇନାହିଁ। ତଦନ୍ତ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ତେବେ ଏହି ଘଟଣାଟି ଚର୍ଚ୍ଚର ପୂର୍ବତନ ନେତା ରସେଲ ଏମ ନେଲସନଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଘଟିଛି। ସେ ୧୦୧ ବର୍ଷର ଥିଲେ ଆଉ ଦୀର୍ଘ ଦିନରୁ ଚର୍ଚ୍ଚରେ ସଭାପତି ଦାୟିତ୍ବରେ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଚର୍ଚ୍ଚରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା। ଯେପରିକି "ମୋରମନ୍" ଶବ୍ଦର ବ୍ୟବହାର ହ୍ରାସ କରିବା ଏବଂ LGBTQ+ ଲୋକଙ୍କ ପ୍ରତି ଅଧିକ ଉଦାର ମନୋଭାବ ଦେଖାଇବା।

ଏହି ଆକ୍ରମଣ ପଛର କାରଣ କଣ ଜଣିବାକୁ ପୋଲିସ ଅନୁସନ୍ଧାନ ଜାରି ରଖିଛି।