ନୂଆଦିଲ୍ଲୀ: ଅଶାନ୍ତ ପାକିସ୍ତାନ। ଗତ ଶୁକ୍ରବାରଠୁ ପୋଲିସ ଓ ଇସଲାମିକ ଗୋଷ୍ଠି ତେହରିକ-ଆଇ-ଲବ୍ବାକ(ଟିଏଲପି) ମଧ୍ୟରେ ଜାରି ରହିଥିବା ସଂଘର୍ଷ ଶନିବାର ମଧ୍ୟ ଜାରି ରହିଛି। ପାଲେଷ୍ଟାଇନକୁ ସମର୍ଥନ କରି ଆରମ୍ଭ ହୋଇଥିବା ଏହି ରାଲିକୁ ରାଜଧାନୀ ଇସଲାମାବାଦକୁ ପହଞ୍ଚାଇ ନଦେବାକୁ ପୁଲିସ ଓ ସେନା ଟିଏଲପି ସମର୍ଥକଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଟିଏଲପି ପଞ୍ଜାବ ପୋଲିସକୁ ଇସ୍ରାଏଲର ଗୁଣ୍ଡା କହିବା ସହ ବିନା ସୂଚନାରେ ଗୁଳି ଚଳାଇବା ଯୋଗୁ ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ହେବା ସହ ୫୦ରୁ ଅଧିକ ଜଣ ଆହତ ହୋଇଥିବା ନେଇ ସୂଚନା ପ୍ରଦାନ କରିଛି।

ଦକ୍ଷୀଣପନ୍ଥି ଟିଏଲପି ଗୋଷ୍ଠୀର ଜଣେ ନେତା ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଆଜି ସଖାଳୁ ଏଯାଏ ପୋଲିସ ଗୁଳିରେ ଆମର ୧୧ ଜଣ ସମର୍ଥକଙ୍କ ମୃତ୍ୟୁ ଘଟିଲାଣି। ପୋଲିସ ବିନା ସୂଚନାରେ ଗୁଳିଚାଳନା ଜାରି ରଖିଛି।

ସୂଚନା ମୁତାବକ, ଗୁରୁବାର ଇସ୍ରାଏଲ ଦ୍ୱାରା ଗାଜାରେ ହୋଇଥିବା ନରସଂହାର ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଶନିବାର ଦିନ ତୀବ୍ରତର ହୋଇଥିଲାପୋଲିସ ଏହି ପ୍ରତିବାଦକୁ ରୋକିବାକୁ ବିଭିନ୍ନ ସ୍ଥାନରେ ଲୁହ ବୁହା ଗ୍ୟାସ୍ ମାଡ଼ କରିଥିଲା ​​ଏବଂ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏହାର ଜବାବରେ ପ୍ରତିବାଦକାରୀମାନେ ପୋଲିସ ଉପରେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ, ଯେଉଁଥିରେ ଏକାଧିକ ପୋଲିସ ମଧ୍ୟ ଆହତ ହୋଇଥିବା ନେଇ ସ୍ଥାନିୟ ଗଣମାଧ୍ୟମ ଦି ଡନ ରିପୋର୍ଟ ପ୍ରକାଶ କରିଛି।

ଲାହୋରର ଆଜାଦୀ ଚୌକ ନିକଟରେ ଏହି ସଂଘର୍ଷ ଭୟଙ୍କର ରୂପ ନେଇଥିଲା ଯେଉଁଠାରେ ଆନ୍ଦୋଳନକାରିମାନେ ଅନେକ ପୋଲିସ ଗାଡ଼ି ପୋଡ଼ି ଦେଇଥିଲେ। ଯେଉଁଥିରେ ଏକାଧିକ ପୋଲିସ ଅଧିକାରୀ ଆହତ ହୋଇଥିଲେ।

ସଂଗଠନର ମୁଖ୍ୟ ସାଦ ରିଜଭିଙ୍କ ନେତୃତ୍ୱରେ ହଜାର ହଜାର ଟିଏଲପି ପ୍ରଦର୍ଶନକାରୀ ଇସଲାମାବାଦସ୍ଥିତ ଆମେରିକୀୟ ଦୂତାବାସ ଆଡକୁ ଅଗ୍ରସର ହୋଇଥିଲେ। ତେବେ ଏହି ହିଂସାତ୍ମକ ପ୍ରଦର୍ଶନ ରୋକିବା ପାଇଁ ପୋଲିସ ବ୍ୟାରିକେଡ୍ ନିର୍ମାଣ କରିବା ସହ ଇସଲାମାବାଦ ରାସ୍ତାରେ ସିପିଂ କଣ୍ଟେନର ରଖିଥିଲା। ତେବେ ଆପଣଙ୍କୁ ଜଣାଇରଖୁ ଯେ, ଲାହୋର ଇସଲାମାବାଦରୁ ପ୍ରାୟ ୩୭୦ କିଲୋମିଟର ଦୂରରେ ଅବସ୍ଥିତ।

ଆମେରିକା ଦୂତାବାସ ମଧ୍ୟ ନିଜ ନାଗରିକମାନଙ୍କ ପାଇଁ ବଡ଼ ସମାବେଶକୁ ଏଡ଼ାଇବାକୁ ଏବଂ ସେମାନଙ୍କ ପାରିପାର୍ଶ୍ବିକ ଅବସ୍ଥା ପ୍ରତି ସଚେତନ ରହିବାକୁ ପରାମର୍ଶ ଜାରି କରିଛି।

ଏହି ପ୍ରତିବାଦ ଏବଂ ହିଂସା ଇସଲାମାବାଦ ଏବଂ ରାୱଲପିଣ୍ଡିକୁ ଦ୍ୱିତୀୟ ଦିନ ପାଇଁ ସାଧାରଣ ଜୀବନଯାତ୍ରାକୁ ଅଚଳ କରିଦେଇଥିଲା କାରଣ ବର୍ତ୍ତମାନ ଦୁଇଟି ସହର ଏକ ଦୁର୍ଗରେ ପରିଣତ ହୋଇଛି। ସେନା ପକ୍ଷରୁ ପ୍ରମୁଖ ରାସ୍ତାଗୁଡ଼ିକୁ ସିଲ୍ କରାଯିବା ସହ ବ୍ୟବସାୟ ଏବଂ ସ୍କୁଲଗୁଡ଼ିକୁ ବନ୍ଦ କରାଯାଇଛି ଏବଂ ଅନିର୍ଦ୍ଧିଷ୍ଟ କାଳ ଯାଏ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖାଯାଇଛି।