ରାୟଗଡ଼ା, ୧୨/୯(ଆପ୍ର): ରାୟଗଡ଼ା ସହର ନିକଟରେ ଘଟିଛି ଅଘଟଣ। ରାୟଗଡା ବ୍ଲକ ବିଷ୍ଣୁଗୁଡା ଗାଁ ନିକଟ ହରିପୁର ଜଙ୍ଗଲରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ହରିପୁର ନିକଟରେ ଏକ କପା ବାଡରେ କାମ କରୁଥିବା ବେଳେ ବଜ୍ରପାତ ଘଟିବାରୁ ଏହି ଦୁଃଖଦ ଘଟଣା ଘଟିଛି।
ମିଳିଥିବା ସୂଚନା ମୁତାବକ, ରାୟଗଡ଼ା ବ୍ଲକ ପିତାମହଲ ପଞ୍ଚାୟତର ବିଷ୍ଣୁଗୁଡ଼ା ଗ୍ରାମର ସମ୍ବାରୀ ପିଡ଼ିକା(୪୫)ଙ୍କ ସମେତ ଆଉ ୫ ଜଣ ମିଶି ପାହାଡ଼ ତଳେ ଥିବା କପା ବାଡ଼ରେ ଶୁକ୍ରବାର କାମ କରୁଥିଲେ। ଏହି ସମୟର ହଠାତ୍ କଳାହାଣ୍ଡିଆ ମେଘ ମାଡି ଆସିବା ସହ ଜୋରରେ ବଜ୍ରପାତ ମାରିଥିଲା। ଅପରାହ୍ନରେ ଘଟିଥିବା ଏହି ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିମାନେ ହେଲେ ସମ୍ବାରୀ ପିଡିକା(୪୫), ଲେଖପୁଟ ଗାଁର ଏମେଲ ମିଣିଆକା, ଝୁମୁକା ଗାଁର ଗିରିଆ ମିଣିଆକା(୩୨)। ଏଥିରେ ସମ୍ବାରୀଙ୍କ ବଡ଼ ଭଉଣୀ ପାଣ୍ଡେ ପିଡ଼ିକା ଓ ହରିପୁର ଗାଁର ତୁଳସୀ ପିଡିକା ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି। ଏ ସଂପର୍କରେ ଖବର ପାଇ ଶେଷଖାଲ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏ ନେଇ ଶେଷଖାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ହୋଇଛି।
ଘଟଣାରୁ ପ୍ରକାଶ ଯେ, କପା ବାଡ଼ରେ ପାଞ୍ଚ ଜଣ ଆଜି ଅପରାହ୍ନରେ କାମ କରୁଥିଲେ। ହଠାତ୍ ବର୍ଷା ସହିତ ବଜ୍ରପାତ ହେବା ଯୋଗୁଁ ସେମାନେ ଆଉ କୁଆଡ଼େ ଯାଇପାରିନଥିଲେ। ଆଉ ବଜ୍ରାଘାତରେ ଘଟଣାସ୍ଥଳରେ ତିନି ଜଣ ଟଳି ପଡ଼ିଥିଲେ। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଘଟଣା ପାଇଁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।