ନୂଆଦିଲ୍ଲୀ: ଆମେରିକାର ବଡ଼ ବ୍ୟାଙ୍କ ସିଟିଗ୍ରୁପ୍ ଚୀନରେ ଥିବା ନିଜର ଟେକ୍ନୋଲୋଜି କେନ୍ଦ୍ରରୁ ୩୫୦୦ ଜଣଙ୍କୁ ଛଟେଇ କରିବାକୁ ନିଷ୍ପତି ନେଇଛି। ତେବେ ସବୁଠୁ ବଡ କଥା ହେଉଛି ତାହା ମଧ୍ୟରୁ ପ୍ରାୟ ୧୦୦୦ଟି ଟେକ୍ ପଦବୀକୁ ବ୍ୟାଙ୍କ ଭାରତର ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର୍ (GCC) ଗୁଡ଼ିକୁ ସ୍ଥାନାନ୍ତରିତ କରିଛି। ଏହା ବ୍ୟାଙ୍କର ଗ୍ଲୋବାଲ୍ ରିଷ୍ଟ୍ରକ୍ଚରିଂ ଯୋଜନାର ଅଂଶ ବୋଲି ଜଣାପଡିଛି। ଯାହା ସଂସ୍ଥାର ବିଭିନ୍ନ ଟେକ୍ ଅପରେସନ ଗୁଡ଼ିକୁ ଆହୁରି ସରଳ କରି ରିସ୍କ୍ ଏବଂ ଡାଟା ମ୍ୟାନେଜମେଣ୍ଟ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି।
ଏହି ସ୍ଥାନାନ୍ତରଣ ଟ୍ରମ୍ପ୍ ପ୍ରଶାସନର ନୂଆ H1B ଭିସା ନିୟମ ସହିତ ଜଡିତ ରହିଛି। ଯେଉଁଠାରେ ନୂଆ H1B ଭିସା ଆବେଦନ ପାଇଁ ୧ ଲକ୍ଷ ଡଲାର ଫି ଲଗାଯାଇଛି। ଯେଉଁଥିପାଇଁ ୱାଲ୍ ଷ୍ଟ୍ରିଟ୍ ଶସ୍ତା ପଡୁଥିବାରୁ ବ୍ୟାଙ୍କ ଗୁଡ଼ିକୁ ଭାରତର GCC ଉପରେ ଅଧିକ ନିର୍ଭରଶୀଳ କରିବାକୁ ବାଧ୍ୟ କରିଛି। ଯାହାଫଳରେ ଆଗକୁ ସ୍ଥାନୀୟ ନିଯୁକ୍ତି ଆହୁରି ଅଧିକ ବଢିବାର ସମ୍ଭାବନା ରହିଛି। ଆନ୍ତର୍ଜାତୀୟ ଗଣମାଧ୍ୟମ ବ୍ଲୁମବର୍ଗ ଦେଇଥିବା ସୂଚନା ଅନୁଯାୟୀ, H1B ଫି ବୃଦ୍ଧି ଆମେରିକୀୟ ବ୍ୟାଙ୍କଗୁଡ଼ିକୁ ଭାରତର GCC ଉପରେ ଅଧିକ ନିର୍ଭର କରିବାକୁ ଏବଂ ନୂଆ ଚାକିରିଗୁଡିକ ପାଇଁ ଅଧିକ ସ୍ଥାନୀୟଙ୍କୁ ନିଯୁକ୍ତ କରିବାକୁ ବାଧ୍ୟ କରିବ।
