ସୋରଡ଼ା, ୧୪/୦୯ଗଞ୍ଜାମ ଜିଲ୍ଲା ସୋରଡ଼ାରେ ପବିତ୍ର କଣ୍ଟା ପିଢା ଯାତ୍ରା ଶନିବାର ସଂଧ୍ୟାରେ ସମାପନ ହୋଇଛି । ଆଶ୍ଵୀନ ମାସ କୃଷ୍ଣ ପକ୍ଷ ମୂଳାଅଷ୍ଟମୀରେ ମା କଣ୍ଟା ଦୋଳିରେ ବସି ଝୁଲି ଝୁଲି ଗଜା ହୋଇଥିବା ପଞ୍ଚଗବ୍ୟ ଭକ୍ତଙ୍କୁ ବାଣ୍ଟିଥିଲେ। ସକାଳେ ମନ୍ଦିରର ସେବାୟତ ଶୁଦ୍ଧପୂତ ହୋଇ ଭାଲିଆପଡା ଜଙ୍ଗଲକୁ ଯାଇ ଟଭା ଗଛକୁ ପୂଜାକରି ସେଥିରୁ କଣ୍ଟା ସଂଗ୍ରହ କରିଥିଲେ । ସେଠାରେ କଣ୍ଟା ପିଢା ତିଆରି କରି ମନ୍ଦିରକୁ ଫେରିଥିଲେ । ପରେ ମନ୍ଦିର ପରିସରରେ ଅସ୍ଥାୟୀ ଭାବେ କଣ୍ଟା  ଦୋଳି ତିଆରି କରାଯାଇଥିଲା । ଏହୀ ପୂର୍ବରୁ ପ୍ରଥମେ ସ୍ଥାନୀୟ ତହସିଲଙ୍କ କାର୍ଯ୍ୟ।ଳୟରୁ ରାଜଭୋଗ ଶୋଭାଯାତ୍ରା ବାହାରି ପୋଛୁଣିଙ୍କ ସାହିକୁ ଯାଇଥିଲା । ସେଠାରେ ପରମ୍ପରା ଅନୁଯାୟୀ, ନଗର ପରିକ୍ରମା ହୋଇଥିଲା । ପୋଛୁଣିଙ୍କ ଦେହରେ ମା ଆବିର୍ଭାବ ହୋଇଥିଲେ । ପରେ ଢୋଲ, ମହୁରୀ ସହ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜଗନ୍ନାଥ ମନ୍ଦିର ପରିସରକୁ ଅଣାଯାଇଥିଲା । ଏହାପରେ ସେଠାରୁ ଆସି କନ୍ଧୁଣୀ ଦେବୀ ମନ୍ଦିରରେ ଟଭାକଣ୍ଟାରେ ନିର୍ମିତ ଦୋଳିରେ ମା ବସି ଝୁଲି ଝୁଲି ଦର୍ଶନ ଦେଇଥିଲେ ।

୧୧ ଦିନିଆ ଏହି ଯାତ୍ରାରେ ପ୍ରତିଦିନ ସନ୍ଧ୍ୟାରେ ମଙ୍ଗଳ ଆଳତି ଅତ୍ୟନ୍ତ ଭାବ ବିଭୋର ହୋଇଥିଲା । ବରିଷ୍ଠ ପୁରୋହିତ କାଳିଚରଣ ଶତପଥି ସ୍ଵତନ୍ତ୍ର ରୀତିନୀତିରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରତିଦିନ ମା ନିକଟରେ ସ୍ଵତନ୍ତ୍ର କାକରା ଭୋଗ ଲାଗି ହୋଇ ଭକ୍ତଙ୍କୁ ବଣ୍ଟା ଯାଉଥିଲା । କନ୍ଧୁଣି ଦେବୀ ସେବା ସଂଘ ପକ୍ଷରୁ ପିଣ୍ଟୁ କର, ବିମଲ ସାହୁ, ଶାନ୍ତନୁ ପାତ୍ର, ରଞ୍ଜନ ସାହୁଙ୍କ ତତ୍ବାବଧାନରେ ହଜାର ହଜାର ସଂଖ୍ୟାରେ ଶଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଚଳିତ ଥର କନ୍ଧୁଣୀ ଦେବୀ ମହୋତ୍ସବ ୧୦ରୁ ୧୩ ତାରିଖ ଯାଏ ଚାଲିଥିଲା । ଏହି ଯାତ୍ରାରେ ମନ୍ତ୍ରୀ, ବିଧାୟକ ସମେତ ରାଜ୍ୟ ତଥା ରାଜ୍ୟ ବାହାର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ୍ ହୋଇଥିଲେ । କଳାକାର ମାନେ ନିଜର କଳା ପ୍ରଦର୍ଶନ କରିଥିଲେ । ସାଂସଦ ପ୍ରତିନିଧି ବସନ୍ତ ବିଶୋୟୀ ଉଦ୍‌ଯାପନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସନ୍ଧ୍ୟାରେ ନିଗମାନନ୍ଦ ରୋଡ଼ ସ୍ଥାନୀୟ ଯୁବକ ମାନଙ୍କ ତରଫରୁ ସ୍ୱତନ୍ତ୍ର ଯୋଗାଡ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ଓଡିଶାର ବାଲିଗୁଡା, ଢେଙ୍କାନାଳ, ଦାରିଙ୍ଗବାଡି, ସୁନ୍ଦରଗଡ଼, ପୁରୁଷୋତ୍ତମପୁର, ପୁରୀ ତଥା ବିଭିନ୍ନ ଜିଲ୍ଲାରୁ କଳାକାରମାନେ ଯୋଗାଡ଼ ଶୋଭାଯାତ୍ରାରେ ନୃତ୍ୟ ପରିବେଷଣ କରିଥିଲେ ।

ସିମାଞ୍ଚଳ ନାୟକ, କାଳିଆ ମାଝିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅଘୋରୀ ନୃତ୍ୟ, କାଳୀ ନୃତ୍ୟ, ବିକଟାଳ ନୃତ୍ୟ, ପଞ୍ଚମୁଖ ନୃତ୍ୟ, ଅଗ୍ନି ଖେଳ, ଆଖଡ଼ା ନୃତ୍ୟ, ଗଜାନନ ବେଶ, ନାମ କୀର୍ତ୍ତନ, ପଞ୍ଚମ ଅବତାର ସହ ଆଧ୍ୟାତ୍ମିକ ପରିବେଶରେ ଶୋଭାଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା । ବିଧାୟକ ନୀଳମଣି ବିଶୋୟୀ , ଉପସଭାପତି ଦୁର୍ଗାଚରଣ ଶତପଥି, କୋଷାଧ୍ୟକ୍ଷ ପ୍ରମୋଦ ଅଧିକାରୀ, ସମ୍ପାଦକ ରଜନୀ ମହାପାତ୍ର ,ସାଂସଦ ପ୍ରତିନିଧି ସିମାଞ୍ଚଳ ଅଧିକାରୀ , ଯୁବନେତା ଭି ଜଗଦୀଶ ରାଜୁ ପରିଚାଳନା କରିଥିଲେ । ଖେଳପଡିଆରେ ରାମ ଦୋଳି , ମିନାବଜାରରେ ପ୍ରବଳ ଭିଡ଼ ରହିଥିଲା । ଆସ୍କା ଏସଡ଼ିପିଓ ସନ୍ତୋଷ କୁମାର ଜେନା, ସମେତ ସ୍ଥାନୀୟ ଥାନା ଅଧିକାରୀ ସମସ୍ତ ପ୍ରକାର ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା କରିଥିଲେ । ​​​​​​​