ଭୁବନେଶ୍ୱର, ୧୯/୯ : ଆସୁଛି ବଡ଼ ବର୍ଷା, ୨୬ରୁ ବଦଳିବ ପାଗ । ୨୯ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ୨୭ ଓ ୨୮ରେ ସବୁଠାରୁ ବେଶି ବର୍ଷା ଆଶଙ୍କା ରହିଛି । ଲଗାଣ ବର୍ଷାରେ ଫୁଲିପାରେ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର । ମହାନଦୀ ଅବବାହିକାରେ ବି ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ ପାକ୍ଷିକ ପୂର୍ବାନୁମାନ ଜାରି ହୋଇଛି ।

ବିଭିନ୍ନ ମଡେଲ ବିଶ୍ଳେଷଣ ଆକଳନ ଅନୁସାରେ ଆସନ୍ତା ୨୩ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୨୬ ତାରିଖବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ (ଦ୍ୱିତୀୟ) ଲଘୁଚାପ ଦାନା ବାନ୍ଧିବ । ଏହା ଘନୀଭୂତ ହୋଇ ୨୭ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ । ୩୦ ତାରିଖ ବେଳକୁ ଦକ୍ଷିଣ ଚୀନ ସାଗରରୁ ଏକ ବାତ୍ୟାର ଅବଶିଷ୍ଟାଂଶ ଆସି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିପାରେ । ଓଡ଼ିଶାରେ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧ ଭିତରେ ବିସ୍ତାରିତ ଅଞ୍ଚଳରେ ବ୍ୟାପକ ବର୍ଷା ହେବା ସମ୍ଭବନା ରହିଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଏ ସମ୍ପର୍କରେ ତିନି ଦିନ ପୂର୍ବରୁ ପୂର୍ବାନୁମାନ କରିଥିଲେ । ସେ କହିଛନ୍ତି ୨୫/୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଘନୀଭୂତ ହୋଇ ଏହା ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ୨୬ରୁ ପାଗ ବଦଳିବ । ୨୭ ଓ ୨୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । 

ଅନୁମାନ କରାଯାଉଛି, ଷଷ୍ଠୀ ଓ ସପ୍ତମୀ ପୂଜା ସମୟରେ ରାଜ୍ୟରେ ବର୍ଷା ରହିପାରେ । ଜିଏଫଏସ୍‌ ମଡେଲ୍‌ର ଆକଳନ ହେଉଛି, ୨୬ରେ ଭିଏତନାମ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ଗଭୀର ଅବପାତ କିମ୍ବା ବାତ୍ୟା ରୂପ ନେଇପାରେ । ୨୯ ତାରିଖ ରାତି କିମ୍ବା ୩୦ରେ ଏହାର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ଅବସ୍ଥାରେ ମିଆଁମାର ଉପକୂଳରେ ପହଞ୍ଚିପାରେ । ଏହା ଶୀଘ୍ର ଘନୀଭୂତ ହେବ । ମିଆଁମାର, ବାଂଲାଦେଶ ପୂର୍ବ ଉପକୂଳ ଦିଗରେ ଗତି କରିପାରେ । ଅକ୍ଟୋବର ୨ ତାରିଖ ବେଳକୁ ଏହା ବାଂଲାଦେଶ ଯାଇପାରେ । ଏକମାତ୍ର ଜିଏଫଏସ୍‌ ମଡେଲ୍‌ ଏଭଳି ଆକଳନ ଦେଖାଇଥିବା ବେଳେ ଇସିଏମଡବ୍ଲ୍ୟୁଏଫ ଏ ସମ୍ପର୍କରେ ଏଯାଏଁ କୌଣସି ପୂର୍ବାନୁମାନ କରିନାହିଁ । ତେଣୁ ଏବେଠାରୁ ଏ ବାବଦରେ କିଛି ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ ବୋଲି ଡକ୍ଟର ପଶୁପାଳକ କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ୨୬ରୁ ୨୯ ଭିତରେ ଓଡ଼ିଶାରେ ବଡ଼ ବର୍ଷା ସମ୍ଭାବନା ଅଛି । ୨୫ରେ ଘୂର୍ଣ୍ଣିବଳୟ, ୨୬ରେ ଲଘୁଚାପ ହୋଇପାରେ । ଦକ୍ଷିଣ ଚୀନ ସାଗରରୁ ଏକ ବାତ୍ୟାର ଅବଶିଷ୍ଟାଂଶ ଅଂଶ ଆସି ୨୭ରେ ଏହା ସହ ମିଶି ଏହାକୁ ଶକ୍ତିଶାଳୀ କରିପାରେ । ୨୭ ଅପରାହ୍ନରେ ଅବପାତ ହୋଇପାରେ । ପରେ ଏହା ଆହୁରି ବଳ ଜୁଟାଇ ଗଭୀର ଅବପାତ ରୂପ ନେଇପାରେ । ୨୭ ଓ ୨୮ରେ ଓଡ଼ିଶାରେ ବେଶି ବର୍ଷା ହେବ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ଅବବାହିକା ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶା ସହ ଉପକୂଳରେ ବି ଭଲ ବର୍ଷା ହେବ । ମହାନଦୀ ଅବବାହିକା ଏବଂ ଦକ୍ଷିଣ ଓଡ଼ିଶାରେ ବି ବର୍ଷା ହୋଇପାରେ । ସମ୍ଭବତଃ ଦଶହରାବେଳକୁ ବର୍ଷା ପ୍ରକୋପ କମିଯାଇପାରେ । ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାବେଳେ ପ୍ରତିଦିନ ଘଡ଼ଘଡ଼ି ସହ କେତେକ ଜାଗାରେ ବର୍ଷା ହୋଇପାରେ । ଅନ୍ୟପଟେ ରାଜ୍ୟରେ ତାପମାତ୍ରା ବଢ଼ିଛି । କୋରାପୁଟ ୩୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଭୁବନେଶ୍ୱର ୩୬ ଟପିଛି । ଅନେକ ଜାଗାରେ ପାରଦ ୩୫ ଡିଗ୍ରୀ ଉପରେ ଥିଲା ।