ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ହିମାଚଳ ପ୍ରଦେଶରେ ମୌସୁମୀ ଜନିତ ବନ୍ୟା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ପାଇଁ ରିଲିଫ ଓ ପୁନର୍ବାସନ କାର୍ଯ୍ୟ ପାଇଁ ୫ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଅର୍ଥ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରାଯିବ।
ଏନେଇ ବିଶ୍ୱ ଶର୍ମା ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, “ହିମାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ବ୍ୟାପକ ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତି ହୋଇଛି। ମୁଁ ଶୋକସନ୍ତପ୍ତ ପରିବାରମାନଙ୍କୁ ମୋର ହୃଦୟର ସହ ସମବେଦନା ଜଣାଉଛି ଏବଂ ପ୍ରଭାବିତମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଆସାମର ଜନତାଙ୍କ ପକ୍ଷରୁ ଆମେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ କୋଟି ଟଙ୍କା ଦାନ କରୁଛୁ।”
ତ୍ରିପୁରା ମଧ୍ୟ ସମାନ ପରିମାଣରେ ୫ କୋଟି ଟଙ୍କା ଦାନ କରି ହିମାଚଳ ପ୍ରଦେଶର ବନ୍ୟା ପୀଡ଼ିତମାନଙ୍କୁ ସହାୟତା ପ୍ରଦାନ କରିଛି। ତ୍ରିପୁରା ମୁଖ୍ୟମନ୍ତ୍ରୀ ମଣିକ ସାହା କହିଛନ୍ତି ଯେ ତାଙ୍କ ରାଜ୍ୟର ଜନତା ଏହି ସଙ୍କଟ ସମୟରେ ହିମାଚଳ ପ୍ରଦେଶ ସହିତ ଐକ୍ୟବଦ୍ଧ ଭାବେ ଛିଡ଼ା ହୋଇଛନ୍ତି।
ଜୁନ ୨୦ ତାରିଖରୁ ମୌସୁମୀ ଆରମ୍ଭ ହେବା ପରେ ହିମାଚଳ ପ୍ରଦେଶରେ ୧୩୩ଟି ବଡ଼ ଧରଣର ଭୂସ୍ଖଳନ, ୯୫ଟି ଆକସ୍ମିକ ବନ୍ୟା ଏବଂ ୪୫ଟି ବାଦଲଫଟା ଘଟଣା ଘଟିଛି। ଯାହା ବ୍ୟାପକ ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତି ଘଟାଇଛି। ଏହା ଯୋଗୁଁ ଶତାଧିକ ରାସ୍ତା, ବିଦ୍ୟୁତ ଟ୍ରାନ୍ସଫର୍ମର ଏବଂ ଜଳ ଯୋଗାଣ ଯୋଜନାରେ ବ୍ୟାଘାତ ସୃଷ୍ଟି ହୋଇଛି।
ଏହି ସହାୟତା ହିମାଚଳ ପ୍ରଦେଶରେ ଚାଲୁଥିବା ରିଲିଫ ଓ ପୁନର୍ବାସନ କାର୍ଯ୍ୟକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।