ସିଟିଗ୍ରୁପ୍ ପୁର୍ବରୁ ୨୦୨୫ ମସିହାରେ ଚୀନରେ ଥିବା ନିଜର ୩୫୦୦ ଚାକିରିରୁ ଛଟେଇ କରିବା ସହ ସେହି ଚାକିରି ଗୁଡିକୁ ଅନ୍ୟ ଟେକ୍ କେନ୍ଦ୍ରକୁ ସ୍ଥାନାନ୍ତରିତ କରିବା ନେଇ ଘୋଷଣା କରିଥିଲା। ତେବେ ବର୍ତ୍ତମାନ ବିଭିନ୍ନ ଘଟଣାକୁ ଦୃଷ୍ଟିରେ ରଖି ଭାରତ ସିଟି ବ୍ୟଙ୍କର ପ୍ରମୁଖ ପସନ୍ଦ ଭାବେ ଉଭା ହୋଇଛି। ଏହି ରିଷ୍ଟ୍ରକଚରିଂରେ ବ୍ୟାଙ୍କ ଆମେରିକା, ଇଣ୍ଡୋନେସିଆ, ଫିଲିପାଇନ୍ସ୍ ଏବଂ ପୋଲାଣ୍ଡରେ ମଧ୍ୟ ନିଜ ଅପରେସନ ଗୁଡ଼ିକୁ କମାଇଛି ବୋଲି ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ ପ୍ରକାଶ କରିଛି।
ସିଟିଗ୍ରୁପ୍ ବର୍ତ୍ତମାନ ସୁଦ୍ଧା ଭାରତରେ ପ୍ରାୟ ୩୩,୦୦୦ ଜଣଙ୍କୁ ନିଯୁକ୍ତି ଦେଇଛି। ଯେଉଁଥିରେ ମୁଖ୍ୟତଃ ବେଙ୍ଗଲୁରୁ, ଚେନ୍ନାଇ, ପୁନେ ଏବଂ ମୁମ୍ବାଇରେ ଅବସ୍ଥିତ GCC ଗୁଡ଼ିକ କାର୍ଯ୍ୟ କରୁଛନ୍ତି। ଇଣ୍ଡିଆର GCC ସଂସ୍ଥା ଗୁଡିକ ଦ୍ରୁତଗତି ବିକଶିତ ହେଉଛନ୍ତି। ବର୍ତ୍ତମାନ ଦେଶରେ ୧୭୬୦ଟି GCC ଅଛି, ଯାହା ୨୦୨୬ ମସିହା ସୁଦ୍ଧା ୨୦୦୦ରୁ ଅଧିକ ସଂଖ୍ୟାକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଏହି ଇଣ୍ଡଷ୍ଟ୍ରୀର ବର୍ତ୍ତମାନର ବଜାର ମୂଲ୍ୟ ୬୪ ବିଲିୟନ୍ ଡଲାର ହୋଇଥିବା ବେଳେ ୨୦୩୦ ସୁଦ୍ଧା ଏହା ୧୧୦ ବିଲିୟନ୍ ଡଲାରକୁ ପହଞ୍ଚିଯାଇପାରେ ବୋଲି ଅନୁମାନ କରାଯାଉଛି।
ଏହି ପରିବର୍ତ୍ତନ ଇଣ୍ଡିଆକୁ ଗ୍ଲୋବାଲ୍ ଟେକ୍ ଇକୋସିଷ୍ଟେମ୍ରେ ଅଧିକ ମଜବୁତ କରୁଛି, ଯେଉଁଠାରେ ପ୍ରୋଡକ୍ଟ୍ R&D, ଆନାଲିଟିକ୍ସ୍ ଏବଂ ଡିଜାଇନ୍ ଭଳି ଆଡଭାନ୍ସ୍ ଟେକ୍ନୋଲୋଜିରେ GCCଗୁଡ଼ିକ ନେତୃତ୍ୱ ଦେଉଛନ୍ତି। H1B ଫି ବୃଦ୍ଧି ଯୋଗୁଁ ମାର୍କିନ୍ ଟେକ୍ ଟାଲେଣ୍ଟ୍ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ, ଇଣ୍ଡିଆରେ ସ୍ଥାନୀୟ ନିଯୁକ୍ତି ବଢ଼ିବାକୁ ପାରେ।