ରାଜଗିର, ୩/୯ : ଚଳିତ ପୁରୁଷ ହକି ଏସିଆ କପ୍ରେ ଆଜିଠୁ ସୁପର୪ ରାଉଣ୍ଡ୍ ଆରମ୍ଭ ହେବ । ଆଜି ୨ଟି ମ୍ୟାଚ୍ ରହିଛି । ଆୟୋଜକ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଦକ୍ଷିଣ କୋରିଆ ଏବଂ ମାଲେସିଆ ଓ ଚୀନ ସାମ୍ନାସାମ୍ନି ହେବେ । ସୁପର-୪ରେ ପ୍ରତି ଦଳ ୩ଟି ଲେଖାଏଁ ମ୍ୟାଚ୍ ଖେଳିବେ । ଶ୍ରେଷ୍ଠ ପ୍ରଦର୍ଶନକାରୀ ୨ଟି ଦଳ ମଧ୍ୟରେ ଫାଇନାଲ୍ ଖେଳାଯିବ । ପରବର୍ତ୍ତୀ ୨ଟି ସ୍ଥାନରେ ଥିବା ଦଳଙ୍କ ମଧ୍ୟରେ ତୃତୀୟ/ ଚତୁର୍ଥ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ । ପୁଲ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ସାବ୍ୟସ୍ତ ହୋଇଥିଲା । ଦଳ କ୍ରମାନ୍ୱୟରେ ୩ଟି ମ୍ୟାଚ୍ ଜିତି ମୋଟ ୯ପଏଣ୍ଟ ସହ ପୁଲ-ଏ’ ଟପ୍ପର ହୋଇଥିଲା । ହର୍ମନପ୍ରୀତ ବାହିନୀ ଚୀନକୁ ୪-୩ରେ, ଜାପାନକୁ ୩-୨ରେ ଓ କାଜାଖସ୍ତାନକୁ ୧୫-୦ ଗୋଲ୍ରେ ହରାଇଥିଲା ।
ଅନ୍ୟ ପଟରେ ଦକ୍ଷିଣ କୋରିଆ ମୋଟ ୬ ପଏଣ୍ଟ ସହ ପୁଲ୍-ବି’ରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଦଳ ଚାଇନିଜ ତାଇପେ’ ଓ ବାଂଲାଦେଶକୁ ହରାଇ ଥିବାବେଳେ ମାଲେସିଆଠୁ ପରାଜିତ ହୋଇଥିଲା । ଦକ୍ଷିଣ କୋରିଆ ବିପକ୍ଷରେ ଭାରତର ପଲା ଭାରି ରହିବ । ବିଶ୍ୱ ମାନ୍ୟତା ତାଲିକାରେ ଭାରତ ସପ୍ତମ ଓ ଦକ୍ଷିଣ କୋରିଆ ୧୫ତମ ସ୍ଥାନରେ ରହିଛି । ସେହିପରି ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ୩ଟି ମ୍ୟାଚ୍ରେ ମୋଟ ୨୨ଟି ଗୋଲ୍ କରିଥିବାବେଳେ ଦକ୍ଷିଣ କୋରିଆ ୧୩ଟି ଗୋଲ୍ କରିବାରେ ସଫଳ ହୋଇଛି । ଅଧିନାୟକ ହର୍ମନପ୍ରୀତ ସିଂହ ୭ଟି, ଅଭିଷେକ ୪ଟି, ଯୁଗରାଜ ସିଂହ ଓ ସୁଖଜିତ ସିଂହ ପ୍ରତ୍ୟେକ ୩ଟି ଲେଖାଏଁ ଗୋଲ୍ ସ୍କୋର କରିଛନ୍ତି । ଘରୋଇ ଗ୍ରାଉଣ୍ଡ ଓ ସମର୍ଥନ ଦଳର ଉତ୍ସାହ ବୃଦ୍ଧି କରିବ ।
୩ବର୍ଷ ତଳେ ଉଭୟ ଦଳ ଏସିଆ କପ୍ରେ ପରସ୍ପରକୁ ଭେଟିଥିଲେ ଏବଂ ଏହି ମ୍ୟାଚ୍ ୪-୪ ଗୋଲ୍ରେ ଡ୍ର’ ହୋଇଥିଲା । ଭାରତୀୟ ଦଳ: ଗୋଲକିପର-କ୍ରିଷନ ବାହାଦୂର ପାଠକ, ସୂରଜ କାରକେରା । ଡିଫେଣ୍ଡର-ସୁମିତ, ଜର୍ମନପ୍ରୀତ ସିଂ, ସଞ୍ଜୟ, ହର୍ମନପ୍ରୀତ ସିଂ, ଅମିତ ରୋହିଦାସ ଓ ଯୁଗରାଜ ସିଂ । ମିଡଫିଲ୍ଡର-ରାଜିନ୍ଦର ସିଂ, ରାଜ କୁମାର ପାଲ, ହାର୍ଦ୍ଦିକ ସିଂ, ହର୍ମନପ୍ରୀତ ସିଂ ଓ ବିବେକ ସାଗର ପ୍ରସାଦ । ଫରୱାର୍ଡ-ମନଦୀପ ସିଂ, ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂ ଓ ଦିଲପ୍ରୀତ ସିଂ । ବିକଳ୍ପ ଖେଳାଳି-ନୀଲମ ସଞ୍ଜୀପ ଖେସ ।