ନୂଆଦିଲ୍ଲୀ ୦୪/୦୬: ଭାରତରେ ଟ୍ରେନ୍ ବିଳମ୍ବ ହେବା ସାଧାରଣ କଥା । ଅଧିକାଂଶ ଯାତ୍ରୀ ଏହାକୁ ବାଧ୍ୟବାଧକତା ମନେକରି ଅଣଦେଖା କରିଦିଅନ୍ତି । କିନ୍ତୁ ରାଜସ୍ଥାନର କୋଟା ବାସିନ୍ଦା ଜଣେ ଦମ୍ପତି ଏପରି କରିନାହାନ୍ତି । ଟ୍ରେନ୍ ବିଳମ୍ବ ହେବାରୁ ସେମାନଙ୍କ ବିମାନ ଯାତ୍ରା ବାତିଲ ହୋଇଗଲା । ଏହା ପରେ ସେମାନେ ନ୍ୟାୟ ପାଇଁ ଲଢ଼ିଲେ ଏବଂ ଶେଷରେ ରେଳବାଇଠୁ କ୍ଷତିପୂରଣ ହାସଲ କଲେ । ମାମଲା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

କୋଟା ବାସିନ୍ଦା ଅନିଲ କୁମାର ରାଣା ଓ ତାଙ୍କ ପତ୍ନୀ ଅନୀତା ରାଣା ଡିସେମ୍ବର ୨୦୧୭ରେ କେରଳ ଯାତ୍ରା ଯୋଜନା କରିଥିଲେ । ଏଥିପାଇଁ ଦିଲ୍ଲୀରୁ ତିରୁଅନନ୍ତପୁରମ୍କୁ ଏୟାର ଇଣ୍ଡିଆ ବିମାନ ପୂର୍ବରୁ ବୁକ୍ କରିଥିଲେ । ଉଭୟ ବିମାନ ଟିକଟରେ ୩୩,୯୨୯ ଟଙ୍କା ଖର୍ଚ୍ଚ କରିଥିଲେ । ଦିଲ୍ଲୀ ଯିବାକୁ ଉଭୟ କୋଟାରୁ ରାଜଧାନୀ ଏକ୍ସପ୍ରେସ୍‌ରେ ଟିକଟ କଲେ । ଟ୍ରେନ୍‌ର ସମୟ ଯାହା ଥିଲା, ବିମାନବନ୍ଦରରେ ପହଞ୍ଚିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିଥାନ୍ତା । ରାଜଧାନୀ ଏକ୍ସପ୍ରେସ୍ ଦ୍ୱିପ୍ରହର ୧୨.୪୦ରେ ହଜରତ ନିଜାମୁଦ୍ଦିନ ଷ୍ଟେସନ୍ ପହଞ୍ଚିଥାନ୍ତା । ବିମାନର ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬.୦୫ ଥିଲା । କିନ୍ତୁ ଟ୍ରେନ୍ ୪ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଯାତ୍ରା କରୁଥିବାରୁ ଦମ୍ପତିଙ୍କ ଯାତ୍ରା ଯୋଜନା ବିଗିଡ଼ିଗଲା । ସନ୍ଧ୍ୟା ପ୍ରାୟ ୪.୫୦ରେ ଟ୍ରେନ୍ ଦିଲ୍ଲୀରେ ପହଞ୍ଚିଲା । ଦମ୍ପତି ଷ୍ଟେସନ୍‌ରୁ ବିମାନବନ୍ଦର ପହଞ୍ଚିବା ବେଳକୁ ବିମାନ ଛାଡ଼ିସାରିଥିଲା ।

