ପାଟନା, ୪।୬: ମୁଜାଫରପୁର ଅଗ୍ନିକାଣ୍ଡ ମାମଲାରେ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି, ଯାହା ମାନବିକତାକୁ ଦୋହଲାଇ ଦେଇଛି । ବିହାରର ମୁଜାଫରପୁର ସ୍ଥିତ ପ୍ରସାଦ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ପ୍ରାୟ ୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଓ ନିନ୍ଦନୀୟ ବିଷୟ ହେଉଛି, ଆଇସିୟୁ ଭିତରେ ରୋଗୀମାନେ ଜୀବନ୍ତ ଜଳୁଥିବା ସମୟରେ ହସ୍ପିଟାଲର ଡାକ୍ତର ଏବଂ ସମସ୍ତ କର୍ମଚାରୀ ସେମାନଙ୍କୁ ସେହି ଅସହାୟ ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ସକାଳ ୩ଟାରେ ଚତୁର୍ଦ୍ଦିଗ ହୋଇଗଲା ଧୂଆଁମୟ:
ସୂଚନା ଅନୁଯାୟୀ, ପ୍ରସାଦ ହସ୍ପିଟାଲରେ ସକାଳ ପ୍ରାୟ ୩ଟା ସମୟରେ ହଠାତ୍ ନିଆଁ ବ୍ୟାପି ଯାଇଥିଲା । ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ମାତ୍ରେ ସମଗ୍ର ଆଇସିୟୁ ୱାର୍ଡ କଳା ଧୂଆଁରେ ଛାଇଯାଇଥିଲା । ଗୁରୁତର ଅବସ୍ଥାରେ ଭେଣ୍ଟିଲେଟର ଏବଂ ବେଡ୍ରେ ପଡ଼ି ରହିଥିବା ରୋଗୀମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଚିତ୍କାର କରିଥିଲେ । କିନ୍ତୁ ସେମାନଙ୍କ ଜୀବନ ରକ୍ଷା କରିବା ପରିବର୍ତ୍ତେ ହସ୍ପିଟାଲ ପ୍ରଶାସନ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ ।
କବାଟ-ଝରକା ଭାଙ୍ଗି ଉଦ୍ଧାର କଲେ ଅଗ୍ନିଶମ ବାହିନୀ:
ଅଗ୍ନିଶମ ଅଧିକାରୀ ଆର.ଏନ. ପାଣ୍ଡେ ଜଣାଇଛନ୍ତି ଯେ, ସକାଳେ ଅଗ୍ନିକାଣ୍ଡର ସୂଚନା ପାଇ ଯେତେବେଳେ ଫାୟାର ବ୍ରିଗେଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା, ସେତେବେଳେ ହସ୍ପିଟାଲ ପରିସରରେ କୌଣସି ଜଣେ ହେଲେ କର୍ମଚାରୀ ଉପସ୍ଥିତ ନଥିଲେ । ଆଇସିୟୁ ୱାର୍ଡଟି ସମ୍ପୂର୍ଣ୍ଣ ରୂପେ ଜଳୁଥିଲା ଏବଂ ଧୂଆଁରେ ଭରି ରହିଥିଲା । ଶେଷରେ ଦମକଳ ଗାଡ଼ିର କର୍ମଚାରୀମାନେ ହସ୍ପିଟାଲର ଝରକା ଓ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ଏବଂ ସେଠାରେ ଫସି ରହିଥିବା ପ୍ରାୟ ୨୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
ପୀଡ଼ିତ ପରିବାରର ଗୁରୁତର ଅଭିଯୋଗ:
"ଆମ ବାପା ଆଇସିୟୁରେ ଭର୍ତ୍ତି ହୋଇଥିଲେ । ନିଆଁ ଲାଗିବା ପରେ ଡାକ୍ତର ଏବଂ ଷ୍ଟାଫ୍ ସେମାନଙ୍କୁ ମରିବା ପାଇଁ ଛାଡ଼ି ପଳାଇଲେ । ଏପରିକି ଦୁର୍ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତ ଶରୀର ମଧ୍ୟ ହସ୍ତାନ୍ତର କରୁନାହାନ୍ତି ।" ଏହି ଅଭାବନୀୟ ଦୁର୍ଘଟଣାରେ ୨୦ରୁ ଅଧିକ ରୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନେକ ରୋଗୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ସିଭିଲ ସର୍ଜନ ଘଟଣାସ୍ଥଳରେ ପହଞ୍ଚି ମେଡିକାଲ ସହାୟତାର ତଦାରଖ କରୁଛନ୍ତି । ନିଆଁ ଲାଗିବା ପରେ କିଛି ପରିବାର ନିଜ ସମ୍ପର୍କୀୟଙ୍କ କୌଣସି ସନ୍ଧାନ ପାଉନଥିବା ପ୍ରଶାସନକୁ ଜଣାଇଛନ୍ତି । ସେମାନଙ୍କର ସ୍ଥିତି ଯାଞ୍ଚ କରାଯାଉଛି । ଏହି ସମ୍ପୂର୍ଣ୍ଣ ମାମଲାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ଆହୁରି ପଢ଼ନ୍ତୁ... Hospital Fire: ରେଷ୍ଟୁରାଣ୍ଟ ପରେ ହୁତୁ ହୁତୁ ହୋଇ ଜଳିଲା ହସ୍ପିଟାଲ; ଜଳିଗଲେ ୩ ରୋଗୀ, ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା