ଭୁବନେଶ୍ଵର, ୧୩/୧୦ : ନୂଆପଡ଼ା ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର। ଉପନିର୍ବାଚନ ବେଳେ ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ୮ଟି ବୁଥ୍ରେ ହେଲିକପ୍ଟର ବ୍ୟବହାର ହେବ। ୧୪ କମ୍ପାନୀ ଓ ସିଏପିଏଫ୍ ଉପନିର୍ବାଚନ ପାଇଁ ଆସିବେ। ଲୋକଙ୍କୁ ନେବା ଆଣିବା କରିବାରେ ହେଲିକପ୍ଟରର ବ୍ୟବହାର ହେବ ବୋଲି ସିଇଓ କହିଛନ୍ତି।
ସୂଚନା ଥାଉକି, ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ୨୦ ତାରିଖରେ ପର୍ଯ୍ୟନ୍ତ ଚାଲିବ । ୨୨ ତାରିଖରେ ଯାଞ୍ଚ ଓ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ନଭେମ୍ବର ୧୧ରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ୧୪ ନଭେମ୍ବରରେ ଭୋଟ୍ ଗଣତି ସହ ଫଳ ପ୍ରକାଶ ପାଇବ। ଏନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜେଡି ଆଶାୟୀ ପ୍ରାର୍ଥୀ ତଥା ସ୍ୱର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବିଜେଡି ଅଙ୍କ ଓଲଟପାଲଟ ହୋଇଯାଇଛି । ନୂଆପଡ଼ାରେ ଏବେ ଆରମ୍ଭ ହୋଇଛି ନୂଆ ଡ୍ରାମା । ଏବେ ବିଜେଡିରୁ ୪ ଜଣ ଆଶାୟୀ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଛନ୍ତି । ସେମାନେ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ର, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପସିଂ ମାଝି, ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ ଓ ପୂର୍ବତନ ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା । ସେପଟେ ଭୁବନେଶ୍ୱରରେ ବିଜେପି କୋର୍ କମିଟି ବୈଠକ ବସି ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ନିର୍ବାଚନ ପରିଚାଳନା ପାଇଁ ନେତାମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ବିଜେପିରୁ ଜୟ ଢ଼ୋଲକିଆ ପ୍ରାର୍ଥୀ ହେବା ଏକରକମ ଚୂଡ଼ାନ୍ତ ହୋଇଥିବା ବେଳେ ସଂସଦୀୟ କମିଟି ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । କଂଗ୍ରେସ ପ୍ରାର୍ଥ ଘାସିରାମ ମାଝୀ ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଥିବା ବେଳେ ବିଜେପି ଓ ବିଜେଡ଼ିରେ ଥିବା ଅସନ୍ତୁଷ୍ଠ ଗୋଷ୍ଠୀ ଉପରେ ନଜର ରଖିଛ।