ବିମାନ ଚାଲିଯିବା ପରେ ଦମ୍ପତିଙ୍କୁ ଦିଲ୍ଲୀରେ ରହିବାକୁ ପଡ଼ିଲା । ହୋଟେଲ ଖର୍ଚ୍ଚ ଉଠାଇବାକୁ ପଡ଼ିଲା । ପର ଦିନ ନୂଆ ବିମାନ ଟିକଟ କିଣିବାକୁ ପଡ଼ିଲା । ନୂଆ ଟିକଟରେ ୭୨,୯୩୦ ଟଙ୍କା ଖର୍ଚ୍ଚ ହେଲା, ଯାହା ପୂର୍ବ ଟିକଟ ତୁଳନାରେ ବହୁତ ଅଧିକ ଥିଲା । ଆର୍ଥିକ କ୍ଷତି ସହିତ ଦମ୍ପତି ମାନସିକ ଚିନ୍ତା ଓ ସମୟ ଅପଚୟର ସମ୍ମୁଖୀନ ହେଲେ । ପ୍ରଥମେ ରେଳବାଇ ଅଧିକାରୀଙ୍କୁ ଅଭିଯୋଗ ପଠାଇଲେ ଏବଂ ପରେ ବୈଧ ନୋଟିସ୍ ବି ଜାରି କଲେ । ରେଳବାଇରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସେମାନେ କୋଟା ଜିଲ୍ଲା ଉପଭୋକ୍ତା ଆୟୋଗର ଦ୍ୱାରସ୍ଥ ହେଲେ । ଶୁଣାଣିରେ ରେଳବାଇ ପରିଚାଳନା, ଟେକ୍ନୋଲୋଜି ଓ ସୁରକ୍ଷା କାରଣ ଯୋଗୁ ଟ୍ରେନ୍ ଯାତ୍ରା ବିଳମ୍ବ ହୋଇଥିବା କହିଲା । କିନ୍ତୁ ଆୟୋଗ ଏହି ଦଲିଲକୁ ପର୍ଯ୍ୟାପ୍ତ ମାନିଲେ ନାହିଁ ।

ଆହୁରି ପଢ଼ନ୍ତୁ...୬୧ ବର୍ଷ ବୟସରେ ତୃତୀୟ ବିବାହ କରିବେ ଆମିର ଖାନ୍, ଗର୍ଲଫ୍ରେଣ୍ଡ ଗୌରୀଙ୍କ ସହ ଏହି ଦିନ ନେବେ ସାତଫେରା

​​​​​​​

ଅଗଷ୍ଟ ୨୦୨୩ରେ ଉପଭୋକ୍ତା ଆୟୋଗ ଦମ୍ପତିଙ୍କ ପକ୍ଷରେ ନିଷ୍ପତ୍ତି ଶୁଣାଇ ରେଳବାଇକୁ କ୍ଷତିପୂରଣ ଦେବାକୁ ଆଦେଶ ଦେଲେ । ଅତିରିକ୍ତ ବିମାନ ଖର୍ଚ୍ଚ ପାଇଁ ୩୯,୦୦୧ ଟଙ୍କା, ମାନସିକ ପୀଡ଼ା ପାଇଁ ୨୦ ହଜାର, ହୋଟେଲ ଖର୍ଚ୍ଚ ପାଇଁ ୫ ହଜାର ଏବଂ ମକଦ୍ଦମା ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଲେ । ଏହିଭଳି ଭାବେ ମୋଟ୍ କ୍ଷତିପୂରଣ ୬୯,୦୦୧ ଟଙ୍କା ହେଲା । ରେଳବାଇ ଏହି ନିଷ୍ପତ୍ତିକୁ ରାଜ୍ୟ ଉପଭୋକ୍ତା ଆୟୋଗରେ ଚାଲେଞ୍ଜ କଲା, କିନ୍ତୁ ସେଠାରେ ମଧ୍ୟ ଅପିଲ ଖାରଜ ହୋଇଗଲା । ଏ ମାମଲାକୁ ସ୍ୱତନ୍ତ୍ର ବିବେଚନା କରାଯିବାର କାରଣ ଏଥିରେ ଟ୍ରେନ୍ ବିଳମ୍ବକୁ କେବଳ ଅସୁବିଧା ନୁହେଁ, ବରଂ ଆର୍ଥିକ କ୍ଷତି ଓ ସେବାରେ ତ୍ରୁଟି ରୂପେ ଦେଖାଗଲା ।