କୋଣାର୍କ,୧୪।୯: କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ । କୋଣାର୍କରେ ସେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ଯାତ୍ରୀ ନିବାସରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ସ୍ବୀକୃତିପ୍ରାପ୍ତ ଗାଇଡ୍ ବିଶେଶ୍ୱର ଦାଶ ସୂର୍ଯ୍ୟମନ୍ଦିରର ଐତିହାସିକ ତଥ୍ୟ ବୁଝାଇ ଦେଖାଇଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟଗୁଡିକ ଦେଖିବା ସହ ସେଠାରେ ସେ କିଛି ସମୟ ଅତିବାହିତ କରିସାରିବା ପରେ ପୁରୀ ଅଭିମୁଖେ ଫେରିଯାଇଥିଲେ। ମୁଖ୍ୟ ବିଚାରପତିଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଏସପି ସଚିନ କୁମାର ପଟେଲ, ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢୀ,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, କୋଣାର୍କ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ପୁଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।