ବାଲିକୁଦା,୨୮/୧୦ : ଜାଗା ବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ। ଗୋଟିଏ ପରିବାରଙ୍କୁ ଅନ୍ୟ ପରିବାର କାମୁଡ଼ି ଅତି ନୃଶଂସ ଭାବେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଏଭଳି ଘଟଣା ବନ୍ଦର ସାମୁଦ୍ରିକ ଥାନା ଅଧୀନ ମରିଚପୁର ଗାଁରେ ଘଟିଛି । ଆହତମାନେ ହେଲେ ପ୍ରତାପ ବେହେରା, ମୁରଲୀଧର ବେହେରା, ଲକ୍ଷ୍ମୀଧର ବେହେରା ଓ ସୁଦର୍ଶନ ବେହେରା। ଆହତମାନଙ୍କ କହିବାନୁସାରେ ସେମାନଙ୍କର ଏକ କୋଠ ଜାଗା ରହିଛି । ଯେଉଁଥିରେ ୮ ପରିବାର ଅଂଶୀଦାର ଅଛନ୍ତି। ଏଥିରେ ଏକ ତରଫା ଭାବେ ବାଉରୀବନ୍ଧୁ ବେହେରାଙ୍କ ପରିବାର ଚଳି ଆସିବା ସହିତ ଅନ୍ୟମାନଙ୍କୁ ଚଳିବାରେ ହଇରାଣ ହରକତ କରି ଆସିଥାନ୍ତି। ଆଜି ସେହି କୋଠ ଜାଗାକୁ ନେଇ ବଚସା ହେବାରୁ ବ୍ରଜବନ୍ଧୁଙ୍କ ପରିବାର ହଠାତ୍ ଉକ୍ତ ୪ ଜଣଙ୍କ ଉପରକୁ ଝାମ୍ପ ମାରି କାମୁଡି ବିଦାରି ପକାଇଥିଲେ। ଏଥିରେ ଆହତମାନଙ୍କର ମୁହଁ, ପାଟି, ଓଠ ଓ ପିଠି ସମେତ ଶରୀର ଅନ୍ୟାନ୍ୟ ଅଂଶରେ ଗୁରୁତର ହୋଇଛି।