ନୂଆଦିଲ୍ଲୀ,୦୯/୧୧; ଧୂଆଁଧୂଆଁ ହୋଇଛି ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ । ନିଶ୍ୱାସ ନେବା କଷ୍ଟକର । ବିଷାକ୍ତ ବାୟୁ ବଳୟରେ ଛଟପଟ ରାଜଧାନୀବାସୀ । ସାଂଘାତିକ ରୂପ ନେଇଛି ବାୟୁ ପ୍ରଦୂଷଣ । ୨୩ଟି ସ୍ଥାନରେ ୪୦୦ ଟପିଛି ଏକ୍ୟୁଆଇ । ଦିଲ୍ଲୀ ରେଡ୍ ଜୋନ୍ରେ ରହିଛି । ଗ୍ରାଫ-୩ କିପରି ଲାଗୁ ନ ହେବ । ପ୍ରଦୂଷଣ ନିୟନ୍ତ୍ରଣକୁ ଆସିବ ସେ ନେଇ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।
ଗୋଟିଏ ପଟେ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ପ୍ରଦୂଷଣ ମଧ୍ୟ ବଢି ବଢି ଚାଲିଛି । ଦିଲ୍ଲୀ-ଏନସିଆରରେ ଲୋକମାନେ ଥଣ୍ଡା ଅନୁଭବ କରିବା ଆରମ୍ଭ କରିଛନ୍ତି । ପାଣିପାଗ ବିଭାଗ ଅନୁସାରେ ଆଗାମୀ ଦିନରେ ଦିଲ୍ଲୀ-ଏନସିଆରରେ ତାପମାତ୍ରା ଆହୁରି ହ୍ରାସ ପାଇବ । ଅନ୍ୟପକ୍ଷରେ, ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ତଥ୍ୟ ଅନୁଯାୟୀ, ରବିବାର ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା 'ଗମ୍ଭୀର' ବର୍ଗରେ ପହଞ୍ଚିଛି । ଯେଉଁଠାରେ ସକାଳ ୭ଟାରେ AQI ୩୨୯ ରେକର୍ଡ କରାଯାଇଥିଲା । ଏହା ବ୍ୟତୀତ, ନୋଏଡାର ୩୯୧ ରେକର୍ଡ କରାଯାଇଥିଲା ଯେତେବେଳେ ଗାଜିଆବାଦର ୩୮୭ ରେକର୍ଡ ହୋଇଛି । ଆନନ୍ଦ ବିହାରରେ ୪୧୨, ଅଲିପୁରରେ ୪୧୫, ଅଶୋକ ବିହାରରେ ୪୧୬ ଏବଂ ବାୱାନାରେ ସର୍ବାଧିକ ୪୩୬ ରେକର୍ଡ କରାଯାଇଛି । ଚାନ୍ଦନୀ ଚୌକରେ ଏକ୍ୟୁଆଇ ୪୦୯ ରେକର୍ଡ କରାଯାଇଛି । ଯାହା ବିପଦପୂର୍ଣ୍ଣ ବାୟୁ ଗୁଣବତ୍ତାକୁ ସୂଚିତ କରୁଛି ।
ଦିଲ୍ଲୀରେ ଗ୍ରାପ-୨ ଲାଗୁ- ନୂଆ ଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC)ବାୟୁ ଗୁଣବତ୍ତା ହ୍ରାସ ପାଇବାରୁ GRAP-2 କାର୍ଯ୍ୟକାରୀ ହେବା ପରେ ଜାତୀୟ ରାଜଧାନୀରେ ପାର୍କିଂ ଫି ଦ୍ୱିଗୁଣିତ କରିବାକୁ ଘୋଷଣା କରିଛି। ସିପିସିବି ଅନୁଯାୟୀ, ୦ ରୁ ୫୦ ମଧ୍ୟରେ ଏକ୍ୟୁଆଇ 'ଭଲ', ୫୧-୧୦୦ 'ସନ୍ତୋଷଜନକ', ୧୦୧-୨୦୦ 'ମଧ୍ୟମ', ୨୦୧-୩୦୦ 'ଖରାପ', ୩୦୧-୪୦୦ 'ଅତ୍ୟନ୍ତ ଖରାପ' ଏବଂ ୪୦୧-୫୦୦ 'ଗମ୍ଭୀର' ବୋଲି ବିବେଚନା କରାଯାଏ ।