ନୂଆଦିଲ୍ଲୀ: ଫିନଲ୍ୟାଣ୍ଡ ରାଷ୍ଟ୍ରପତି ଆଲେକ୍ସାଣ୍ଡର ଷ୍ଟବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ସହ ବାଣିଜ୍ୟ ବିବାଦ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ନୀତି ପାଶ୍ଚାତ୍ୟ ଦେଶମାନଙ୍କୁ ବିଶ୍ୱ ଦକ୍ଷିଣ (ଗ୍ଲୋବାଲ ସାଉଥ) ଦେଶମାନଙ୍କ ଠାରୁ ଦୂରେଇ ଦେଇପାରେ। ଚୀନରେ ଅନୁଷ୍ଠିତ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକକୁ ଦର୍ଶାଇ ଷ୍ଟବ ଉଲ୍ଲେଖ କରିଛନ୍ତି ଯେ ଏହା ଏସସିଓର ପାଶ୍ଚାତ୍ୟ ଐକ୍ୟକୁ ଦୁର୍ବଳ କରିବାରେ ସକ୍ରିୟ ଭୂମିକାକୁ ସୂଚାଇଛି।

ଟ୍ରମ୍ପ ଭାରତର ରୁଷିଆରୁ ଅଶୋଧିତ ତୈଳ କିଣା ଜାରି ରଖିବା ନେଇ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଯାହା ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଉତ୍ତେଜନାକୁ ବୃଦ୍ଧି କରିଛି। ଭାରତର ତୈଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ରୁଷିଆ ସହ ଭାରତର ସମସ୍ତ ବ୍ୟବସାୟ ସ୍ୱଚ୍ଛ ଏବଂ ବୈଧ। ଏସସିଓ ଶିଖର ସମ୍ମିଳନୀରେ ମୋଦୀ ରୁଷିଆକୁ ସ୍ୱତନ୍ତ୍ର ସାଙ୍ଗ ବୋଲି ଅଭିହିତ କରି ସି ଜିଙ୍ଗ ପିଙ୍ଗଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଯେଉଁଥିରେ ବିଶ୍ୱ ସମ୍ପର୍କକୁ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ସହଭାଗୀତା ଭାବେ ଗଢ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଷ୍ଟବଙ୍କ ମତରେ, ଏସସିଓ ସମ୍ମିଳନି ଦକ୍ଷିଣ ଏସିୟ ଦେଶମାନଙ୍କ ପାଇଁ ଏକ ଶକ୍ତିଶାଳୀ ମେଣ୍ଟ ହେବାରେ ଲାଗିଛି। ଯାହା ପାଶ୍ଚାତ୍ୟ ପ୍ରଭାବକୁ ପ୍ରତିହତ କରୁଛି। ସେ ଚେତାବନୀ ଦେଇଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ନୀତି ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି କରିପାରେ ଏବଂ ପାଶ୍ଚାତ୍ୟ ଦେଶମାନଙ୍କୁ ଅଧିକ ବିଚ୍ଛିନ୍ନ କରିପାରେ।

ଏଣୁ ସେ ସମଗ୍ର ୟୁରୋପକୁ ଏ ଦିଗରେ ନଜର ଦେବାକୁ ଅନୁରୋଧ କରିଛନ୍ତି। ଫିନଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ଏଭଳି ବୟାନ ବିଶ୍ୱ ଦରବାରରେ ଭାରତର ଶକ୍ତିଶାଳି ଚେହେରାକୁ ସମସ୍ତଙ୍କ ସାମ୍ନାରେ ରଖିଛି।