ଭୁବନେଶ୍ୱର ୧୪/୧୦: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଜଣେ ଅଭିଯୁକ୍ତକୁ ଧରି ଦୁର୍ଗାପୁର ଜଙ୍ଗଲରେ ସିନ୍ ରିକ୍ରିଏଟ୍ କଲା ପୁଲିସ। ଡିସିପି ଓ ତଦନ୍ତକାରୀ ଅଧିକାରୀ ଉପସ୍ଥିତ। ସେପଟେ ସନ୍ଦେହଜନକ ଆଚରଣ ପାଇଁ ପୁରୁଷ ବନ୍ଧୁ ଅଟକ ରଖିଛି ପୁଲିସ।
ବର୍ତ୍ତମାନ ଯାଏ ପୁଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୋମବାର ୨ଜଣ ଅଭିଯୁକ୍ତ ଶେଖ୍ ସଫିକୁଲ ଓ ଶେଖ୍ ନାସିରୁଦ୍ଦିନଙ୍କୁ ଗିରଫ କରିଥିଲା । ଗିରଫ ପରେ ସେମାନଙ୍କୁ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଅଦାଲତ ସେମାନଙ୍କୁ ୧୦ ଦିନିଆ ପୁଲିସ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଆଜି ଅର୍ଥାତ୍ ମଙ୍ଗଳବାର ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଦୁର୍ଗାପୁରର ପରାନଗଞ୍ଜ ଜଙ୍ଗଲକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଥିବା ସୂଚନା ମିଳିଛି।
୩ଜଣ ଅଭିଯୁକ୍ତ ତଥା ଅପୁ ବାଉରି, ଫିର୍ଦୋସ ଶେଖ୍ ଓ ଶେଖ୍ ରିଆଜୁଦ୍ଦିନଙ୍କୁ ଗିରଫ କରାଯାଇଥିଲା । ସେମାନେ ଏବେ ପୁଲିସ୍ ରିମାଣ୍ଡରେ ଅଛନ୍ତି । ଏହି ୩ ଅଭିଯୁକ୍ତ ଛାତ୍ରୀଙ୍କୁ ରାସ୍ତାରୁ ଉଠାଇ ନେଇ ଯାଇଥିଲେ । ପରେ ସେମାନଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ସାମିଲ ହୋଇଥିଲେ । ସମସ୍ତେ ସମ୍ପୃକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ । ପୀଡିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା । ସେହିଭଳି ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ରବିବାର ଠାରୁ ଅଟକ ରଖାଯାଇଛି । ତାଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରାଉଚୁରା କରାଯାଉଛି । ଘଟଣା ଦିନ ତାଙ୍କ କାର୍ଯ୍ୟକଳାପ ଉପରେ ପୁଲିସ ସନ୍ଦେହ କରି ତାଙ୍କୁ ଅଟକ ରଖିଛି ।
ପୀଡ଼ିତାଙ୍କ ପିତା ମଧ୍ୟ ପୁରୁଷ ବନ୍ଧୁଙ୍କ ବିରୋଧରେ ପୃଥକ ପୃଥକ ଏତଲା ଦେଇଛନ୍ତି । ସେ କିଭଳି ପୀଡିତାଙ୍କୁ ରାତିରେ ଅଭିଯୁକ୍ତଙ୍କ ପାଖରେ ଛାଡି ପଳାଇ ଆସିଲେ, ଅନ୍ୟ ଛାତ୍ରଛାତ୍ରୀ କିମ୍ବା କଲେଜ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି । ଆଉ କିଛି ଲୋକ ହୁଏତ ଏଥିରେ ସମ୍ପୃକ୍ତ ଥାଇପାରନ୍ତି କିମ୍ବା ଘଟଣା ସମ୍ପର୍କରେ ଜାଣିଥାଇପାରନ୍ତି । ଏ ଦିଗରେ ଅଧିକ ତଦନ୍ତ କରାଯାଉଛି । ପୀଡିତା ଛାତ୍ରୀ ଜଣକ ବର୍ତ୍ତମାନ ଦୁର୍ଗାପୁରର ଏକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି ।
ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ୨୩ ବର୍ଷୀୟା ପୀଡିତା ଏମ୍ବିବିଏସ୍ ଦ୍ୱିତୀୟ ବର୍ଷରେ ପଢ଼ୁଛନ୍ତି । ଗତ ୧୦ ତାରିଖ ରାତିରେ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମେଡିକାଲ କଲେଜ କ୍ୟାମ୍ପସ ବାହାରକୁ ଖାଇବାକୁ ଯାଇଥିଲେ । ସେଠାରୁ ରାତି ପ୍ରାୟ ୧୦ଟା ବେଳେ ଫେରୁଥିବା ବେଳେ ୩ ଜଣ ଯୁବକ ପୀଡିତାଙ୍କୁ ରାସ୍ତାରୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ପରେ ସେମାନଙ୍କ ସହ ଆଉ ଦୁଇଜଣ ସାମିଲ ହୋଇଥିଲେ । ଅଭିଯୁକ୍ତମାନେ ପୀଡ଼ିତାଙ୍କ ମୋବାଇଲ ଫୋନ୍ ମଧ୍ୟ ନେଇଯାଇଥିଲେ । ପୁଲିସ ଅଭିଯୁକ୍ତଙ୍କ ଠାରୁ ମୋବାଇଲ ଜବତ କରିଛି ।