ନୂଆଦିଲ୍ଲୀ,୨୩/୧୦: ଭାରତ-ପାକିସ୍ତାନ ସୀମା ନିକଟରେ ଅବସ୍ଥିତ ପଞ୍ଜାବର ପଠାନକୋଟ୍‌ର ରାମକଲଓାନ୍‌ ଗାଁ ପାଇଁ ମୋବାଇଲ ଫୋନ୍‌ ନେଟ୍‌ୱର୍କ ଦିନେ ବଡ଼ ସମସ୍ୟା ଥିଲା । ଫୋନ୍‌ରେ କଥା ହେବାକୁ ଲୋକଙ୍କୁ କ୍ଷେତ କିମ୍ବା ଉଚ୍ଚ ସ୍ଥାନକୁ ଯିବାକୁ ପଡୁଥିଲା । କିନ୍ତୁ ଏବେ ଏହା ମାଗଣା ୱାଇ-ଫାଇଯୁକ୍ତ ଗାଁ ହୋଇଛି । ଏଠାରେ ୱାଇ-ଫାଇ ପାସ୍‌ୱାର୍ଡ କାନ୍ଥରେ ଲେଖାଯାଉଛି । ଏହି ପରିବର୍ତ୍ତନ ଗାଁର ମହିଳା ସରପଞ୍ଚ ସରୋଜ କୁମାରୀଙ୍କ ଚିନ୍ତାଧାରା ଓ ପରିଶ୍ରମର ଫଳ । ଗାଁର ପ୍ରାୟ ୧୫୦ ଘର ମାଗଣା ଇଣ୍ଟର୍‌ନେଟ୍‌ ବ୍ୟବହାର କରୁଛନ୍ତି । ରାମକଲୱାନ ପଞ୍ଜାବର ପ୍ରଥମ ପୂର୍ଣ୍ଣ ମାଗଣା ୱାଇଫାଇ ଗାଁ ହୋଇଛି । ଆଖପାଖ ଗାଁର ସରପଞ୍ଚମାନେ ଏବେ ସରୋଜ କୁମାରୀଙ୍କ ସହ ସମ୍ପର୍କ କରି ଏହି ମଡେଲକୁ ନିଜ ଗାଁରେ ଆପଣେଇବାକୁ ପ୍ରୟାସ କରୁଛନ୍ତି । ସରପଞ୍ଚ ସରୋଜ କୁମାରୀ ପ୍ରଥମେ ଶିକ୍ଷା ବିଭାଗରେ କିରାଣି ଥିଲେ । ଅବସର ପରେ ଗାଁର ବିକାଶ ଦାୟିତ୍ୱ ହାତକୁ ନେଇଛନ୍ତି ।

ସରୋଜ କହିଛନ୍ତି, ଗାଁରେ ନେଟ୍‌ୱର୍କର ବହୁତ ବଡ଼ ସମସ୍ୟା ଥିଲା । ପିଲାଙ୍କର ଅନ୍‌ଲାଇନ୍‌ କ୍ଲାସ୍‌ ଥିବାବେଳେ ଗାଁରେ ଇଣ୍ଟର୍‌ନେଟ୍‌ ଚାଲୁନଥିଲା । କରୋନା ସମୟରେ ସମସ୍ୟା ବଢ଼ିଗଲା । ତା’ପରେ ଏହାର ସ୍ଥାୟୀ ସମାଧାନ ବାହାର କରିବାକୁ ସେ ନିଷ୍ପତ୍ତି ନେଲେ । ସରପଞ୍ଚ ହେବା ପରେ ସେ ବିଏସ୍‌ଏନ୍‌ଏଲ୍‌ର ଅଧିକାରୀଙ୍କ ସହ ଆଲୋଚନା କରି ‘ବିଦ୍ୟା ମିତ୍ର ଯୋଜନା’ ଅନ୍ତର୍ଗତ ଗାଁରେ ୱାଇଫାଇ ଲଗାଇବାର ପ୍ରୟାସ କଲେ । ପଞ୍ଚାୟତର ପାଣ୍ଠି ଗାଁ ଲୋକଙ୍କର, ତେଣୁ ସେହି ଟଙ୍କାରେ ଗ୍ରାମବାସୀଙ୍କୁ ଏହି ସୁବିଧା ପ୍ରଦାନ କରାଗଲା । ରାମକଲୱାନ ଗାଁର ଛାତ୍ରଛାତ୍ରୀ ଏବେ ବିନା ସମସ୍ୟାରେ ଅନ୍‌ଲାଇନ୍‌ ଅଧ୍ୟୟନ କରିପାରୁଛନ୍ତି । ଗାଁରେ ୱାଇଫାଇ ପାସ୍‌ୱାର୍ଡ କାନ୍ଥବାଡ଼ରେ ଲେଖାଯାଇଛି, ଯାହା ଦ୍ୱାରା ସମସ୍ତେ ସହଜରେ ଇଣ୍ଟର୍‌ନେଟ୍‌ ସହ ଯୋଡ଼ି ହେଉଛନ୍ତି । ସ୍ଥାନୀୟ ଜଣେ ଛାତ୍ରଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ଇଣ୍ଟର୍‌ନେଟ୍‌ ବଡ଼ କଥା ନୁହେଁ । କିନ୍ତୁ ଆମ ଗାଁ ଭାରତ-ପାକ୍‌ ସୀମା ନିକଟରେ ଥିବାରୁ ଏହା ଖୁବ୍‌ ମୁସ୍କିଲ କାମ ଥିଲା ।