କେନ୍ଦୁଝର,୧୬/୧୦: ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କେଳେଙ୍କାରୀରେ ରାଜା ଓରଫ ସୌମ୍ୟଶଙ୍କର ଚକ୍ର, ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଦ୍ୱାରା ଗିରଫ ହୋଇ ବାଲେଶ୍ୱର ଜେଲ୍ରେ ରହୁଛନ୍ତି । ଏହି ଅଭିଯୁକ୍ତ ସହିତ ୭ ଜଣଙ୍କ ନାମରେ ସଦର ଥାନାରେ ପୁଣି ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲା କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ରାଜା ଓ ସହଯୋଗୀଙ୍କ ଜାମିନ ଆବେଦନ ଜିଲ୍ଲା ଓ ଦୌରାଜଜ୍ଙ୍କ ନିକଟରେ ହୋଇଥିଲା । ଅଦାଲତ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଅନ୍ୟପକ୍ଷରେ ରାଜା ଚକ୍ରଙ୍କୁ ଜେରା କରିବା ଲାଗି ଇଡି ପକ୍ଷରୁ ବାଲେଶ୍ୱର ଓପିଆଇଡି କୋର୍ଟରେ ଆବେଦନ କରାଯାଇଛି ।
ସୂଚନାଯୋଗ୍ୟ, କେନ୍ଦୁଝର ସଦର ଥାନା ଶୁଆକାଟି ଗ୍ରାମର ସୁଶାନ୍ତ କୁମାର ବାରିକ ଏକ ଲୋଡର(ଓଆର ୦୯କ୍ୟୁ-୦୮୨୧) ରାଜା ଚକ୍ରଙ୍କଠାରୁ ୨୦ ଲକ୍ଷ ୫୦ ହଜାର ଟଙ୍କାରେ କିଣି ୨୦୧୮ରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଭଡ଼ାରେ ଲଗାଇଥିଲେ । ରାଜାଙ୍କ ଅକ୍ତିଆରରେ ଥିବା ଲୋଡିଂ ଏଜେନ୍ସିରେ ତାହା ଭଡ଼ାରେ ଲାଗୁଥିଲା । ମାତ୍ର ପରବର୍ତ୍ତୀ ସମୟରେ ଭଡ଼ା ମିଳିନଥିଲା । ଭଡା ମାଗିବାରୁ ରାଜା ଓ ତାଙ୍କର ସହଯୋଗୀ ସଦାଶିବ ସାମଲ, ସମୀର ଜେନା, ଉତ୍କଳ, ସୁଧାଂଶୁ ନାୟକ, ଜ୍ୟୋତିରଞ୍ଜନ ମିଶ୍ର ଓ ମାନସ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ପରେ ତାଙ୍କୁ ମାରଧର କରିଥିଲେ ବୋଲି ସୁଶାନ୍ତ ଥାନାରେ ଏତଲା ଦେଇଥିଲେ । ସଦର ଥାନା ପୁଲିସ ଉପରୋକ୍ତ ୭ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲା କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ଏହି ମାମଲାରେ ରାଜା, ଉତ୍କଳ ଓ ମାନସ ଇଓଡବ୍ଲୁ ମାମଲାରେ ଗିରଫ ହୋଇ ବାଲେଶ୍ୱର ଜେଲରେ ରହୁଛନ୍ତି । ଅନ୍ୟ ୩ ଜଣ ଜ୍ୟୋତି ରଞ୍ଜନ ମିଶ୍ର, ସମୀର ଜେନା ଓ ସୁଧାଂଶୁ ନାୟକ ଏହି ମାମଲାରେ ହାଇକୋର୍ଟରୁ ଆଗୁଆ ଜାମିନରେ ରହିଛନ୍ତି । ସଦାଶିବ ସାମଲ ଫେରାର ରହିଥିବାରୁ ରାଜା, ମାନସ ଓ ଉତ୍କଳଙ୍କୁ ରିମାଣ୍ଡ ବଳରେ ପୁଲିସ କେନ୍ଦୁଝର ଏସ୍ଡିଜେଏମ୍ଙ୍କ ନିକଟରେ ହାଜର କରାଇଥିଲା । ଏସ୍ଡିଜେଏମ୍ ଜାମିନ ଖାରଜ କରିବାରୁ ଅଭିଯୁକ୍ତମାନଙ୍କୁ ବାଲେଶ୍ୱର ଜେଲକୁ ପଠାଇ ଦିଆଯାଇଛି । ଏହି ମାମଲାରେ ୩ ଅଭିଯୁକ୍ତଙ୍କ ଜାମିନ ଜିଲ୍ଲା ଓ ଦୌରାଜଜ୍ଙ୍କ ନିକଟରେ ହୋଇଥିଲା । ମାମଲାର ଶୁଣାଣି କରି ଅଦାଲତ ଜାମିନକୁ ଖାରଜ କରିଛନ୍ତି । ଖୁବଶୀଘ୍ର ଇଡି ଏହି ମାମଲାରେ ଜେରା କରିବା ଲାଗି ଜେଲକୁ ଯିବ ବୋଲି ଜଣାପଡିଛି ।