କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲାନାଥ ଖନାଲଙ୍କ ପତ୍ନୀ ରାବି ଲକ୍ଷ୍ମୀ ଚିତ୍ରକାରଙ୍କୁ ଉତ୍ତମ ଚିକିତ୍ସା ପାଇଁ ଭାରତକୁ ଅଣାଯାଇଛି। 'ଜେନ୍ ଜେଡ୍' ଆନ୍ଦୋଳନ ସମୟରେ ହୋଇଥିବା ହିଂସାରେ ସେ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କୁ ଚିକିତ୍ସା ପାଇଁ ନୂଆ ଦିଲ୍ଲୀ ଅଣାଯାଇଛି। ତାଙ୍କର ଶରୀରର ପ୍ରାୟ ୧୫% ଅଂଶ ପୋଡ଼ି ଯାଇଛି। ଯେଉଁଥିରେ ତାଙ୍କର ବାମ ହାତ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଧୁଆଁ ପଶିଯିବାରୁ ତାଙ୍କର ଫୁସଫୁସ ଗମ୍ଭୀର ଭାବେ ସଙ୍କ୍ରମିତ ହୋଇଯାଇଛି।
ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ନେପାଳର କୀର୍ତିପୁର୍ ବର୍ନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସକମାନଙ୍କ ପରାମର୍ଶରେ ଅଧିକ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭାରତ ପଠାଯାଇଛି।
ସୂଚନା ମୁତାବକ, ଫେସବୁକ, ୟୁଟ୍ୟୁବ୍ ସମେତ ୨୬ଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟାନ ହେବା ପରେ ନେପାଳରେ 'ଜେନ୍ ଜେଡ୍' ଆନ୍ଦୋଳନ ଆରମ୍ଭ ହୋଇଥିଲା। ପ୍ରଦର୍ଶନକାରୀମାନେ କାଠମାଣ୍ଡୁରେ କର୍ଫ୍ୟୁ ଉଲ୍ଲଙ୍ଘନ କରି ସରକାରୀ ଓ ରାଜନୈତିକ ସ୍ଥାପନା ଗୁଡିକୁ ଟାର୍ଗେଟ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅଫିସ୍ ସମେତ ସଂସଦ, ସୁପ୍ରିମ୍ କୋର୍ଟ, ରାଷ୍ଟ୍ରପତି ଭବନ ଓ ପ୍ରମୁଖ ନେତାମାନଙ୍କ ବାସଭବନ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।
ପ୍ରଭାବିତ ନେତାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଓଲି, ପୂର୍ବତନ ପିଏମ୍ ପୁଷ୍ପ କମଳ ଦହାଲ୍ 'ପ୍ରଚଣ୍ଡ', ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ପୂର୍ବତନ ଗୃହ ମନ୍ତ୍ରୀ ରମେଶ ଲେଖକ, ଶକ୍ତି ମନ୍ତ୍ରୀ ଦୀପକ ଖଡ଼କା ଏବଂ କଂଗ୍ରେସ୍ ସାଧାରଣ ସମ୍ବାଦକ ଗଗନ ଠପା ଅଛନ୍ତି। ଝଲାନାଥ ଖନାଲ ୨୦୧୧ରେ ଫେବ୍ରୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ନେପାଳର ପ୍ରଧାନମନ୍ତ୍ରୀ ଥିଲେ। ଏହି ହିଂସାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା।