ଦୁବାଇ, ୨୯/୦୯: ଏସିଆ କପ୍ର ଚଳିତ ସଂସ୍କରଣ ବାଦ ବିବାଦ ମଧ୍ୟରେ ଶେଷ ହୋଇଛି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟ୍ରେ ହରାଇ ଡିଫେଣ୍ଡିଂ ଚାମ୍ପିଅନ ଭାରତ ନବମ ଥର ଏସିଆ କପ୍ ଚାମ୍ପିଅନ୍ ହୋଇଛି । ପୂର୍ବରୁ ଭାରତ ୧୯୮୪, ୧୯୮୮, ୧୯୯୦–୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ ଓ ୨୦୨୩ରେ ଚାମ୍ପିଅନ ହୋଇଥିଲା ।
ଭାରତ ଚାମ୍ପିଅନ ହେବା ପରେ ପୁରସ୍କାର ବିତରଣ ଉତ୍ସବ ବେଶ ବିଳମ୍ବରେ ଆରମ୍ଭ ହୋଇଥିଲା । ଏସିଆନ କ୍ରିକେଟ୍ କାଉନସିଲ (ଏସିସି)ର ଅଧ୍ୟକ୍ଷ ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଚାମ୍ପିଅନ ଟ୍ରଫି ପ୍ରଦାନ କରିବା କଥା । କିନ୍ତୁ ଭାରତୀୟ ଦଳ ତାଙ୍କଠୁ ଟ୍ରଫି ନେବାକୁ ମନା କରିଥିଲେ । ଯେଉଁଥିପାଇଁ ପୁରସ୍କାର ବିତରଣ ଉତ୍ସବ ବିଳମ୍ବରେ ଆରମ୍ଭ ହୋଇଥିଲା । ଖେଳାଳିମାନେ ବ୍ୟକ୍ତିଗତ ପୁରସ୍କାର ଗ୍ରହଣ କରିଥିଲେ । କିନ୍ତୁ ଟ୍ରଫି ପ୍ରଦାନ ବେଳକୁ ପୁରସ୍କାର କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସାଇମନ ଡୋଲ ଘୋଷଣା କରିଥିଲେ, ‘ଏସିସି ପକ୍ଷରୁ ମୋତେ ଅବଗତ କରାଯାଇଛି ଯେ ଭାରତ ବିଜୟ ଟ୍ରଫି ଗ୍ରହଣ କରିବ ନାହିଁ ।’ ହୁଏତ ପ୍ରଥମ ଥର ଏସିଆ କପ୍ରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।ଯେଉଁଥି ପାଇଁ ଏସୀୟ କ୍ରିକେଟ୍ ପରିଷଦ ତଥା ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ୍ ନକଭି, ୟୁଏଇ ରାଜପରିବାରର ସଦସ୍ୟ ବହୁତ ସମୟ ଠିଆ ହୋଇଥିଲେ । ଶେଷରେ ଟିମ୍ ଇଣ୍ଡିଆ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନ କରିଦେଇଥିଲା। ପୋଡ଼ିୟମ ନିକଟ ପ୍ରାୟ ଦେଢ଼ଘଣ୍ଟା ଡ୍ରାମା ଦେଖିବାକୁ ମିଳିଥିଲା । ପରେ ପ୍ରଥମ ଥର ବିନା ଟ୍ରଫିରେ ସେଲିବ୍ରେସନ କରିଥିଲେ ସୂର୍ଯ୍ୟ ସେନା। ଲିଗ୍ ମ୍ୟାଚ୍ରୁ ଫାଇନାଲ ପର୍ଯ୍ୟନ୍ତ ‘ନୋ ହ୍ୟାଣ୍ଡସେକ’ ବିବାଦ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।ରିପୋର୍ଟ ଅନୁଯାୟୀ ଆରବ ଏମିରେଟ୍ସ କ୍ରିକେଟ୍ ବୋର୍ଡ ଉପାଧ୍ୟକ୍ଷ ଖାଲିଦ ଅଲ୍ ଜାହୁରି ଟିମ୍ ଇଣ୍ଡିଆକୁ ଏସିଆ କପ୍ ଟ୍ରଫି ପ୍ରଦାନ କରିପାରନ୍ତି ।
ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଥିବାରୁ ଏଥର ଟି-ଟ୍ୱେଣ୍ଟି ଫର୍ମାଟରେ ଏସିଆ କପ୍ ଖେଳାଯାଇଥିଲା । ଟାଇଟଲ୍ ଲଢ଼େଇରେ ସ୍ପିନର କୁଲଦୀପ ଯାଦବ ଓ ଅଲରାଉଣ୍ଡର ତିଳକ ବର୍ମା ଅବିଶ୍ୱସନୀୟ ପ୍ରଦର୍ଶନ କରି ଭାରତକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କୁଲଦୀପ୍ ଏହି ମ୍ୟାଚ୍ରେ ୪ ଓଭରରେ ୩୦ରନ୍ ପ୍ରଦାନ କରି ୪ ୱିକେଟ୍ ଅକ୍ତିଆର କରିଥିଲେ । ଏହି ପ୍ରଦର୍ଶନ ବଳରେ ସେ ଏକ ରେକର୍ଡ଼ ନିଜ ନାମରେ ଲେଖାଇଥିଲେ । କୌଣସି ଟି-ଟ୍ୱେଣ୍ଟି ସିରିଜ କିମ୍ବା ଟୁର୍ଣ୍ଣାମେଣ୍ଟରେ କୁଲଦୀପ ସର୍ବାଧିକ ୱିକେଟ୍ ରେକର୍ଡ଼ ସ୍ଥାପନ କରିଥିଲେ । ଏସିଆ କପ୍ରେ ସେ ମୋଟ ୧୭ଟି ୱିକେଟ୍ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏବଂ ଆଫଗାନିସ୍ତାନର ଫଜଲହକ୍ ଫାରୁକି ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୪ରେ ସମାନ ୧୭ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଫାଇନାଲ୍ରେ କୁଲଦୀପ୍ଙ୍କ ବୋଲିଂ ପ୍ରଶଂସନୀୟ ରହିଥିଲା । ସେ ସାଏମ ଆୟୁବ (୧୪)ଙ୍କୁ ନିଜର ପ୍ରଥମ ଶିକାର ବନାଇଥିଲେ । ଏହାପରେ ଅଧିନାୟକ ସଲମାନ୍ ଆଘା (୮), ସାହିନ ଶାହ ଆଫ୍ରିଦି (୦) ଏବଂ ଫହିମ ଅସ୍ରଫ (୦)ଙ୍କୁ ପାଭିଲିୟନ ପଠାଇଥିଲେ । ଫଳରେ ପାକିସ୍ତାନ ୧୪୬ (୧୯.୧) ରନ୍ରେ ଅଟକି ଯାଇଥିଲା । ଏହାର ଜବାବରେ ଭାରତ ୨ଟି ବଲ୍ ବାକି ଥାଇ ୫ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ତିଳକ ବର୍ମା ଅପରାଜିତ ୬୯ରନ୍ କରି ଦଳକୁ ଜିତାଇଥିଲେ । ସେ ଧୈର୍ଯ୍ୟର ସହ ତିଷ୍ଠି ରହି ପାକ୍ ବୋଲରଙ୍କୁ ନିର୍ଧୂମ ପ୍ରହାର କରିଥିଲେ । ୪୧ ବଲରୁ ଅର୍ଦ୍ଧଶତକ ଏବଂ ୫୩ ବଲରୁ ୬୯ ରନ୍ କରିଥିଲେ । ଯେଉଁଥିରେ ୩ଟି ଚୌକା ଓ ୪ଟି ଛକା ମାରିଥିଲେ । ତିଳକ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।ଟୁର୍ଣ୍ଣାମେଣ୍ଟରେ ୩୧୪ ରନ୍ କରିଥିବା ଅଭିଷେକ ଶର୍ମା ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଥିଲେ ।