ଭୁବନେଶ୍ଵର, ୨୫/୧୦ : ବିପର୍ଯ୍ୟୟ ପ୍ରକୋପ ଯାହା ବି ହେଉ ସରକାର ପ୍ରସ୍ତୁତ। ଅତୀତର ପ୍ରସ୍ତୁତିକୁ ଆଖି ଆଗରେ ରଖି ବାତ୍ୟା ପାଇଁ ନିଖୁଣ ପ୍ରସ୍ତୁତି କରାଯାଇଛି। ଲୋକେ ବିଚଳିତ ହୁଅନ୍ତୁ ନାହିଁ। ଜୀବନ ରକ୍ଷା ମୂଳ ଲକ୍ଷ୍ୟ। ସରକାର ଲୋକଙ୍କ ରକ୍ଷା କବଚ ହେବେ। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା ବୈଠକ ପରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଛନ୍ତି। ସେ କହିଛନ୍ତି ଯେ, ଲଘୁଚାପ ସୃଷ୍ଟି ଆଗରୁ ଅନୁମାନ ହୋଇଥିଲା। ଏହା ଅବପାତରେ ପରିଣତ ହୋଇଛି। ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହେବ। ଆଜି ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ। ଅଧିକାରୀଙ୍କ ଛୁଟି ବାତିଲ ନେଇ କାଲି ନିଷ୍ପତି ହେବ। ସେହିପରି ସ୍କୁଲି ଛୁଟିକୁ ନେଇ ମଧ୍ୟ ଆସନ୍ତାକାଲି ବିଚାର କରାଯିବ। ଜିଲ୍ଲାପାଳମାନଙ୍କ ସହ ପୁଣି ଥରେ ବୈଠକ କରାଯିବ।
ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ଗୋପାଳପୁର ଠାରୁ ବାତ୍ୟା ହଜାରେ କିମି ଦୂରରେ ଅଛି। ଧୀରେ ଧୀରେ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଅବପାତ ଆଗକୁ ବାତ୍ୟାରେ ପରିଣତ ହେବ। ତୀବ୍ରତା ବଢ଼ିବାରେ ଲାଗିଛି। ପୂର୍ବ ପ୍ରସ୍ତୁତି ଆଗରୁ କରିସାରିଛୁ। ୨୮ ଓ ୨୯ ଦୁଇ ଦିନ ଅବପାତ ଜନିତ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ। ଦକ୍ଷିଣାଞ୍ଚଳ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ। ଲଘୁଚାପ ଜନିତ ବାତ୍ୟା ଦିଗ ପରିବର୍ତ୍ତନ କରେ ତେଣୁ IMDର ପୂର୍ବ ଅନୁମାନ ଅନୁଯାଇ ଆମେ ପ୍ରସ୍ତୁତ। ଦିଗ ପରିବର୍ତ୍ତନ ହେଲେ ୩୦ ଜିଲ୍ଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ୧୫ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଜିଲ୍ଲାପାଳମାନଙ୍କ ସହ ପ୍ରସ୍ତୁତି ସରିଛି। ସଜାଗ ରହିବାକୁ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ, କୃଷି, ଶକ୍ତି, ସମବାୟ ବିଭାଗ ଆଗୁଆ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟ ସ୍ଥଳୀ, ରିଲିଫ ସେଣ୍ଟର, ପଲିଥିନ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଯେତେଦିନ ପାଣି ରହିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ।
ଭୁସ୍ଖଳନ ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରତିଶୋଧକ ବ୍ୟବସ୍ଥା କରିବାକୁ କୁହାଯାଇଛି। ରାସ୍ତା ଉପରେ ପାଣି ଚାଲିଲେ ଉଭୟ ପଟ ରାସ୍ତା ବନ୍ଦ କରାଯିବ। ସେହିଠାରେ ଯାତ୍ରୀଙ୍କ ଖାଦ୍ୟ ପାଇଁ ବ୍ୟବସ୍ଥା ହେବ। ଦକ୍ଷିଣ ଆନ୍ଧ୍ର ସ୍ଥଳ ଭାଗ ଛୁଇଁବା ନେଇ ଆକଳନ ହୋଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ।