ମୁମ୍ବାଇ ୦୪/୦୬: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ ଓ ତାଙ୍କ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍ ଖୁବ୍‌ଶୀଘ୍ର ବିବାହ କରିବେ । ରିପୋର୍ଟ ଅନୁସାରେ, ଉଭୟ ଆସନ୍ତା ଜୁଲାଇ ୫ରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିବେ । ଏ ଅବସରରେ କୌଣସି ଭବ୍ୟ ଆୟୋଜନ କିମ୍ବା ପ୍ରୀତି ଭୋଜନର ବ୍ୟବସ୍ଥା ରହିବନି । ଉଭୟ ଏକ ଛୋଟ ଆୟୋଜନ ଜରିଆରେ ସମ୍ପର୍କକୁ ଔପଚାରିକ ରୂପେ ମଞ୍ଜୁରି ଦେବେ ।

ଆମିର ୨୦୨୫ରେ ନିଜର ୬୦ତମ ଜନ୍ମଦିନରେ ଗୌରୀଙ୍କ ସହ ସମ୍ପର୍କ ବିଷୟରେ ଗଣମାଧ୍ୟମକୁ ଜଣାଇଥିଲେ । ଏହା ତାଙ୍କର ୩ୟ ବିବାହ । ୧୯୮୬ରେ ସେ ସିନେ ପ୍ରଯୋଜିକା ରୀନା ଦତ୍ତାଙ୍କୁ ବିବାହ କରିଥିଲେ । ୨୦୦୨ରେ ତାଙ୍କଠୁ ଅଲଗା ହେବା ପରେ ୨୦୦୫ରେ ନିର୍ଦ୍ଦେଶିକା କିରଣ ରାଓଙ୍କୁ ବିବାହ କରିଥିଲେ । ୨୦୨୧ରେ ଉଭୟଙ୍କର ବିଚ୍ଛେଦ ହେଲା । ରିପୋର୍ଟ ଅନୁସାରେ, ଆମିର ଓ ଗୌରୀ ଗତ ୧ ବର୍ଷ ହେଲା ଲିଭ୍ଇନ୍ ପାର୍ଟନର ଭାବେ ଏକାଠି ରହୁଛନ୍ତି । ଏବେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ଏହି ସମ୍ପର୍କକୁ ଆଗକୁ ବଢ଼ାଇବାକୁ ପରସ୍ପରକୁ ପ୍ରତିଶ୍ରୁତି ଦେବେ ।

ଆହୁରି ପଢ଼ନ୍ତୁ...'ମହାଭାରତ'ର ଗାନ୍ଧାରୀ ରେଣୁକା ଇସରାନୀ; ୫୯ ବର୍ଷ ବୟସରେ ମଧ୍ୟ ଅବିବାହିତ, ବାପା ମାଆ'ଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ଜୀବନ…

ତେବେ ଆମିରଙ୍କ ଏହି ତୃତୀୟ ବିବାହ ଖବର ତାଙ୍କର ଲଭ୍ ଲାଇଫକୁ ନେଇ ବୟାନ ଦେବା ପରେ ସାମ୍ନାକୁ ଆସିଛି। ଆମିର କହିଥିଲେ, "ସେ ବାଙ୍ଗାଲୋରରେ ରୁହନ୍ତି, ଏବଂ ମୁଁ ତାଙ୍କୁ ସେଠାକୁ ଦେଖା କରିବାକୁ ଯାଉଥିଲି। ସେ କହିଥିଲେ ଯେ ସେଠାରେ ଗଣମାଧ୍ୟମର ଅଧିକ ଧ୍ୟାନ ନାହିଁ, ତେଣୁ ସେମାନଙ୍କ ସମ୍ପର୍କ ବ୍ୟକ୍ତିଗତ ରହିଛି।" ତୃତୀୟ ବିବାହ ବିଷୟରେ ପଚରାଯିବାରୁ ସେ କହିଥିଲେ, "ମୁଁ ଦୁଇଥର ବିବାହ କରିଛି, ଏବଂ ଏବେ ୬୦ ବର୍ଷ ବୟସରେ ବିବାହ କରିବା ମୋ ପାଇଁ ଉପଯୁକ୍ତ ହେବ ନାହିଁ। ତଥାପି, ଦେଖିବା କ'ଣ ହେଉଛି।" ଏବେ, ଲାଗୁଛି କି ସେ ସମୟ ଆସିଯାଇଛି ଯେବେ ସେମାନେ ସେମାନଙ୍କର ଭାବପ୍ରବଣ ପ୍ରତିବଦ୍ଧତାକୁ ଏକ ନାମ ଦେବାକୁ ପ୍ରସ୍ତୁତ ହୋଇଛନ୍ତି।