ନୂଆଦିଲ୍ଲୀ,୨୦/୧୦: ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌କୁ ନେଇ  ବଡ଼ ଚେତାବନୀ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) । ଆଇଏମ୍‌ଏଫ୍‌ ମୁଖ୍ୟ  କ୍ରିଷ୍ଟାଲିନା ଜର୍ଜିଭା ଏହାକୁ ବିଶ୍ୱ ବ୍ୟାପାରରେ  ବଡ଼ ବାଧକ ବୋଲି ଦର୍ଶାଇଛନ୍ତି । ବିଶ୍ୱ  ଅର୍ଥନୀତିର ବିକାଶ ଦିଗରେ ଏହା ସମସ୍ୟା  ସୃଷ୍ଟି କରିବ ବୋଲି ସେ କହିଛନ୍ତି ।  

ଟ୍ରମ୍ପଙ୍କ ଟାରିଫ୍‌ ବିକାଶମୁଖୀ ବଜାରଗୁଡ଼ିକର ଅଭିବୃଦ୍ଧିକୁ ଧୀମା କରିପାରେ ବୋଲି ଜର୍ଜିଭା  କହିଛନ୍ତି । ଏହାସହିତ ସେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଭରସା ଦେଖାଇଛନ୍ତି ଏବଂ କହିଛନ୍ତି ଯେ, ଭାରତ ବିଶ୍ୱର ସବୁଠାରୁ  ଦ୍ରୁତ ଅର୍ଥବ୍ୟବସ୍ଥା ମଧ୍ୟରେ ଅନ୍ୟତମ । ଏହା ବିଶ୍ୱ ପାଇଁ ଖୋଲା ରହିବା ଅତ୍ୟନ୍ତ ଜରୁରୀ ।

ଟାରିଫ୍‌ରୁ ସମ୍ଭାବ୍ୟ କ୍ଷତିକୁ ନେଇ ସତର୍କ କରାଇ ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା  କହିଛନ୍ତି ଯେ, ସମ୍ପ୍ରତି ବିଶ୍ୱର କିଛି ବଡ଼  ଅର୍ଥବ୍ୟବସ୍ଥାଗୁଡ଼ିକ ସଂରକ୍ଷଣବାଦୀ ଉପାୟ ଆପଣାଉଛନ୍ତି ଏବଂ ଟାରିଫ୍‌କୁ ଏକ ଅସ୍ତ୍ର ଭାବେ  ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ, ଅଧିକାଂଶ  ଦେଶ ଏବେ ବି ଖୋଲା ଏବଂ ନିରପେକ୍ଷ  ବ୍ୟାପାରକୁ ସମର୍ଥନ ଜାରି ରଖିଛନ୍ତି । କାରଣ  ସେମାନଙ୍କ ଅନୁସାରେ, ବିଶ୍ୱ ଅର୍ଥନୈତିକ  ଅଭିବୃଦ୍ଧି ପାଇଁ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ସେ  କହିଲେ ଯେ, ଟାରିଫ୍‌ ଯୋଗୁ ବିଶ୍ୱ ବ୍ୟାପାରକୁ  ବଡ଼ ଆକାରରେ କ୍ଷତି ହୋଇପାରେ ।  

ଜର୍ଜିଭା କହିଲେ, ଆଇଏମ୍‌ଏଫ୍‌ର ୧୯୧  ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ମାତ୍ର ୩ ଦେଶ  ଯଥା ଆମେରିକା, ଚୀନ୍‌ ଏବଂ କିଛି ମାତ୍ରାରେ  କାନାଡା ଟାରିଫ୍‌ ଲଗାଇବା ଦିଗରେ ଅଧିକ  ସକ୍ରିୟ ରହିଛି । ଅନ୍ୟ ୧୮୮ ଦେଶ ଏଥିରୁ  ଦୂରେଇ ରହିଛନ୍ତି । ଏ ଦେଶଗୁଡ଼ିକ ବହୁ  ଅନୁଗୃହିତ ରାଷ୍ଟ୍ରର ନିୟମ ଅଧୀନରେ ହିଁ  ବ୍ୟାପାରକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।  ଜର୍ଜିଭା ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡ଼ିକୁ ଅନୁରୋଧ  କରିଛନ୍ତି ଯେ, ସେମାନେ ଏକ ଖୋଲା,  ନିରପେକ୍ଷ ଏବଂ ନିୟମ-ଆଧାରିତ ବ୍ୟାପାର  ପ୍ରଣାଳୀ ଦିଗରେ କାର୍ଯ୍ୟ କରନ୍ତୁ ।

ଭାରତକୁ ପ୍ରଶଂସା କରି ଜର୍ଜିଭା କହିଛନ୍ତି  ଯେ, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ  ଅର୍ଥନୀତି ମଧ୍ୟରୁ ଅନ୍ୟତମ । ନିଜର ସୁଧାର  ପ୍ରୟାସ କାରଣରୁ ବିଶ୍ୱ ଅର୍ଥନୈତିକ  ଅଭିବୃଦ୍ଧିରେ ଏହା ବଡ଼ ଯୋଗଦାନ ଦେଉଛି ।