ଭୁବନେଶ୍ୱର,୧୨/୧୦: ରାଜ୍ୟରେ ବନ୍ୟପ୍ରାଣୀ-ମଣିଷ ଲଢ଼େଇ ସଂଖ୍ୟା ବଢିବାରେ ଲାଗିଛି । କେତେବେଳେ ହାତୀ ପାଦ ତଳେ ତ ଆଉ କେତେବେଳେ ବାର୍ହା, ଭାଲୁ କବଳରେ ଆସି ପ୍ରାଣ ହରାଉଛି ମଣିଷ । ଗତ ୧୦ ବର୍ଷରେ ବନ୍ୟପ୍ରାଣୀଙ୍କ ଆକ୍ରମଣରେ ୧୩୯୫ ଜଣଙ୍କ ଜୀବନ ଯାଇଛି । ସେଥିରେ କେବଳ ହାତୀଜନିତ ମୃତ୍ୟୁ ସଂଖ୍ୟା ହେଉଛି ୧୧୫୭ । ଅବଶିଷ୍ଟ ୨୩୮ଜଣଙ୍କ ଜୀବନ ଅନ୍ୟ ଜଙ୍ଗଲୀ ପ୍ରାଣୀ ନେଇଛନ୍ତି । ନିକଟରେ ପ୍ରକାଶିତ ଜଙ୍ଗଲ ବିଭାଗର ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ମିଳିଛି । ତେବେ ବନ୍ୟପ୍ରାଣୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କୁ ଗତ ୧୦ ବର୍ଷରେ ସରକାର ମୋଟ୍ ୮ କୋଟି ୫୪ ଲକ୍ଷ ୫୧ ହଜାର ଟଙ୍କାର କ୍ଷତିପୂରଣ ଦେଇଥିବା ଜଣାପଡ଼ିଛି । ରିପୋର୍ଟ କହୁଛି, ୨୦୧୫- ୧୬ରେ ହାତୀ ଆକ୍ରମଣରେ ମାତ୍ର ୮୯ ଜଣଙ୍କ ମୃତ୍ୟୁ ହୋଇଥିଲା ।
୨୦୨୪-୨୫ରେ ଏହା ବୃଦ୍ଧି ପାଇ ୧୪୩ରେ ପହଞ୍ଚିଥିଲା । ୨୦୧୬-୧୭ରେ ୬୬, ୨୦୧୭-୧୮ରେ ୧୦୫, ୨୦୧୮-୧୯ରେ ୮୫, ୨୦୧୯-୨୦ରେ ୧୧୭, ୨୦୨୦-୨୧ରେ ୧୩୯, ୨୦୨୧-୨୨ରେ ୧୧୩, ୨୦୨୨-୨୩ରେ ୧୪୬, ୨୦୨୩-୨୪ରେ ୧୫୪ ଜଣ ମଣିଷଙ୍କ ମୃତ୍ୟୁ ଘଟିଛି । ସେହିପରି ୨୦୧୫-୧୬ରୁ ୨୦୨୪- ୨୫ ମଧ୍ୟରେ ୩୪୮୧ ଜଣ ମଣିଷ ବନ୍ୟପ୍ରାଣୀଙ୍କ ଆକ୍ରମଣରେ ଆହତ ହୋଇଥିବା ବେଳେ ୨୭୩ ଗୋରୁ ମରିଛନ୍ତି । ୧୦ ବର୍ଷରେ ୧୮୦୦୦ ଘର ଓ ୧୩୩୯୬୦.୫୬ ଏକର ଜମିରେ ଥିବା ଚାଷକୁ ଦଳିଚକଟି ନଷ୍ଟ କରିପକାଇଛନ୍ତି । ଘର ବାବଦକୁ ୧୨ କୋଟି ୨୦ ଲକ୍ଷ ୪୫ହଜାର ଓ ଫସଲ କ୍ଷୟକ୍ଷତି ପାଇଁ ୧୫ କୋଟି ୩୫ ଲକ୍ଷ ଟଙ୍କା ସରକାର ଦେଇଛନ୍ତି । ଅପରପକ୍ଷରେ, ହାତୀ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି । ବିଶେଷକରି ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ହାତୀ ସହ ସମନ୍ୱୟ ରଖିବାକୁ ଗ୍ରାମବାସୀଙ୍କୁ ଜଙ୍ଗଲ ବିଭାଗ ପରାମର୍ଶ ଦେଇଛି । ବହୁ ସମୟରେ ହାତୀମାନେ ଜଙ୍ଗଲ ବାହାରକୁ ଆସୁଛନ୍ତି, ଯାହା ଫଳରେ ମଣିଷ ଓ ହାତୀ ମଧ୍ୟରେ ଲଢ଼େଇ ହେଉଛି ।
ହାତୀଙ୍କ ସୁରକ୍ଷା ପାଇଁ ଜଙ୍ଗଲ ଭିତରେ ଧାନଚାଷ କରିବା ସହ ସେମାନଙ୍କ ଖାଦ୍ୟ ପାଇଁ ବାଉଁଶ ଗଛ ଲଗାଇବାକୁ ବନ ବିଭାଗ ଯୋଜନା କରୁଛି । ଏହା ସହିତ ବାଘଙ୍କ ସୁରକ୍ଷା ପାଇଁ ଜଙ୍ଗଲରେ ସିସିଟିଭି ଲଗାଇବା ସହିତ ଏଆଇର ବ୍ୟବହାର କରାଯାଉଛି । ରାଜ୍ୟ ସରକାର ଗତ ୨ ବର୍ଷ ମଧ୍ୟରେ ୪୬ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି । ସେଥିମଧ୍ୟରେ ଖୋର୍ଦ୍ଧା ଜଙ୍ଗଲ ଡିଭିଜନରୁ ଅଣ୍ଡିରା ହରିଣ, ୩ଟି ହିଲ୍ ମଇନା, ଖଡ଼ିଆଳରୁ କଲରାପତରିଆ, ୨ଟି ବଜ୍ରକାପ୍ତା, ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନରୁ ଘଡ଼ିଆଳ, ରାଜନଗରରୁ କୁମ୍ଭୀର, ବ୍ରହ୍ମପୁରରୁ କୃଷ୍ଣସାର ମୃଗ, ସୁନ୍ଦରଗଡ଼ରୁ ଚୌସିଙ୍ଗା, ଅନୁଗୁଳରୁ ବଜ୍ରକାପ୍ତା, ପେଚା, ବାଲେଶ୍ୱରରୁ ଡଲଫିନ୍, ଫୁଲବାଣୀରୁ ଶାଗୁଣା, କଳାହାଣ୍ଡିରୁ ନୀଳଗାଈ, ରାୟଗଡ଼ାରୁ ଭାଲୁଛୁଆ ଭଳି ପ୍ରାଣୀଙ୍କୁ ଉଦ୍ଧାର କରାଯାଇଛି । ଆଗାମୀ ଦିନରେ ଚିଲିକାରେ ପ୍ରତିଷ୍ଠା ହେବାକୁ ଯାଉଛି ଏକ ଅତ୍ୟାଧୁନିକ ‘ଚିଲିକା ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ ଓ ପୁନର୍ବାସ କେନ୍ଦ୍ର’ । କେବଳ ସେତିକି ନୁହେଁ, ଚିଲିକାକୁ ଆସୁଥିବା ବିରଳ ପକ୍ଷୀ ଓ ଜଳଚର ଜୀବଙ୍କ ପାଇଁ ‘ଚିଲିକା ମୋବାଇଲ ଭେଟେରିନାରୀ ୟୁନିଟ୍’ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ବନ ବିଭାଗ ରିପୋର୍ଟ ଦର୍ଶାଇଛି ।