କୋଲକାତା,୨୫/୧୦: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମମାମଲାରେ ଶୁକ୍ରବାର ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଟିଆଇ ପରେଡ୍‌ କରାଯାଇଛି। ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ଜେଲ୍‌ରୁ ୫ ଅଭିଯୁକ୍ତଙ୍କୁ କୋର୍ଟକୁ ଆଣିଥିଲା । ସେଠାରେ ପୀଡିତା ତାଙ୍କ ମା’ଙ୍କ ସହିତ ପହଞ୍ଚି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ । ଘଟଣା ଦିନ କେଉଁ ଅଭିଯୁକ୍ତର ଭୂମିକା କଣ ଥିଲା ତାହା ସେ ସେଠାରେ ଉପସ୍ଥିତ ପୁଲିସ ଓ ବିଚାର ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ଯାହାର ଭିଡିଓ ରେକର୍ଡିଂ କରାଯାଇଛି । ପରେ ମାଜିଷ୍ଟ୍ରେଟଙ୍କ ପାଖରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି ।

ଆସନସୋଲ-ଦୁର୍ଗାପୁର ପୁଲିସ କମିଶନରେଟ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଷଷ୍ଠ ଅଭିଯୁକ୍ତ ପୀଡିତାଙ୍କ ପୁରୁଷ ବନ୍ଧୁ ହୋଇଥିବାରୁ ତାଙ୍କୁ ଟିଆଇ ପରେଡକୁ ଅଣାଯାଇନଥିଲା । ଟିଆଇ ପରେଡ ପୂର୍ବାହ୍ନରେ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ରେ ଶେଷ ହୋଇଥିଲା । ଟିଆଇ ପରେଡ ବେଳେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରାଜୀବ ସରକାର ଓ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ । କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ କରାଯିବା ବେଳେ ଏହାକୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଉପସ୍ଥାପନ କରାଯିବ ।

ସୂଚନାଯୋଗ୍ୟ ଯେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ପୀଡିତା ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପଢ଼ୁଛନ୍ତି । ଗତ ୧୦ ତାରିଖ ରାତିରେ ସେ ତାଙ୍କର ପୁରୁଷ ବନ୍ଧୁଙ୍କ ସହ ରାତ୍ରି ଭୋଜନ ଲାଗି ଯାଇ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ ।