ନୂଆଦିଲ୍ଲୀ, ୨୨/୯ : ଡ୍ରୋନ୍ କମାଣ୍ଡୋ ତିଆରି କରୁଛି ଭାରତୀୟ ସେନା। ଟ୍ରେନିଂ ସେଣ୍ଟର ଖୋଲିଛି ବିଏସଏଫ୍। ପ୍ରଶିକ୍ଷଣ ନେଉଛନ୍ତି ପ୍ରଥମ ବ୍ୟାଚ୍। ମାତ୍ର ୫ ସପ୍ତାହର ସମୟ। ଆଉ ତାପରେ ବାହାରିବେ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ୪୭ ଡ୍ରୋନ୍ କମାଣ୍ଡୋ। ଅପରେଶନ ସିନ୍ଦୂର ପରେ ବିଏସଏଫ୍ର ବଡ଼ ପ୍ଲାନ୍। ଶତ୍ରୁଙ୍କୁ ମିଳିବ ଉଚିତ୍ ଶିକ୍ଷା।
ଋଷ-ୟୁକ୍ରେନ ଯୁଦ୍ଧରୁ ମିଳିଛି ବଡ଼ ଶିକ୍ଷା। ରଣନୀତି ବଦଳାଇଛି ଭାରତ। ଏବେ ଟ୍ୟାଙ୍କର ଓ ବନ୍ଧୁକରେ ସୀମିତ ନାହିଁ ଯୁଦ୍ଧ। ଯୁଦ୍ଧର ସର୍ତ୍ତାବଳୀକୁ ବଦଳାଉଛି ଶସ୍ତା ଡ୍ରୋନ୍। ରିମୋଟ୍ କଣ୍ଟ୍ରୋଲ୍ରେ ଚାଲିଛି ସବୁ ଖେଳ। ଏହି ପରିବର୍ତ୍ତିତ ଯୁଦ୍ଧ ପୃଷ୍ଠଭୂମିରେ ଡ୍ରୋନ୍ କ୍ଷମତା ବଢାଉଛି ଭାରତ। ଡ୍ରୋନ୍ ଓ କାଉଣ୍ଟର-ଡ୍ରୋନ୍ ବ୍ୟବସ୍ଥାକୁ ଦ୍ରୁତ ଗତିରେ ବଢ଼ାଉଛି ସେନା । ମଧ୍ୟପ୍ରଦେଶର ଟେକନପୁରରେ ବିଏସଏଫର ଟ୍ରେନିଂ ଇନଷ୍ଟିଚ୍ୟୁଟ୍ରେ ଆରମ୍ଭ ହୋଇଛି ଡ୍ରୋନ୍ ୱାରଫେୟାର ସ୍କୁଲ। ଏହି ସ୍କୁଲରେ ଯବାନଙ୍କୁ ଡ୍ରୋନ୍ ଉଡାଇବା, ନଜର ରଖିବା, ଆକ୍ରମଣ କରିବା ଓ ଶତ୍ରୁ ଯୋଜନା ପଣ୍ଡ କରିବାକୁ ଟ୍ରେନିଂ ଦିଆଯାଉଛି। ପ୍ରଥମ ବ୍ୟାଚ୍ରେ ୪୭ ଜଣ କମାଣ୍ଡୋ ଟ୍ରେନିଂ ନେଉଛନ୍ତି। ଖୁବ୍ଶୀଘ୍ର ଦ୍ଵିତୀୟ ବ୍ୟାଚ୍ରେ ୫୦୦ ଜଣଙ୍କୁ ଟ୍ରେନିଂ ଦିଆଯିବ।
ଆଇଆଇଟି ଦିଲ୍ଲୀ ଓ କାନପୁର ସହ ମିଶି ବିଏସଏଫ୍ ଡ୍ରୋନ୍ ତିଆରି କରୁଛି। ଏହି ସବୁ ଡ୍ରୋନ୍ରେ ହତିଆର, ବମ୍ ଓ ହାଇ-ରିଜୋଲ୍ୟୁସନ କ୍ୟାମେରା ଖଞ୍ଜାଯିବ। ଏବେ ଇନସାସ୍ ରାଇଫଲ୍ ଭଳି ପ୍ରତ୍ୟେକ ସୈନିକଙ୍କ ହାତରେ ଡ୍ରୋନ୍ ଶୋଭା ପାଇବ। ଏହାଛଡ଼ା ଏମପିର ଟେକନପୁରରେ ଏକ ପୁଲିସ ଟେକ୍ନୋଲଜି ଇନୋଭେସନ ସେଣ୍ଟର ମଧ୍ୟ ରହିଛି । ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗ ମଧ୍ୟ ସ୍ଥାପନା କରାଯାଇଛି। ଏହି ସ୍ଥାନ AI ନିରୀକ୍ଷଣରେ ରହିଥିବା ବେଳେ ୪୮ଟି କ୍ଷେତ୍ରରେ ଗବେଷଣା ଏବଂ ବିକାଶ କାର୍ଯ୍ୟ ଚାଲିଛି।
ଆଧୁନିକ ଯୁଗରେ ଯୁଦ୍ଧର ପରିଭାଷା ବଦଳୁଛି। ମହଙ୍ଗା ମିସାଇଲ୍ ଉପରେ ଶସ୍ତା ଡ୍ରୋନ୍ ଭାରି ପଡ଼ୁଛି। ଏହା ଅଧିକ ଦ୍ରୁତ ଓ ପ୍ରଭାବୀ ହେଉଛି। ଏହାକୁ ଲକ୍ଷ୍ୟରେ ରଖି ଭାରତ ଆଗକୁ ବଢ଼ିଛି। ଚଳିତବର୍ଷ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଏହାର ବ୍ୟବହାର ବୃଦ୍ଧି ପାଇଛି । ଭାରତ ପାଖରେ ଏବେ ହାର୍ପି, ହିରନ୍ ଏବଂ ରୁସ୍ତମ୍ ଭଳି କେତେକ ଶକ୍ତିଶାଳୀ ଡ୍ରୋନ୍ ରହିଛି ।