ନୂଆଦିଲ୍ଲୀ, ୦୯/୧୦: ଖୁବ ଶୀଘ୍ର ଗାଜାକୁ ଫେରିବ ଶାନ୍ତି । ଗାଜା ପିସ୍ ପ୍ଲାନ୍ ପୂର୍ବରୁ ବଡ଼ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇସ୍ରାଏଲ୍ ଏବଂ ହମାସ ଉଭୟେ ଅମେରିକାର ମଧ୍ୟସ୍ଥତାକୁ ସହମତି ପ୍ରଦାନ କରିଛନ୍ତି । ଗାଜା ପିସ୍ ପ୍ଲାନକୁ ସମର୍ଥନ କରିବାର ଅର୍ଥ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବନ୍ଦ ହେବ ଏବଂ ପାଲେଷ୍ଟାୟୀନକୁ ଶାନ୍ତି ଫେରିବ । ଏହାଛଡ଼ା ଶାନ୍ତି ଚୁକ୍ତି ପୂର୍ବରୁ ଖୁବ୍ ଶୀଘ୍ର ଇସ୍ରାଏଲର ପଣବନ୍ଦୀ ଫେରିବେ ବୋଲି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି । ସେହିପରି ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ଅପସରିବେ ବୋଲି ଟ୍ରମ୍ପ କହିଛନ୍ତି । ତେବେ ଏନେଇ ଗୁରୁବାର ଅର୍ଥାତ୍ ଆଜି ହମାସ ସଂଗଠନ ଏବଂ ଇସ୍ରାଏଲ ମଧ୍ୟରେ ମିଶ୍ର ଦେଶରେ ଶାନ୍ତି ଚୁକ୍ତି ହସ୍ତାକ୍ଷର ହେବ । ଏହି ଚୁକ୍ତି ଅନୁଯାୟୀ, ଗାଜାରେ ମାନବୀୟ ସହାୟତା ପହଞ୍ଚାଇବା ପାଇଁ ପାଞ୍ଚ କ୍ରସିଂ ତୁରନ୍ତ ଖୋଲାଯିବ । ସେପଟେ ହମାସ ସଂଗଠନ ପ୍ରଥମ ଚରଣରେ ୨୦ ଇସ୍ରାଏଲୀ ପଣବନ୍ଦୀଙ୍କୁ ଜୀବିତ ମୁକ୍ତ କରିବ ।
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶାନ୍ତି ଚୁକ୍ତିର ଗ୍ୟାରେଣ୍ଟ ଆମେରିକା, ମିଶ୍ର, କତର ଏବଂ ତୁର୍କୀ ଦେଇଛନ୍ତି । ଦୁଇ ପକ୍ଷ ଚୁକ୍ତି ସର୍ତ୍ତ ପାଲନ କରିବା ପର୍ଯ୍ୟନ୍ତ ଆକ୍ରମଣ ହେବ ନାହିଁ । ଆସୋସିଏଟେଡ୍ ପ୍ରେସ୍ ମୁତାବକ, ହମାସ ଚଳିତ ସପ୍ତାହ ଶେଷ ସୁଦ୍ଧା ପ୍ରଥମ ଚରଣରେ ୨୦ଜଣ ପଣବନ୍ଦୀଙ୍କୁ ଜୀବନ ମୁକ୍ତ କରିବ । ଏହା ପରେ ଗାଜାରେ ଡେରା ପକାଇ ବସିଥିବା ଇସ୍ରାଏଲ ଅଧିକାରୀ ହଟିଯିବେ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଇସ୍ରାଏଲର ସମସ୍ତ ପଣବନ୍ଦୀଙ୍କୁ ଖୁବ୍ ଶୀଘ୍ର ମୁକ୍ତ ହେବେ । ସେପଟେ ଇସ୍ରାଏଲ ମଧ୍ୟ ନିଜ ସୈନିକଙ୍କୁ ଏକ ନିଶ୍ଚିତ ସୀମା ପର୍ଯ୍ୟନ୍ତ ଫେରାଇ ନେବ । ଯାହା ଏକ ମଜବୁତ, ସ୍ଥିର ଏବଂ ସ୍ଥାୟୀ ଦେଶର ପ୍ରଥମ ପଦକ୍ଷେପ ହେବ । ସମସ୍ତ ପକ୍ଷକୁ ନିରପେକ୍ଷ ବ୍ୟବହାର ପାଇଁ ସମୟ ଦିଆଯିବ ବୋଲି କୁହାଯାଇଛି । ଟ୍ରମ୍ପଙ୍କ ଦ୍ବାରା ଶାନ୍ତି ବୁଝାମଣା ଘୋଷଣା ହେବା ପରେ ହ୍ବାଇଟ୍ ହାଉସର ସୋସିଆଲ୍ ମିଡିଆ ହ୍ୟାଣ୍ଡଲେ ଏହାକୁ ପୋଷ୍ଟ କରାଯାଇ ଆମେରିକା ରାଷ୍ଟ୍ରପତିଙ୍କୁ ପିସ୍ ପ୍ରେସିଡେଣ୍ଟ ବୋଲି କୁହାଯାଇଛି ।..