ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ସୁନାର ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଛି। ଗତ ଏକ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ୫୨ ପ୍ରତିଶତ ବୃଦ୍ଧି ପାଇଛି। ଗତ ସପ୍ତାହରେ ଦିଲ୍ଲୀ ବୁଲାନ୍ ବଜାରରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୨୨,୫୮୦ ଟଙ୍କାରେ ପହଞ୍ଚିଥିଲା। ସେହିପରି, ଶୁକ୍ରବାର MCX ରେ ଏହାର ମୂଲ୍ୟ ୧,୨୯,୮୫୨ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସୁନାର ମୂଲ୍ୟ ଆଉନ୍ସ ପ୍ରତି ୪୩୧୦ ଆମେରିକୀୟ ଡଲାର ଉପରେ ପହଞ୍ଚିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ, ସୁନାର ମୂଲ୍ୟ ୧୬୩ ପ୍ରତିଶତ ବୃଦ୍ଧି ପାଇଛି। ଏହା ରିଟର୍ଣ୍ଣ ଦୃଷ୍ଟିରୁ ସମସ୍ତ ସମ୍ପତ୍ତି ଶ୍ରେଣୀକୁ ପଛରେ ପକାଇ ଦେଇଛି।
ଆଗକୁ ଧନତେରାଶ ଭଳି ପାର୍ବଣ ଋତୁ ଥିବାରୁ ଭାରତୀୟ ମାନେ ବିପୁଳ ପରିମାଣରେ ସୁନା କିଣିବାକୁ ଯାଉଛନ୍ତି। ଆଉ ମାତ୍ର ମାସେ ମଧ୍ୟରେ ବିବାହ ଋତୁ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଆମ ପରମ୍ପରାରେ ବିବାହ ବ୍ରତାଦି ପୂର୍ଣ୍ଣ୍ୟ କାମରେ ସୁନା ଉପହାର ଦେବା ଏକ ଧରାବନ୍ଧା ନିୟମ ଭାବେ ଚାଲିଆସୁଛି। ତେବେ ସମ୍ପତ୍ତି ସୁନା ଦର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଅନେକ ଆଗକୁ ସୁନା ଦର ବଢିବା ଲକ୍ଷ୍ୟରେ ଏବେଠୁ ସୁନା କିମିବାରେ ବ୍ୟସ୍ତ ତ ଅନେକ ଆଗକୁ ସୁନା ଦର ଖସିବା ଆଶାରେ ଅପେକ୍ଷା କରି ରହିଛନ୍ତି। ତେବେ ଏହି ସୁନା ଦର ବୃଦ୍ଧି ପାଇଁ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଏହା ପଛରେ ଦଶରୁ ଅଧିକ କାରଣ ରହିଛି। ଚାଲନ୍ତୁ ଜାଣିବା ସୁନା ମହଙ୍ଗା ହେବା ପଛର ବ୍ୟାପକ କାରଣ କ’ଣ?
ସୁନା ଦର ବୃଦ୍ଧିର କାରଣ:
ସୁନା ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ହେଉଛି ସମ୍ପ୍ରତି ବିଶ୍ୱରେ ଦେଖାଦେଉଥିବା ଉତ୍ତେଜନା। ଇତିହାସକୁ ଦେଖିଲେ ଜଣାଯାଏ ଯେ ଯେତେବେଳେ ବି ବିଶ୍ୱ କୌଣସି ସଙ୍କଟର ସମ୍ମୁଖୀନ ହୁଏ, ସୁନାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥାଏ। ଆମେରିକା ଏବଂ ଚୀନ୍, ରୁଷ ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ମଧ୍ୟପ୍ରାଚ୍ୟରେ ମଧ୍ୟ ଯୁଦ୍ଧ ଜନିତ ବ୍ୟପକ ସମସ୍ୟା ଦେଖାଦେଇଛି। ଯେତେବେଳେ ବିଶ୍ୱରେ ଭୟର ବାତାବରଣ ଥାଏ, ଲୋକମାନେ ଅନ୍ୟ କେଉଁ ଦେଶରେ ଟଙ୍କା ଲଗାଇବା ଅପେକ୍ଷା ସୁନା କିଣିବାକୁ ଅଧିକ ପସନ୍ଦ କରିଥାନ୍ତି। ସୁନାକୁ ଏକ ନିରାପଦ ସ୍ୱର୍ଗ ଭାବରେ ବିବେଚନା କରାଯାଏ। ଆଉ ଖାସ୍ ଏଥି ନିମନ୍ତେ ସୁନାକୁ “ଗଡ଼ସ୍ କରେନ୍ସି”(ଭଗବାନଙ୍କ ପଇସା) ବୋଲି କୁହାଯାଇଥାଏ।
ସମଗ୍ର ବିଶ୍ୱରେ ଚାହିଦା ବୃଦ୍ଧି ଯୋଗୁଁ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ସେହିଭଳି ଏହା ପଛର ଦ୍ୱିତୀୟ କାରଣ ହେଉଛି ବିଶ୍ୱ ଅର୍ଥନୀତିର ଅବସ୍ଥା। ଆମେରିକା, ଚୀନ୍, ଜର୍ମାନୀ ଏବଂ ଜାପାନ ଭଳି ପ୍ରମୁଖ ଦେଶଗୁଡ଼ିକର ଅର୍ଥନୀତି ଧିରେଧିରେ ମନ୍ଥର ହେବାରେ ଲାଗିଛି। ଯାହା ବିଶ୍ୱ ମାନ୍ଦାବସ୍ଥାର ଭୟ ସୃଷ୍ଟି କରିଛି। ଆଉ ଯଦି ଏହି ମାନ୍ଦାବସ୍ଥା ସତରେ ଘଟେ ତେବେ ଏହା ବୌଶ୍ୱିକ ସ୍ତରିୟ ବ୍ୟବସାୟକୁ ଏହା ନିଶ୍ଚିନ୍ତ ପ୍ରଭାବିତ କରିବ। ତେଣୁ, ଲୋକମାନେ ନିଜ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ସୁନା କିଣୁଛନ୍ତି।
ସୁନା ମୂଲ୍ୟ ବୃଦ୍ଧିର ତୃତୀୟ ପ୍ରମୁଖ କାରଣ ହେଉଛି ମୁଦ୍ରାସ୍ଫୀତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରିଛନ୍ତି। ଏହା ନିଶ୍ଚିତ ଭାବରେ ମୁଦ୍ରାସ୍ଫୀତି ବୃଦ୍ଧି କରୁଛି। ସୁନା ମୁଦ୍ରାସ୍ଫୀତିରୁ ରକ୍ଷା କରେ। କାରଣ ସୁନା ଉପରେ କେଉଁ ଦେଶର ସ୍ୱତସ୍ପୁତ ଭାବେ ଅଧିକାର ନଥାଏ। ଚତୁର୍ଥ କାରଣ ହେଉଛି ବିଶ୍ୱର ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ସୁନା କ୍ରୟ। ଚୀନ୍, ଭାରତ, ତୁର୍କୀ ଏବଂ ପୋଲାଣ୍ଡ ଭଳି ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବହୁ ପରିମାଣରେ ସୁନା କିଣୁଛନ୍ତି। ସେମାନେ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛନ୍ତି। ତେଣଉ କେନ୍ଦ୍ରୀୟ ବ୍ୟାଙ୍କମାନେ ନିଜ ବିଦେଶୀ ପୁଞ୍ଜି ପ୍ରତ୍ୟାହାର କରି ସୁନାରେ ନିବେଶ କରିବା ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ବିଶ୍ୱ ବଜାରରେ ସୁନାର ଚାହିଦା ବହୁଳ ପରିମାଣରେ ବଢିଯାଇଛି।
ସେହିଭଲି ସୁନା ମୂଲ୍ୟ ବୃଦ୍ଧିର ପଞ୍ଚମ କାରଣ ହେଉଛି ଡଲାରର ଦୁର୍ବଳତା। ଯେତେବେଳେ ଡଲାର ଦୁର୍ବଳ ହୁଏ, ବିଦେଶୀମାନଙ୍କ ପାଇଁ ସୁନା କିଣିବା ଶସ୍ତା ହୋଇଯାଏ। ଯାହା ସୁନାର ଚାହିଦା ବୃଦ୍ଧି କରେ। ଏହାପଛର ଷଷ୍ଠତମ କାରଣ ହେଉଛି ସାଧାରଣ ଲୋକଙ୍କ ଦ୍ୱାରା ସୁନା କିଣିବା। ବର୍ତ୍ତମାନ ସେୟାର ବଜାରରେ ଅସ୍ଥିରତା ଦେଖାଦେଉଛି ଏବଂ ସରକାରୀ ଓ ବେସରକାରୀ ବଣ୍ଡଗୁଡ଼ିକ ସେପରି ଅଧିକ ଲାଭ(ରିଟର୍ଣ୍ଣ) ଦେଉନାହାଁନ୍ତି। ଏପରି ପରିସ୍ଥିତିରେ ସାଧାରଣ ଲୋକ ସୁନା ETF (ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ) ଏବଂ ସୁନା କିଣିବାରେ ଲାଗିଛନ୍ତି। ଯାହା ସୁନା ମୂଲ୍ୟ ବୃଦ୍ଧିରେ ସହଯୋଗ କରୁଛି। ସୁନା ମୂଲ୍ୟ ବୃଦ୍ଧିର ସପ୍ତମ କାରଣ ହେଉଛି କମ ସୁଧ ହାର ଆଶା। ଭାରତରେ, RBI ଲଗାତାର ଦୁଇଥର ରେପୋ ହାର ହ୍ରାସ କରିଛି। ସମାନ ଢଙ୍ଗରେ ଆମେରିକାର, ଫେଡେରାଲ୍ ରିଜର୍ଭ ମଧ୍ୟ ଆଗାମୀ ଦିନରେ ସୁଧ ହାର ହ୍ରାସ କରିବ ବୋଲି ଅନମାନ କରାଯାଉଛି। ଯେତେବେଳେ ସୁଧ ହାର କମ୍ ଥାଏ, ସେତେବେଳେ ନିବେଶକ ମାନେ ସୁନାରେ ନିବେଶ କରିବା ଆରମ୍ଭ କରନ୍ତି। ଯାହାଦ୍ୱାରା ସେମାନଙ୍କ ଲାଭ ବୃଦ୍ଧି ପାଇଥାଏ।
ଅଷ୍ଟମ କାରଣ ହେଉଛି ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବା। ଅନେକ ଦେଶ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରୁଛନ୍ତି। ଏଥିପାଇଁ ସେମାନେ ସୁନାକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ବିବେଚନା କରନ୍ତି। ନବମ କାରଣ ହେଉଛି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁଧ ହାକ କମ। ଭାରତର ଅନେକ ବ୍ୟାଙ୍କ ସ୍ଥାୟୀ ଜମା ଏବଂ ସଞ୍ଚୟ ଖାତା ଉପରେ ସୁଧ ହାର ହ୍ରାସ କରିଛନ୍ତି। ତେଣୁ, ଲୋକମାନେ ସୁନା ଆଡକୁ ମୁହାଁଇଛନ୍ତି। ଦଶମ କାରଣ ହେଉଛି ସୁନାର ଯୋଗାଣରେ ହ୍ରାସ। ବିଶ୍ୱର ବିଭିନ୍ନ ସୁନା ଖଣିରୁ ଉତ୍ପାଦନ ଧିରେଧିରେ ହ୍ରାସ ପାଇବାରେ ଲାଗିଛି, କିନ୍ତୁ ଅନ୍ୟପଟେ ଚାହିଦା ବୃଦ୍ଧି ପାଉଛି। ଯୋଗାଣ ଏବଂ ଚାହିଦାର ଏହି ପାର୍ଥକ୍ୟ ସୁନାର ମୂଲ୍ୟକୁ ବୃଦ୍ଧି କରୁଛି।
କେତେ ଯାଏ ବଢିପାରେ ସୁନା ଦର:
ଆମେରିକୀୟ ବହୁରାଷ୍ଟ୍ରୀୟ ନିବେଶ ବ୍ୟାଙ୍କ ଏବଂ ଆର୍ଥିକ ସେବା କମ୍ପାନୀ ଗୋଲ୍ଡମ୍ୟାନ୍ ସାକ୍ସ ସୂଚନା ଦେଇ କହିଛି ଯେ ସୁନାର ମୂଲ୍ୟ ଆଉନ୍ସ ପିଛା ୫୦୦୦ ଡଲାର ପାର କରିପାରେ। ବିଶେଷଜ୍ଞଙ୍କ ମତରେ ଏହିଠାରୁ ମୂଲ୍ୟ ଆଉ ବହୁତ ହ୍ରାସ ପାଇବାର ସମ୍ଭାବନା ନାହିଁ। MCX ରେ ଏହାର ମୂଲ୍ୟ ୧.୫ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି। ତେବେ, ଯଦି ଆମେରିକା ଏବଂ ଚୀନ୍ ମଧ୍ୟରେ ଆଗକୁ ଆହୁରି ଅଧିକ ଉତ୍ତେଜନା ବୃଦ୍ଧି ପାଏ, ତେବେ ସୁନାର ମୁଲ୍ୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। ଏହା ସବୁ ଆଗାମୀ ଦିନରେ ବିଶ୍ୱ ପରିସ୍ଥିତି କିପରି ହେବ ତାହା ଉପରେ ନିର୍ଭର କରେ।