କଟକ,୫।୧୦ : କଟକରେ ଉତ୍ତେଜନାକୁ ଦୃଷ୍ଟିରେ ରଖି  ସହରରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ କରାଯାଇଛି। ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ଯାଏ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ହ୍ବାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ଭଳି ଅନେକ ସାମାଜିକ ଗଣମାଧ୍ୟମ ଆପଗୁଡ଼ିକ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ସିଡିଏ, ସିଏମସି ଏବଂ ବୟାଳିଶିମୌଜା ଅଞ୍ଚଳ ପାଇଁ ଏହି କଟକଣା ଲାଗୁ କରାଯାଇଛି।

ସେହିପରି ସମ୍ବେଦନଶୀଳ ଅଞ୍ଚଳରେ ଧାରା ୧୬୩ ଜାରି ହୋଇଛି। ଅର୍ଦ୍ଧ ସାମରିକ ବାହିନୀ ସହ ଦଙ୍ଗା ନିୟନ୍ତ୍ରଣ ଗାଡ଼ି ମୁତୟନ କରାଯାଇଛି। ସହରରେ ଭିଡ଼ ନ କରିବାକୁ ପୋଲିସ ଅପିଲ୍ କରିଛି। ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

​​​​​​​ଦଶହରା ଭସାଣ ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପ୍ରତିବାଦରେ ସୋମବାର ସହରରେ ବନ୍ଦ ଡାକରା ଦିଆଯାଇଛି । ଏହାକୁ ନେଇ ରବିବାର ବିଭିନ  ସଙ୍ଗଠନ ପକ୍ଷରୁ  କଟକରେ ଆୟୋଜିତ ରାଲି ବେଳେ ଉତ୍ତେଜନା  ଦେଖା ଦେଇଥିଲା। ରାଲି ପାଇଁ ପୋଲିସ ଅନୁମତି ନଥିଲା । ଅନୁମତି ନଥିବାରୁ ରାଲିକୁ ଦରଘା ବଜାର ନିକଟରେ ଅଟକାଇଥିଲା ପୋଲିସ । ଫଳରେ ଦରଘା ବଜାର ନିକଟରେ ହଜାର ହଜାର ଲୋକ ଅଟକି ରହିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ତେବେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠିଚାର୍ଜ  କରିଥିଲା। ଏପରିକି ପୋଲିସ ପକ୍ଷରୁ ଲୁହ ଵୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା।  ଉତ୍ତେଜନା ବେଳେ ଡିସିପିଙ୍କ ସହ ୬ ପୋଲିସ କର୍ମୀ ଆହତ ହୋଇଛନ୍ତି।