ଭୁବନେଶ୍ୱର,୧୮/୯: ଖୁବ୍‌ଶୀଘ୍ର ଆଞ୍ଚଳିକ ବିମାନ ସେବାରେ ଯୋଡ଼ି ହେବ ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନିର୍ମିତ ଏହି ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର କାମ ଜୋର୍‌ସୋରରେ ଚାଲିଛି । ଟର୍ମିନାଲ କାମ ପ୍ରାୟତଃ ସରିଗଲାଣି । ଆସନ୍ତା ଡିସେମ୍ବର କିମ୍ବା ଜାନୁଆରୀ ସୁଦ୍ଧା ସେଠାରୁ ବିମାନ ଉଡ଼ିପାରେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବାଦ୍‌ ଓଡ଼ିଶାରେ ଝାରସୁଗୁଡ଼ା, ରାଉରକେଲା, ଉତ୍କେଳା ଓ ଜୟପୁର ଏୟାରଷ୍ଟ୍ରିପ୍‌ରୁ ବିମାନ ଉଡୁଛି। ଏହି ତାଲିକାରେ ଏବେ ରଙ୍ଗେଇଲୁଣ୍ଡା ଯୋଡ଼ି ହେବ। 

ଭୁବନେଶ୍ୱରରୁ ଦୁବାଇକୁ ସପ୍ତାହରେ ୩ଦିନ ବିମାନ ଉଡ଼ାଣ ହେଉଛି । ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଅକ୍ଟୋବର ୨୮ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶୀତ ସମୟକୁ ବାଦ୍‌ ଦେଲେ ଅନ୍ୟ ଦିନରେ ଯାତ୍ରୀଙ୍କ ଯା’ଆସ ସାଧାରଣତଃ କମ୍‌ ଥାଏ । ଗତ ଏପ୍ରିଲ ପହିଲାରୁ ଏଯାବତ୍‌ ଦୁବାଇ ବିମାନ ସେବାର ଯାତ୍ରୀଙ୍କ ସଂଖ୍ୟା ସ୍ୱାଭାବିକ କମିଛି କିନ୍ତୁ ବିମାନ ଉଡ଼ାଣ ବନ୍ଦ ହେବନି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ଗତବର୍ଷ ୪୮ ଲକ୍ଷ ୩୦ ହଜାର ଯାତ୍ରୀଙ୍କ ଯା’ଆସ ହୋଇଥିଲା । ସାରା ଭାରତରେ ଏହି ବିମାନବନ୍ଦରର ସ୍ଥାନ ୧୩ ତମ ସର୍ବାଧିକ । ପୂର୍ବାଞ୍ଚଳରେ କୋଲକାତାକୁ ବାଦ୍‌ ଦେଲେ, ଭୁବନେଶ୍ୱର, ତାଲିକାର ଦ୍ୱିତୀୟରେ ଅଛି । ଚଳିତବର୍ଷ ୫୦ ଲକ୍ଷ ଯାତ୍ରୀ ଟାର୍ଗେଟ ରଖାଯାଇଛି । ଗତବର୍ଷ ୧୦୦ କୋଟି କାରବାର କରିଥିଲା ବିମାନବନ୍ଦର । ଚଳିତଥର ୧୪୭ କୋଟି ଟଙ୍କା କାରବାର ହୋଇପାରେ ବୋଲି ଆଶା ରଖିଛୁ । ସୂଚନାଯୋଗ୍ୟ, ଆବୁଧାବି, ସିଙ୍ଗାପୁର, ବ୍ୟାଙ୍କକ ଭଳି ସହରକୁ ବିମାନ ଉଡୁଛି । ସେହିପରି ଦେଶ ଭିତରେ ୩୦ଟି ସହରକୁ ଭୁବନେଶ୍ୱରରୁ ବିମାନ ଚଳାଚଳ ଲାଗି ରହିଛି ।